
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଏକାଧିକ ଆଦିମ ଜନଜାତି ବସବାସ କରୁଛନ୍ତି। ସେଥିରୁ ଦିଦାଇ ଅନ୍ୟତମ। ଏମାନଙ୍କ ଜୀବନଶୈଳୀ ଯେମିତି ରୋଚକ ସେମାନଙ୍କ ପରମ୍ପରା ସେତିକି ଆକର୍ଷଣୀୟ। ଓଡ଼ିଆଙ୍କ ୧୨ ମାସରେ ୧୩ ପର୍ବ ଭଳି ଏହି ଜନଜାତି ବି ଋତୁ ଅନୁଯାୟୀ ଭିନ୍ନ ଭିନ୍ନ ପର୍ବ ପାଳନ କରିଥା’।ନ୍ତି। ତେବେ ମକର ସଂକ୍ରାନ୍ତି ପୂର୍ବଦିନ ଦିଦାଇ ପାଳନ କରୁଥିବା ‘ଝାଟିମରା’ ପର୍ବର ବିଶେଷତ୍ବ ରହିଛି। ଏହି ପର୍ବକୁ ସେମାନେ ଭାଇଚାରା ଏବଂ ସମୃଦ୍ଧିର ବୋଲି ବିବେଚନା କରନ୍ତି।
ଝାଟିର ଅର୍ଥ ହେଲା ଗଛର ଡାଳରେ ପ୍ରସ୍ତୁତ ହେଉଥିବା ସରୁ ଲମ୍ବା ବାଡ଼ି। ଏହି ବାଡ଼ିକୁ ଗ୍ରାମବାସୀ ଗୋଟିଏ ସ୍ଥାନରେ ସଂଗ୍ରହ କରି ରଖିବା ପରେ ନିର୍ଦ୍ଧାରିତ ସମୟରେ ପରସ୍ପରକୁ ସେଥିରେ ମାଡ଼ ମାରିବାର ପରମ୍ପରା ରହିଛି। ବର୍ଷସାରା ହୋଇଥିବା ଝଗଡ଼ା, ବିବାଦର ସମାଧାନ କରିବା ଏବଂ ସବୁ ମନମାଳିନ୍ୟକୁ ଭୁଲି ପୁଣି ନୂଆ ସଂପର୍କ ଯୋଡିବା ପାଇଁ ଏହି ଝାଟିମରା ପର୍ବ ପାଳନ କରାଯାଇଥାଏ ବୋଲି ଦିଶାନ୍ତି କହନ୍ତି। ଏଥିସହ ଭଲ ଫସଲ ହେବା ସହ ଗ୍ରାମବାସୀ ରୋଗ ବୈରାଗ ଠାରୁ ଦୂରରେ ରହିଥାନ୍ତି ବୋଲି ବିଶ୍ବାସ ରହିଛି। ପୁରୁଖା ଲୋକଙ୍କ ମତରେ, ମୁଖ୍ୟତଃ ଭାଇଚାରା ସୃଷ୍ଟି କରିବା ଏହି ପର୍ବର ଉଦ୍ଦେଶ୍ୟ।ପୁଣି ଝାଟି ବା ସରୁବାଡ଼ିରେ ନିଜ ନିଜ ମଧ୍ୟରେ ମାରପିଟ୍ ହେବା ସମୟରେ ଦେହରୁ ରକ୍ତ ବାହାରିଥାଏ। ସେହି ରକ୍ତକୁ ଦେବୀଙ୍କ ନିକଟରେ ଅର୍ପଣ କରାଯାଇଥାଏ। ଏପରିକି ସେହି ଝାଟି ବା ବାଡ଼ି ଗୁଡ଼ିକୁ ମଧ୍ୟ ଗ୍ରାମଦେବୀଙ୍କ ନିକଟରେ ଅର୍ପଣ କରିଥା’ନ୍ତି। ଏହାଦ୍ବାରା ଗ୍ରାମଦେବୀ ସନ୍ତୁଷ୍ଟ ହେବା ସହ ସମସ୍ତ ଗ୍ରାମବାସୀଙ୍କୁ ଖୁସିରେ ରଖିବା ଏବଂ ସମସ୍ତଙ୍କର ଉନ୍ନତି ପାଇଁ ଦେବୀ ଆଶୀର୍ବାଦ ଦେଇଥାନ୍ତି ବୋଲି ବିଶ୍ବାସ ରହିଛି।
ବର୍ଷ ବର୍ଷ ଧରି ଦିଦାଇ ଏହି ନିଆରା ପର୍ବକୁ ପାଳନ କରିଆସୁଛନ୍ତି। ସମସ୍ତ ଗ୍ରାମବାସୀ ଶେଷରେ ଗ୍ରାମଦେବୀଙ୍କ ନିକଟରେ ଶରଣ ପଶିବା ସହ ଭୋଗ ସେବନ କରିଥାନ୍ତି। ମାଲକାନଗିରି ଜିଲ୍ଲାର ଖଇରପୁଟ ଏବଂ ରାସବେଡ଼ା ପଞ୍ଚାୟତର ଅରଙ୍ଗୀ, ମୁଦୁଲିଗୁଡ଼ା ସମେତ ଆଖପାଖର ଗ୍ରାମ ଗୁଡ଼ିକର ଲୋକେ ଏକତ୍ରିତ ହୋଇ ଚଳିତ ବର୍ଷ ଏହି ଝାଟିମରା ପର୍ବ ପାଳନ କରି ସଂପର୍କକୁ ମଜଭୁତ କରିଥିଲେ।
The post ଦିଦାଇଙ୍କ ନିଆରା ପର୍ବ ଝାଟିମରା : ମକର ସଂକ୍ରାନ୍ତି ଉପଲକ୍ଷେ ପରସ୍ପରକୁ ପିଟିଲେ first appeared on Sambad.
from ଜିଲ୍ଲା – Sambad https://ift.tt/3soEbfT
0 Comments