କଟକ: ମେ ୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ଚଳିତବର୍ଷ ପ୍ରତ୍ୟେକ ବିଷୟରେ ଶହେ ନମ୍ବର ବଦଳରେ ଛାତ୍ରଛାତ୍ରୀ ୮୦ ନମ୍ବର ପରୀକ୍ଷା ଦେବେ। ପରୀକ୍ଷାର ଢାଞ୍ଚାରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି। କରୋନା ଚଳିତବର୍ଷ ଶିକ୍ଷାଦାନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଅବ୍ୟବସ୍ଥିତ କରି ଦେଇଥିବାବେଳେ ବର୍ତ୍ତମାନ ସ୍ଥିତିରେ ପରୀକ୍ଷା ବ୍ୟବସ୍ଥା ଓ ପ୍ରଶ୍ନପତ୍ରକୁ ନେଇ ଛାତ୍ରଛାତ୍ରୀମାନେ ଦ୍ବନ୍ଦ୍ବରେ ଅଛନ୍ତି। ମାଟ୍ରିକ ପରୀକ୍ଷାର୍ଥୀଙ୍କ ଦ୍ବନ୍ଦ୍ବ ଯଥାସମ୍ଭବ ଦୂର କରିବା ପାଇଁ ‘ସମ୍ବାଦ’ ପକ୍ଷରୁ ‘ଶିକ୍ଷା ସମ୍ବାଦ’ ପୃଷ୍ଠା ଜରିଆରେ ପୁଣି ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ମାଟ୍ରିକ ପରୀକ୍ଷାର ସମ୍ଭାବ୍ୟ ପ୍ରଶ୍ନ ଓ ତା’ର ଉତ୍ତରକୁ ନେଇ ଜାନୁଆରି ୧୧ ତାରିଖ, ସୋମବାରଠାରୁ ନିୟମିତ ‘ଶିକ୍ଷା ସମ୍ବାଦ’ ପ୍ରକାଶ ପାଇବାକୁ ଯାଉଛି।

କରୋନା ସମୟରେ ପାଠପଢା ସଂପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାବେଳେ ‌‘ସମ୍ବାଦ’ର ‘ଶିକ୍ଷା ସମ୍ବାଦ’ ପୃଷ୍ଠା ଜରିଆରେ ଓଡ଼ିଆ ମାଧ୍ୟମ ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମଧ୍ୟ ଏଭଳି ପ୍ରୟାସ ଆରମ୍ଭ ହୋଇଥିଲା, ଯାହାକି ଏବେ ବି ଜାରି ରହିଛି। ରାଜ୍ୟର ଅଭିଜ୍ଞ ଶିକ୍ଷକଶିକ୍ଷୟିତ୍ରୀଙ୍କ ଦ୍ବାରା ପ୍ରସ୍ତୁତ ପାଠ୍ୟ ଆଲୋଚନା ଦ୍ବାରା ଲକ୍ଷାଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏଥର ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ‘ଶିକ୍ଷା ସମ୍ବାଦ’ର ମାଟ୍ରିକ ପରୀକ୍ଷା ସମ୍ଭାବ୍ୟ ପ୍ରଶ୍ନ-ଉତ୍ତର ପୂର୍ବ ବର୍ଷ ମାନଙ୍କ ଭଳି ସେମାନଙ୍କ ପାଇଁ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ଦିନ ‘ଶିକ୍ଷା ସମ୍ବାଦ’ ପୃଷ୍ଠା ଗୁରୁତ୍ବ ରଖୁଥିବାରୁ ଏହାକୁ ଯେଭଳି ନିଶ୍ଚିତ ପାଇବେ, ସେଥିପାଇଁ ନିକଟସ୍ଥ ଖବରକାଗଜ ବିତରକମାନଙ୍କୁ ଆଗୁଆ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଛି।

The post ‘ସମ୍ବାଦ’ର ପୁଣି ଏକ ଅଭିନବ ପ୍ରୟାସ: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନୂଆ ଢାଞ୍ଚାର ସମ୍ଭାବ୍ୟ ପ୍ରଶ୍ନୋତ୍ତର ଜାନୁଆରି ୧୧ରୁ first appeared on Sambad.



from ଜିଲ୍ଲା – Sambad https://ift.tt/3rY3BRy