
ମୃତକ ପରିବାରକୁ ସ୍ଥାୟୀ ନିଯୁକ୍ତି
୨.୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା
ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍ଏସ୍ପି) କୋଲ୍ କେମିକାଲ ବିଭାଗ (ସିସିଡି)ରେ ଆଜି ଗ୍ୟାସ୍ ଲିକ୍ ହେବାରୁ ୪ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୬ ଜଣ ଅସୁସ୍ଥ ହୋଇଛନ୍ତି। କର୍ତବ୍ୟରେ ଅବହେଳା ପାଇଁ ଦୁଇ ଜଣ ଅଧିକାରୀଙ୍କୁ ସସପେଣ୍ଡ କରାଯାଇଛି। ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।
ମୃତକମାନେ ହେଲେ ଠିକା ସଂସ୍ଥାର ସୁପରଭାଇଜର ସେକ୍ଟର-୧, ଏଚ୍-୭୯ର ବ୍ରହ୍ମାନନ୍ଦ ପଣ୍ଡା (୫୧), ଲାଠିକଟା ଥାନା କୁଲାମୁଣ୍ଡାର ଅଭିମନ୍ୟୁ ସା (୩୩), ଟାଙ୍ଗରପାଲି କନଷ୍ଟ୍ରକ୍ସନ କଲୋନିର ରବିନ୍ଦ୍ର ସାହୁ (୫୯) ଓ ଗଣେଶ ଚାନ୍ଦ ପହିଲ୍ (୫୫)। ମୃତ ଶ୍ରମିକମାନେ ରାଉରକେଲାର ଏକ ଘରୋଇ ଠିକା ସଂସ୍ଥା ‘ଷ୍ଟାର କନ୍ଷ୍ଟ୍ରକ୍ସନ ଅଧୀନରେ କାମ କରୁଥିଲେ। ଅସୁସ୍ଥ ଅନ୍ୟ ୬ ଜଣ କର୍ମଚାରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି।
ଆଜି ସକାଳେ ସିସିଡିର ଗ୍ୟାସ୍ ମିକ୍ସିଂ ଟ୍ୟାଙ୍କ୍ ଇଲାକାରେ ମରାମତି କାମ ଚାଲିଥିଲା। ସକାଳ ପ୍ରାୟ ସାଢ଼େ ୯ଟା ସମୟରେ ହଠାତ୍ ପାଇପ୍ରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ଚାରିଆଡକୁ ବ୍ୟାପି ଯାଇଥିଲା। ପାଖରେ ମରାମତି କାମ କରୁଥିବା ୧୦ ଜଣ ଠିକା ଶ୍ରମିକ ଗ୍ୟାସ୍ ସଂସ୍ପର୍ଶରେ ଆସି ଅସୁସ୍ଥ ଅନୁଭବ କରିଥିଲେ। ଏମାନଙ୍କ ମଧ୍ୟରୁ ଠିକାସଂସ୍ଥାର ସୁପରଭାଇଜର ବ୍ରହ୍ମାନନ୍ଦଙ୍କ ସମେତ ଅଭିମନ୍ୟୁ, ରବୀନ୍ଦ୍ର ଓ ଗଣେଶ ଗୁରୁତର ହୋଇ ପଡିଥିଲେ। କାରଖାନା ଅଗ୍ନିଶମ କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି କାରଖାନା ପରିସରସ୍ଥ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ତାପରେ ସେଠାରୁ ସେମାନଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଜ୍)ର ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଦିନ ପ୍ରାୟ ୧୧ଟା ୪୦ ମିନିଟ୍ରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଆର୍ଏସ୍ପିର ବିଭିନ୍ନ ଶ୍ରମିକ ସଙ୍ଗଠନର ନେତାମାନେ ଆଇଜିଏଚ୍ରେ ପହଞ୍ଚି ମୃତ ଶ୍ରମିକମାନଙ୍କ ପରିବାରକୁ ଅନୁକମ୍ପାମୂଳକ ନିଯୁକ୍ତି ଓ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ମୃତକଙ୍କ ପରିବାରକୁ ଆର୍ଏସ୍ପିରେ ସ୍ଥାୟୀ ନିଯୁକ୍ତି ଓ କ୍ଷତିପୂରଣ ନ ମିଳିବା ପର୍ଯ୍ୟନ୍ତ ମର୍ଗରୁ ଶବ ଉଠାଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ। ଫଳରେ ଆଇଜିଏଚ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆର୍ଏସ୍ପିର ବରିଷ୍ଠ ଅଧିକାରୀ, ଡିଆଇଜି କବିତା ଜଲାନ, ଏସ୍ପି ମୁକେଶ କୁମାର ଭାମୁ, ଦୁଇ ଡିଏସ୍ପି ଅସୀମ ପଣ୍ଡା ଓ ଜ୍ୟୋର୍ତିମୟ ଭୁକ୍ତା ପ୍ରମୁଖ ପହଞ୍ଚି ଉତ୍ତେଜିତ ଶ୍ରମିକ ନେତାଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ଶାନ୍ତ ପଡିଥିଲା।
ଆଇଜିଏଚ୍ ନିର୍ଦ୍ଦେଶକଙ୍କ ସମ୍ମିଳନୀ କକ୍ଷରେ ଅନୁକମ୍ପାମୂଳକ ନିଯୁକ୍ତି ଓ କ୍ଷତିପୂରଣ ପ୍ରସଙ୍ଗରେ ଏକ ବୈଠକ ବସିଥିଲା। ଆର୍ଏସ୍ପିର ସିଜିଏମ୍ ଆର୍. ମିଶ୍ର, ଜେନେରାଲ ମ୍ୟାନେଜର (ପର୍ସନାଲ) ପି. କାନିତକର, ପାନପୋଷ ଉପଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ଦୌଲତ ଚନ୍ଦ୍ରାକର, ଉଭୟ ଡିଏସ୍ପି, ଆର୍ଏସ୍ପି ଠିକା ସଂଘର ସଜ୍ଜଲ ବାନାର୍ଜୀ, ସିଆଇଟିୟୁର ବିଷ୍ଣୁ ମହାନ୍ତି, ଏଆଇଟିୟୁସିର ପ୍ରଭାତ ମିଶ୍ର, ଜିଏମ୍ଏମ୍ର ଜର୍ଜ ତିର୍କୀ, ଆର୍ଏସ୍ଏସ୍ ନିହାର ଦାଶ ଓ ଏଚ୍ଏମ୍ଏସ୍ର ଦିଗାମ୍ବର ମହାନ୍ତିଙ୍କ ସମେତ ବହୁ ଶ୍ରମିକ ନେତା ସେଥିରେ ସାମିଲ ହୋଇଥିଲେ। ସେ ସଂକ୍ରାନ୍ତରେ ପ୍ରାୟ ୧ ଘଣ୍ଟା ଆଲୋଚନା ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଦାନ ସହ ମୃତ ଶ୍ରମିକଙ୍କ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରୀ ଦେବାକୁ ଆର୍ଏସ୍ପି କର୍ତ୍ତୃପକ୍ଷ ରାଜି ହୋଇଥିଲେ। ଇତିମଧ୍ୟରେ ଉକ୍ତ ଘରୋଇ ଠିକା ସଂସ୍ଥା ପକ୍ଷରୁ ପ୍ରତ୍ୟେକ ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ପରେ ପୁଲିସ ମୃତ ୪ ଶ୍ରମିକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି।
ସେପଟେ କାର୍ଯ୍ୟରେ ଅବହେଳା ପାଇଁ ଶକ୍ତି ପରିଚାଳନା ବିଭାଗ (ଇଏମ୍ଡି)ର ଡିଜିଏମ୍ ଜି. ବାରିକ୍ ଓ କୋଲ୍ କେମିକାଲ ବିଭାଗର (ସିସିଡି)ର ଡିଜିଏମ୍ ଏନ୍. ଦାଶଙ୍କୁ ଆର୍ଏସ୍ପି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୀପକ କୁମାର ଚଟ୍ଟରାଜ ନିଲମ୍ବିତ କରିଛନ୍ତି। ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଘଟଣାର ତଦନ୍ତ କରିବାକୁ ଶ୍ରୀ ଚଟ୍ଟରାଜ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଯେଉଁମାନେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ଇସ୍ପାତମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟୁଇଟ୍ କରିଛନ୍ତି କହିଛନ୍ତି ଯେ ଆର୍ଏସ୍ପି ଦୁର୍ଘଟଣାରେ ଶ୍ରମିକଙ୍କ ମୃତ୍ୟୁ ଖବର ଶୁଣି ସେ ଦୁଃଖିତ ଓ ମର୍ମାହତ। ସେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଆର୍ଏସ୍ପି ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଚଟ୍ଟରାଜ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଛନ୍ତି। ଆର୍ଏସ୍ପି ପକ୍ଷରୁ ଯଥାସମ୍ଭବ ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ରାଉରକେଲା ଏସ୍ପି ମୁକେଶ କୁମାର ଭାମୁ କହିଛନ୍ତି, ଏହି ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତଦନ୍ତ କରିବାକୁ ସ୍ଥାନୀୟ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି।
The post ଗ୍ୟାସ୍ ଲିକ୍, ୪ ମୃତ; ଆର୍ଏସ୍ପିରେ ଉତ୍ତେଜନା, ୨ ଅଧିକାରୀ ନିଲମ୍ବିତ first appeared on Sambad.
from ଜିଲ୍ଲା – Sambad https://ift.tt/3bm8b6h
0 Comments