
ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ତହସିଲରେ ଲାଞ୍ଚ ନେବା ଘଟଣାର ବିଡ଼ିଓ ଭାଇରଲ ପରେ ସଂପୃକ୍ତ ବରିଷ୍ଠ କିରାଣୀ ଶଶୀ ଶେଖର ସେଠୀଙ୍କୁ ଜିଲ୍ଲାପାଳ ୱାଇ ବିଜୟ ନିଲମ୍ବନ କରିଛନ୍ତି। ତହସିଲର ବରିଷ୍ଠ କିରାଣୀ ଶଶୀ ଶେଖର ସେଠି କିଛି ହିତାଧିକାରୀଙ୍କ ପଟ୍ଟାକୁ ୱେବସାଇଟ୍ରେ ଅପଲୋଡ କରିବା ପାଇଁ ଦେଢ଼ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କିନ୍ତୁ ସେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। ଏହି ଘଟଣାର ତଦନ୍ତ କରି ଜିଲ୍ଲାପାଳ ଆଜି ସମ୍ପୁକ୍ତ କିରାଣୀଙ୍କୁ ନିଲମ୍ବିତ କରିଛନ୍ତି।
ସୂଚନାଯୋଗ୍ୟ, ୬ ଜଣଙ୍କ ପଟ୍ଟାକୁ ସରକାରୀ ୱେବସାଇଟ୍ରେ ଅପଲୋଡ କରିବା ପାଇଁ କୁଆଡେ କିରାଣୀ ଶ୍ରୀ ସେଠୀ ଭେଜେଙ୍ଗଵାଡା ଅଂଚଳର ଜଣେ ବ୍ୟକ୍ତିଙ୍କୁ ଦେଢ ଲକ୍ଷ ଟଂକା ମାଗିଥିଲେ। ଅଫିସରେ କୌଣସି ଏକ ଜିନିଷ କିଣାଯିବ କହି ମୁଖ୍ୟ କିରାଣୀ ଶ୍ରୀ ସେଠୀ ସେହି ବ୍ୟକ୍ତିଙ୍କ ଠାରୁ ଟଂକା ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା। ଅନ୍ଧାରରେ କିରାଣୀ କଳା ଟଂକା ନେଉଥିବା ଦେଖିବାକୁ ମିଳିଥିଲା। ସେହି ବ୍ୟକ୍ତି ଜଣକ କିରାଣୀଙ୍କୁ ତିନୋଟି କିସ୍ତିରେ ଦେଢ ଲକ୍ଷ ଟଂକା ଦେବାକୁ ପ୍ରତିଶ୍ରୁତି ଦେଉଥିବା ବେଳେ କିରାଣୀ କିନ୍ତୁ ତୁରନ୍ତ ଏହି ଟଂକା ପ୍ରଦାନ କରିବାକୁ କହୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।
ତେବେ ଗରିବ ଆଦିବାସୀଙ୍କୁ ଓପିଏଲଇ ଆଇନ ଅନୁଯାୟୀ ପଟ୍ଟା ଦେବା ସହ ଥଇଥାନ କରିବାକୁ ରାଜ୍ୟ ସରକାରଙ୍କର ନିର୍ଦେଶ ରହିଥିଲେ ମଧ୍ୟ ଏହାକୁ ଉଲଙ୍ଘନ କରି ତହସିଲ କାର୍ଯ୍ୟାଳୟର ସରକାରୀ ବାବୁମାନେ କାଲିମେଳା ଅଂଚଳର ବଡବଡିଆ ବାବୁମାନଙ୍କ ଠାରୁ ମୋଟା ଅଂକର ଟଂକା ନେଇ ପଟ୍ଟା ପ୍ରଦାନ କରିଛନ୍ତି। ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ଏହାର ତଦନ୍ତ କରି ଜଣେ ରାଜସ୍ବ ନିରୀକ୍ଷକ ସୁରେଶ ପୂଜାରୀ ଏବଂ ଦିବ୍ୟସିଂ ପାଇକରାୟ ନାମକ କିରାଣୀଙ୍କୁ ନିଳମ୍ବିତ କରିଥିବା ବେଳେ ତହିସଲଦାରଙ୍କୁ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା।
The post ୫୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ କାଲିମେଳା ତହସିଲର ବରିଷ୍ଠ କିରାଣୀ ନିଲମ୍ବିତ first appeared on Sambad.
from ଜିଲ୍ଲା – Sambad https://ift.tt/2KVLESU
0 Comments