
୫୪ ପ୍ରତିଶତ ପିଲାଙ୍କ ପାଖରେ ସ୍ମାଟ୍ ଫୋନ୍ ନାହିଁ
୫୮ପ୍ରତିଶତ ଲୋକ ପିନ୍ଧୁ ନାହାନ୍ତି ମାସ୍କ
କଟକ : କରୋନା ମହାମାରୀ ୩୭ ପ୍ରତିଶତ ଲୋକଙ୍କ ଜୀବିକା ଛଡାଇ ନେଇଛି। ରାଜ୍ୟର ଏଭଳି ସ୍ଥିତି ସଂପର୍କରେ ଏକ ସର୍ଭେ ଜରିଆରେ ତଥ୍ୟ ସଂଗ୍ରହ କରିଛି ଆଞ୍ଚଳିକ ବିକାଶ ପରିଷଦ। ରାଜ୍ୟର ୩୦ଟି ଜିଲ୍ଲାରେ ୧୧ ହଜାର ଲୋକଙ୍କୁ ନେଇ ହୋଇଥିବା ଏହି ସର୍ଭେରୁ ଅନେକ ରୋଚକ ଆଉ ଉଦ୍ବେଗଜନକ ତଥ୍ୟ ବି ସାମନାକୁ ଆସିଛି।
୨୦୨୦ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ମାସ କାଳ ହୋଇଥିବା ଏହି ସର୍ଭେରେ ୩୭୫ ଜଣ ସାମିଲ ହୋଇ ବିଭିନ୍ନ ଅଞ୍ଚଳରୁ ତଥ୍ୟ ସଂଗ୍ରହ କରିଥିଲେ। ଏହି ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ୫୮ ପ୍ରତିଶତ ଲୋକ ମାସ୍କ ପିନ୍ଧୁ ନାହାନ୍ତି। ୧୧ ପ୍ରତିଶତ ଲୋକଙ୍କ ପାଖରେ ମୁହଁ ଘୋଡାଇବା ପାଇଁ କପଡ଼ା ବି ନାହିଁ। ଅନଲାଇନରେ ପାଠ ପଢା ହେଉଥିବାବେଳେ ୫୪ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ନାହିଁ। ଯେତିକି ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଅଛି, ସେମାନଙ୍କ ମଧ୍ୟରୁ ବି ୩୭ ପ୍ରତିଶତ ପିଲା ସ୍ମାଟ୍ ଫୋନ୍ ବ୍ୟବହାର କରୁ ନାହାନ୍ତି। ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮ ପ୍ରତିଶତ ଜାଣି ନାହାନ୍ତି କରୋନା କେଉଁ ଦେଶରୁ ଆରମ୍ଭ ହୋଇଥିଲା। ୬୮ ପ୍ରତିଶତ ପିଲା ବାହାରକୁ ଯାଇ ଆସିବା ପରେ ବହୁତ କମ୍ ଥର ହାତ ଧୋଉଛନ୍ତି। ୧୯ ପ୍ରତିଶତ ପିଲା ହାତ ଧୋଉ ବି ନାହାନ୍ତି। ୭୧ ପ୍ରତିଶତ ପିଲା କରୋନା କିଭଳି ବ୍ୟାପେ ତାହା ଜାଣିନାହାନ୍ତି।
ଅନ୍ୟପଟେ ହାରାହାରି ଭାବେ ରାଜ୍ୟରେ ୮୫ ପ୍ରତିଶତ ଲୋକ କୋଭିଡ କଟକଣା ନିୟମକୁ ଠିକ ଭାବେ ପାଳନ କରୁନାହାନ୍ତି। ଠିକ୍ ନିୟମରେ ଥିବା ଲୋକଙ୍କ ସଂଖ୍ୟା ମାତ୍ର ୧୫ ପ୍ରତିଶତ। ହାରାହାରି ଭାବେ ୯୦ ପ୍ରତିଶତ ଲୋକ କରୋନା ନିୟମ ମାନୁ ନଥିବା ଜିଲ୍ଲା ଗୁଡିକ ହେଲା ଭଦ୍ରକ, ବୌଦ୍ଧ, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ, ସୋନପୁର। ଦେବଗଡ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡା, କେନ୍ଦ୍ରାପଡା, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ପୁରୀ, ବରଗଡ ଆଦି ଜିଲ୍ଲାର ୮୦ ପ୍ରତିଶତ ଲୋକ କରୋନା ନିୟମ ମାନୁ ନ ଥିବାବେଳେ ଅନୁଗୁଳ, କଳାହାଣ୍ଡି, ରାୟଗଡାରେ ୭୦ ପ୍ରତିଶତ, ବାଲେଶ୍ୱର, ବଲାଙ୍ଗୀର ଓ କନ୍ଧମାଳରେ ୬୦ ପ୍ରତିଶତ ଲୋକ ନିୟମ ମାନୁ ନଥିଲେ। ୧୫ ପ୍ରତିଶତ ଲୋକ ଥଣ୍ଡା, ଜ୍ବର, କାଶ ଅଥବା ଜ୍ବର ହେଲେ ମେଡିସିନ୍ ଦୋକାନରୁ ବୁଝାବୁଝି କରି ଔଷଧ ଖାଉଛନ୍ତି। ଡାକ୍ତରଙ୍କ ପାଖକୁ ଯାଉନାହାନ୍ତି।
କରୋନା ମହାମାରୀ ସମୟରେ ୪୨ ପ୍ରତିଶତ ଲୋକ ନିଜର ପୂର୍ବ ବୃତ୍ତିରେ ରହିଥିବା ବେଳେ ୩୭ ପ୍ରତିଶତ ଲୋକଙ୍କର ଚାକିରି ଯାଇଛି। ସେମାନଙ୍କ ମଧ୍ୟରୁ ୨୧ ପ୍ରତିଶତ ଏବେ ବି ବେକାର ଅଛନ୍ତି I ୨୬ରୁ ୩୫ବୟସର ଯୁବକଙ୍କ ମଧ୍ୟରେ ବେକାରୀ ହାର ୧୬ ପ୍ରତିଶତ ରହିଛି।
ଏହି ସର୍ଭେ ରିପୋର୍ଟକୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଉନ୍ମୋଚନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍, ବିଜେପି ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ବିଜୁ ପଟ୍ଟନାୟକ କଲେଜ ହୋଟଲ ମ୍ୟାନେଜମେଣ୍ଟ ଆଣ୍ଡ ସୋସିଆଲ ୱାର୍କର ଅଧ୍ୟକ୍ଷ ପ୍ରଫେସର ଶେଷଦେବ ବଳିୟାରସିଂହ, ସମାଜସେବୀ ସତ୍ୟାନନ୍ଦ ରାଉତ୍, ଆଂଚଳିକ ବିକାଶ ପରିଷଦର ସଭାପତି ସୁଜିତ୍ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
The post କରୋନା ମହାମାରୀର ପ୍ରଭାବକୁ ନେଇ ସର୍ଭେ : ୩୭ ପ୍ରତିଶତ ହରାଇଛନ୍ତି ଚାକିରି first appeared on Sambad.
from ଜିଲ୍ଲା – Sambad https://ift.tt/2Nuy9ut
0 Comments