
ଘଟଗାଁ: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ସକାଳୁ ଘଟଗାଁସ୍ଥିତ ପ୍ରସିଦ୍ଧ ମା’ ତାରିଣୀଙ୍କ ମନ୍ଦିର ଦ୍ବାର ଭକ୍ତଙ୍କ ପାଇଁ ଖୋଲିଛି। ଦୀର୍ଘ ୧୦ ମାସ ପରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲିଥିବାରୁ ଫାଟକ ବାହାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳିଛି। ମା’ଙ୍କ ବଡ଼ସିଂହାର ଓ ମଙ୍ଗଳ ଆଳତି ପରେ ସେବାୟତଙ୍କ ପରିବାର ପ୍ରଥମେ ଦର୍ଶନ କରିଥିଲେ। ସକାଳ ୯ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି।
ଏଥିପାଇଁ ଟ୍ରଷ୍ଟବୋର୍ଡ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବ୍ୟାରିକେଡ୍ କରାଯାଇ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଟ୍ରଷ୍ଟବୋର୍ଡ କର୍ମକର୍ତ୍ତା ଓ ପ୍ରଶାସନିକ ଅଧିକାରୀମାନେ ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।
ଗତକାଲି ସନ୍ଧ୍ୟାରେ ଘଟଗାଁ ଅଗ୍ନିଶମ ବାହିନୀଙ୍କ ଦ୍ବାରା ମନ୍ଦିର ବେଢ଼ା ପରିସର ଓ ସମ୍ମୁଖ ରାସ୍ତାକୁ ବିଶୋଧନ କରାଯାଇଥିଲା। ଧାଡ଼ି ଦର୍ଶନ ପାଇଁ ବ୍ୟାରିକେଡ୍ କରାଯାଇଥିବା ବେଳେ ଅସ୍ଥାୟୀ ମୋବାଇଲ ଲକର ଓ ଜୋତା ଷ୍ଟାଣ୍ଡ କରାଯାଇଛି। ଅପରାହ୍ଣରେ ଘଟଗାଁ ଏସ୍ଡିପିଓ ରବୀନ୍ଦ୍ର କୁମାର ମଲ୍ଲିକ, ତହସିଲଦାର ଜନକ ନାୟକ, ବିଡିଓ ନାରାୟଣ ସାହୁ, ଘଟଗାଁ ଥାନା ଅଧିକାରୀ ଶ୍ୟାମଘନ ବେହେରା, ଟ୍ରଷ୍ଟବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ, କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ବରିଷ୍ଠ ସଦସ୍ୟ କ୍ଷୀରୋଦ ପ୍ରସାଦ ଦାସ, ବଳଭଦ୍ର ନନ୍ଦ, ଦୟାନିଧି ମହାନ୍ତ, ନିର୍ମଳ କୁମାର ମହାନ୍ତି ଓ ଆନନ୍ଦ ଚନ୍ଦ୍ର ସିଂହ ପ୍ରମୁଖ ମନ୍ଦିର ପରିସର ବୁଲି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ଟ୍ରଷ୍ଟବୋର୍ଡ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ମନ୍ଦିର ପରିସରକୁ ରଙ୍ଗ କରାଯିବା ସହ ଉଜ୍ଜ୍ବଳ ଆଲୋକ ବ୍ୟବସ୍ଥା କରାଯାଇଛି।
The post ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର first appeared on Sambad.
from ଜିଲ୍ଲା – Sambad https://ift.tt/2LXQdfx
0 Comments