
ଜଗତସିଂହପୁର ଟାଉନ୍: କରୋନାର କରାଳ ରୂପ ଦେଖିଥିବା ସ୍ବାସ୍ଥ୍ୟସେବକ ମାନଙ୍କୁ ପ୍ରାଥମିକତା ଭାବେ ଆଜି କରୋନା ଟିକା ଦିଆଯାଇଛି। ଖୁବ୍ ନିକଟରୁ କରୋନା ମହାମାରୀର ଭୟାବହତାକୁ ଅନୁଭବ କରିଥିବା କରୋନା ଯୋଦ୍ଧାଙ୍କ ସମେତ ସାଧାରଣ ଲୋକଙ୍କ ଭିତରେ ନୂଆ ଆଶା ସଂଚାର ହୋଇଛି। ଟିକାକୁ ନେଇ ଉତ୍ସାହ ଯେତିକି ଆଶଙ୍କା ବି ସେତିକି ବଢ଼ାଇଛି। ଏଭଳି ଦ୍ବନ୍ଦ୍ବ ଭିତରେ ଜିଲ୍ଲାର ୪ଟି କେନ୍ଦ୍ରରେ ପ୍ରଥମ ଦିନରେ ୪୦୦ ଟିକା ଦେବା ଲକ୍ଷ୍ୟ ରଖାଯାଇଥିବା ବେଳେ ମତ୍ର ୨୮୯ ଜଣ ଟିକା ନେଇଛନ୍ତି। ଅଧିକାଂଶ ସ୍ଥାନରେ ସ୍ବାସ୍ଥ୍ୟକର୍ମୀମାନେ ଟିକା ନେଇ ନାହାନ୍ତି।
ଦୁଇ ଦିନ ତଳେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରଥମ ପର୍ଯ୍ୟାୟରେ ୫୧୦୦ ଟିକା ପହଞ୍ଚିଥିଲା। ତେବେ ଏହାକୁ ଅତ୍ୟନ୍ତ ସୁରକ୍ଷିତ ଭାବେ ଓ ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଥିଲେ। ସ୍ବାସ୍ଥ୍ୟ ସେବକଙ୍କ ଭିତରେ ଏଥିପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା।
ଗତକାଲି ସକାଳୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସର ସମେତ ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସମସ୍ତ ପ୍ରକାର ଆୟୋଜନ କରାଯାଇଥିଲା। ଟିକା ଦେବା ପ୍ରକୋଷ୍ଠ ସହ ଟିକା ନେବା ପରେ ନିରୀକ୍ଷଣକକ୍ଷର ବନ୍ଦୋବସ୍ତ କରାଯାଇଥିଲା। ସକାଳ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟିକାକରଣକୁ ଉଦ୍ଘାଟନ କରିଥିଲେ। ଏହାପରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକତ୍ସା ଅଧିକାରୀ ଡ. ବିଜୟା ପଣ୍ତା ଉପସ୍ଥିତ ରହି ରିବନ କାଟି ଓ ପ୍ରଦୀପ ଜଳାଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ହୁଳହୁଳି ଓ କରତାଳିରେ ଟିକାକୁ ସ୍ବାଗତ କରାଯାଇଥିଲା।
ପ୍ରଥମେ ଡା. ଧରଣୀଧର ସେନାପତି ଟିକା ନେଇଥିଲେ। ସ୍ବାସ୍ଥ୍ୟକର୍ମୀ ଦୀପ୍ତିମୟୀ ଷଢ଼ଙ୍ଗୀ ଟିକା ପ୍ରଦାନ କରିଥିଲେ। ଏହା ପରେ ଡା, ନିଳାଦ୍ରି ପଣ୍ତା, ଡ. ସୁଭଦ୍ରା ପରିଡ଼ା, ଆଟେଣ୍ତାଣ୍ଟ୍ ବିଜୟ କୁମାର ଦାସଙ୍କ ଭଳି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ଅନ୍ୟ ତିନୋଟି ସ୍ଥାନରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଟିକାକରଣ କରାଯାଇଥିଲା। ଏହି ୪ଟି କେନ୍ଦ୍ରରେ ଶହେ ଲେଖାଁ ହିସାବରେ ୪୦୦ ଟିକା ଦେବାର ଲକ୍ଷ୍ୟ ଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୭୨, ବାଲିକୁଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୭୪, ବିରିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମାତ୍ର ୪୩ ଓ ରଘୁନାଥପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୦ ଜଣ ଏପରି ଜିଲ୍ଲାରେ ମୋଟ ୨୮୯ଜଣ(୭୨.୩ ପ୍ରତିଶତ) ଟିକା ନେଇଛନ୍ତି।
The post ଆନନ୍ଦ-ଉତ୍ସାହ ଓ ଆଶା-ଆଶଙ୍କା ଭିତରେ କୋଭିଡ୍ ଟିକାକରଣ: ୪ କେନ୍ଦ୍ରରେ ଟିକା ନେଲେ ୨୮୯ କରୋନା ଯୋଦ୍ଧା first appeared on Sambad.
from ଜିଲ୍ଲା – Sambad https://ift.tt/3qsKBZL
0 Comments