
ପୁରୀ : ଶ୍ରୀମନ୍ଦିରରେ ଦର୍ଶନ କଟକଣା କୋହଳ ପରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି। ପ୍ରକାରାନ୍ତରେ ଏହା ଶ୍ରୀମନ୍ଦିର ପ୍ରଶାସନର ରାଜସ୍ବ ବୃଦ୍ଧି କରିଛି। ଆଜି ବିନା କୋଭିଡ୍ ରିପୋର୍ଟରେ ୩୦ ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଯାହା ଫଳରେ ହୁଣ୍ଡି ଆୟ ବୃଦ୍ଧି ପାଇଛି। ଆଜି ପ୍ରଥମ ଦିନରେ ଶ୍ରୀମନ୍ଦିର ହୁଣ୍ଡିରୁ ୨ ଲକ୍ଷ ୬୬ ହଜାର ୯୮୧ ଟଙ୍କା ଦାନ ଅର୍ଥ ମିଳିଛି। କୋଭିଡ୍ କଟକଣା ଯୋଗୁ ଶ୍ରୀମନ୍ଦିର ହୁଣ୍ଡି ଆୟ ହଜାରେ ଟଙ୍କା ତଳକୁ ବି ଖସି ଆସିଥିଲା। ଡିସେମ୍ବର ୨୩ରୁ ଶ୍ରୀମନ୍ଦିର ଖୋଲିବା ପରେ ହୁଣ୍ଡି ଆୟ ବୃଦ୍ଧି ପାଇଛି। କିନ୍ତୁ ଆଶାତୀତ ବୃଦ୍ଧି ପାଇପାରିନି। ଡିସେମ୍ବର ୩୦ରୁ ଯେତେବେଳେ ସହରବାସୀଙ୍କ ସହ ଅନ୍ୟମାନଙ୍କ ଦର୍ଶନ ଆରମ୍ଭ ହେଲା, ସେ ସମୟରେ ହୁଣ୍ଡି ଆୟ ୨ ଲକ୍ଷ ଛୁଇଁଥିଲା। ଏହା ପରଠାରୁ ହୁଣ୍ଡି ଦାନ ନିମ୍ନଗାମୀ ହୋଇଥିଲା। ଜାନୁଆରି ପହିଲାରୁ କ୍ରମାଗତ ଦାନ ଅର୍ଥ କମିବାରେ ଲାଗିଥିଲା। ଦାନ ଟଙ୍କା କେତେବେଳେ ଲକ୍ଷେ ତଳେ ତ କେତେବେଳେ ଲକ୍ଷେ ଉପରେ ରହୁଥିଲା। ଗତକାଲି ହୁଣ୍ଡି ଦାନ ୯୭ ହଜାର ୭୫୫ ଟଙ୍କା ରହିଥିଲା। ଆଜି ଏହା ଅଢ଼େଇ ଲକ୍ଷ ଡେଇଁବା ଶ୍ରୀମନ୍ଦିରର ଆର୍ଥିକ ସ୍ଥିତି ସୁଦୃଢ଼ କରିବ ବୋଲି ଆଶା ସଂଚାର କରିଛି। ଆଜିଠାରୁ ଶ୍ରୀମନ୍ଦିର ହୁଣ୍ଡି ଆୟ ସ୍ବାଭାବିକ ହେବା ସହ ପୂର୍ବଭଳି ଅଧିକ ଆୟ ହେବ ବୋଲି ଆଶା ରଖାଯାଇଛି। କାରଣ କରୋନା ମହାମାରୀ ପୂର୍ବରୁ ଦୈନିକ ହୁଣ୍ଡିରୁ ୪ ଲକ୍ଷରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାନ ଅର୍ଥ ଆସୁଥିଲା।
The post ହଟିଲା ଶ୍ରୀମନ୍ଦିରରେ ଦର୍ଶନ କଟକଣା, ବଢ଼ିଲା ଆୟ : ହୁଣ୍ଡିରେ ପଡ଼ିଲା ୨.୬୭ ଲକ୍ଷ first appeared on Sambad.
from ଜିଲ୍ଲା – Sambad https://ift.tt/3pk2NEV
0 Comments