ଭିଜିଲାନ୍ସ ଚଢ଼ଉ ବେଳେ ଖସିଗଲେ
ଅବସର ପରେ ପୁନଃଅବସ୍ଥାପିତ ହୋଇଥିଲେ

ପୁରୀ : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀର ରାଜସ୍ବ ନିରୀକ୍ଷକ ଭାବେ ପୁନଃ ଅବସ୍ଥାପିତ ବସନ୍ତ ମହାନ୍ତି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଭିଜିଲାନ୍ସ ବିଭାଗର ଅଧିକାରୀମାନେ ରାତି ଅଧରେ ବସନ୍ତଙ୍କ ପୁରୀସ୍ଥିତ ବାସଭବନ, କେନ୍ଦ୍ରାପଡ଼ାସ୍ଥିତ ପୈତୃକ ଘର ସମେତ ଏକକାଳୀନ ୯ଟି ସ୍ଥାନରେ ଚଢ଼ଉ କରିଥିଲେ। କିନ୍ତୁ ବସନ୍ତ ପୂର୍ବ ସୂଚନା ପାଇ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଖବର ଲେଖା ହେବାବେଳକୁ ତାଙ୍କର ଦେଢ଼କୋଟି ଟଙ୍କାର ସମ୍ପତ୍ତି ଆକଳନ କରାଯାଇଛି। ଏହି ଚଢ଼ଉ ପାଇଁ ଭୁବନେଶ୍ବର ଭିଜିଲାନ୍ସ ପକ୍ଷରୁ ୯ଟି ଟିମ୍‌ ଗଠନ କରାଯାଇଥିଲା।

ଗତ ୨୦୧୯ ମସିହାରେ ରାଜସ୍ବ ନିରୀକ୍ଷକ ପଦବିରୁ ଅବସରଗ୍ରହଣ କରିବା ପରେ ଶ୍ରୀ ମହାନ୍ତିଙ୍କୁ ଶ୍ରୀମନ୍ଦିର ସୁରକ୍ଷା ପ୍ରାଚୀରକୁ ନେଇ ୭୫ ମିଟର ମାପଚୁପ କରିବା ପାଇଁ ପୁନଃ ଅବସ୍ଥାପିତ କରାଯାଇଥିଲା। ତାଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗଥିଲା। ଜମି କିଣାବିକାରେ ସମ୍ପୃକ୍ତି, ମୂଲ୍ୟବାନ ଜମିର ବେଆଇନ କିସମ ପରିବର୍ତ୍ତନ, ଜମି ଅଦଳବଦଳ ଆଦି ଅନେକ ବେଆଇନ କାର୍ଯ୍ୟରେ ସେ ଲିପ୍ତ ଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ନିକଟରେ ମୂଷା ନଈ ଜମି ଦୁର୍ନୀତି ଚର୍ଚ୍ଚା ପରିସରକୁ ଆସିଥିଲା। ଏହି ଘଟଣାକୁ ନେଇ ସରକାର ପୁରୀ ତହସିଲର ତିନି ଜଣଙ୍କୁ ନିଲମ୍ବନ କରିଥିଲେ। ଏହି ଜମି ଦୁର୍ନୀତିରେ ତାଙ୍କ ସମ୍ପୃକ୍ତି ଥିବା ନେଇ ଅଧିକାରୀଙ୍କ ମହଲରେ ସନ୍ଦେହ ସୃଷ୍ଟି ହୋଇଥିଲା। ଜମି ଦୁର୍ନୀତି ପ୍ରସଙ୍ଗ ଉଠିବା ପରେ ହଠାତ୍‌ ଭିଜିଲାନ୍ସ ଶ୍ରୀ ମହାନ୍ତିଙ୍କ ଘରେ ଚଢ଼ଉ କରିବା ଚର୍ଚ୍ଚାର ବିଷୟ ପାଲଟିଛି।

The post ଅବସରପ୍ରାପ୍ତ ଆର୍‌ଆଇଙ୍କ ସମ୍ପତ୍ତି ଦେଢ଼କୋଟି first appeared on Sambad.



from ଜିଲ୍ଲା – Sambad https://ift.tt/36pxm4k