ଉଦ୍ଧାର ହାତୀଛୁଆ ନାଁ ହେଲା ‘ପଦ୍ମା’

ଢେଙ୍କାନାଳ : ବ୍ରହ୍ମପୁରରୁ ଉଦ୍ଧାର ହୋଇ କପିଳାସ ଚିଡ଼ିଆଖାନାକୁ ଆସିଥିବା ହାତୀଛୁଆର ନାଁ ‘ପଦ୍ମା’ ରଖାଯାଇଛି। ଗତକାଲି ରାତିରେ କପିଳାସରେ ପହଞ୍ଚିଥିଲା ଏହି ମା’ ଛେଉଣ୍ଡ ହାତୀଛୁଆ। କପିଳାସ ଚିଡ଼ିଆଖାନା ଏବେ ନୂଆ ବାସସ୍ଥାନ। ସେଠାରେ ସେ ପହଞ୍ଚିଲା ପରେ ରାତିସାରା ଗର୍ଜନତର୍ଜନ କରି ସେ ତା’ ମା’କୁ ଖୋଜିଥିଲା। ଆଜି ସେ ସ୍ବାଭାବିକ ଅବସ୍ଥାକୁ ଫେରିଛି ଏବଂ ତା’ର ନାମକରଣ ବି କରାଯାଇଛି। ପିସିସିଏଫ୍‌ଙ୍କ ପରାମର୍ଶ କ୍ରମେ ତା’ର ନାମ ‘ପଦ୍ମା’ ରଖାଯାଇଛି ବୋଲି ଢେଙ୍କାନାଳ ବନଖଣ୍ଡ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ ସୂଚନା ଦେଇଛନ୍ତି। ଗୁରୁବାର ଦିନ ପହଞ୍ଚିଥିବା ଯୋଗୁ ମା’ ମହାଲକ୍ଷ୍ମୀଙ୍କ ନାମ ଅନୁଯାୟୀ ତାର ନାମ ‘ପଦ୍ମା’ ରଖାଯାଇଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଗୋଗିନେନୀ କହିଛନ୍ତି, ଆଜିଠାରୁ ବିଧିବଦ୍ଧ ଭାବେ ପଦ୍ମାର ସ୍ବାସ୍ଥ୍ୟ ପରୀକ୍ଷା କରାଯିବା ସହ ସମୟ ଅନୁଯାୟୀ ଖାଇବାକୁ ଦିଆଯାଉଛି। ହାତୀ ଛୁଆଟି ୬ ମାସର ଓ ଏକ ମାଈ ହାତୀ ଶାବକ। ଡାକ୍ତରୀ ପରୀକ୍ଷା ପରେ ତା’ର ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, କପିଳାସ ଚିଡ଼ିଆଖାନାରେ ପହଞ୍ଚିବା ପରଠାରୁ ଅଦ୍ୟାବଧି ତାକୁ ୨୧ଲିଟରରୁ ଊର୍ଦ୍ଧ୍ୱ କ୍ଷୀର ତିଆରି କରି ଦିଆଯାଇଛି। ୩ ଲିଟର ପାଣିରେ ୩୦୦ ଗ୍ରାମ ସେର୍‌ଲାକ୍ ଓ ୧୭୦ ଗ୍ରାମ ଲାକ୍‌ଟୋଜେନ୍ ଗୋଟିଏଥରରେ ଦିଆଯାଉଛି। ଦିନକୁ ନିର୍ଦ୍ଧାରିତ ବ୍ୟବଧାନରେ ୭ ଥର ଖାଦ୍ୟ ଦିଆଯିବ। ପଦ୍ମାର ନାଭିରେ ସାମାନ୍ୟ ସଂକ୍ରମଣ ରହିଛି। ସେଥିପାଇଁ ମଧ୍ୟ ତାକୁ ଆଣ୍ଟିବାଇଓଟିକ୍ ଔଷଧ ଦିଆଯାଇଛି। ତେବେ ପଦ୍ମାର ସ୍ବାସ୍ଥ୍ୟ ପ୍ରତି କୌଣସି ବିପଦ ନାହିଁ। ତା’ର ରକ୍ତ ନମୁନା ସଂଗ୍ରହ କରାଯାଇ ଆଜି ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି। ସେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିବା ପରେ ତାକୁ ଅନ୍ୟ ହାତୀ ସହ ମିଶି ରହିବାକୁ ଦିଆଯିବ। ଶୀତର ପ୍ରକୋପକୁ ଦୃଷ୍ଟିରେ ରଖି ତାକୁ ଏକ କୋଠରୀରେ ରଖାଯାଇଛି। ସେଠାରେ ଗରମ ପବନ ଓ ଲାଇଟ୍‌ର ବ୍ୟବସ୍ଥା ମଧ୍ୟ କରାଯାଇଛି। ତା’ପ୍ରତି ଅଧିକ ଧ୍ୟାନ ଦିଆଯାଉଛି ଏବଂ ତା’ର ଯତ୍ନ ନେବା ପାଇଁ ସ୍ୱତନ୍ତ୍ର ମାହୁନ୍ତ ରଖାଯାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ଗୋଗିନେନୀ କହିଛନ୍ତି।

The post ଉଦ୍ଧାର ହାତୀଛୁଆ ନାଁ ହେଲା ‘ପଦ୍ମା’ first appeared on Sambad.



from ଜିଲ୍ଲା – Sambad https://ift.tt/2LgD80k

Post a Comment

0 Comments