କଟକ: କଟକ ମହାନଗର ନିଗମ କହ୍ନେଇପୁର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିବା ଦମ୍ପତି ଜମି ଓ ଚାକିରି କରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଚାଉଳିଆଗଞ୍ଜ ଥାନାରେ ଏ ସଂପର୍କରେ ଅଭିଯୋଗ ହେବା ପରେ ସିଆରଆର୍ଆଇ ଫାଣ୍ଡି ଅଧିକାରୀ ଦିଲୀପ କୁମାର ସାହୁ ଅଭିଯୁକ୍ତ ଶାନ୍ତିଲତା ନାୟକଙ୍କୁ ଗିରଫ କରିଛନ୍ତି। କିନ୍ତୁ ସ୍ବାମୀ ଅନନ୍ତ ନାୟକ ଫେରାର ହୋଇଯାଇଛି। ଫାଣ୍ଡି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଇଚ୍ଛାପୁର ଗାଁର ଅନନ୍ତ ଓ ଶାନ୍ତିଲତା କହ୍ନେଇପୁର ମହାନଦୀ ବନ୍ଧ ପାର୍ଶ୍ବରେ ଭଡ଼ାରେ ରହୁଥିଲେ। ଶାନ୍ତିଲତା ଭୁବନେଶ୍ବର ସଚିବାଳୟରେ ସେକ୍ସନ ଅଫିସର ଭାବେ ପଞ୍ଚାୟତ ରାଜ ବିଭାଗରେ ଚାକିରି କରୁଥିଲେ। ନିଜର ଉପର ମହଲରେ ସଂପର୍କ ଦର୍ଶାଇ ସେ ଘର ମାଲିକଙ୍କୁ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୩ ଲକ୍ଷ ୮୫ ହଜାର ଟଙ୍କା ନେଇ ଥିଲେ। କିନ୍ତୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଚାକିରି କରାଇ ଦେଲେ ନାହିଁ କି ଟଙ୍କା ବି ଫେରାଇଲେ ନାହିଁ।

ଶାନ୍ତିଲତା ୩ଲକ୍ଷ ୮୫ହଜାର ଟଙ୍କାର ଏକ ଫଲ୍ସ ଚେକ୍ ଦେଇଥିଲେ, ଯାହା ବାଉନସ୍ ହୋଇ ଯାଇଥିଲା। ଘର ମାଲିକ ଏହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୋଗ ଆଧାରରେ ଫାଣ୍ଡି ପୁଲିସ ମାମଲା ରୁଜୁ କରି ଶାନ୍ତିଲତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଅନ୍ୟପଟେ ଫେରାର ଥିବା ତାଙ୍କ ସ୍ବାମୀ ଅନନ୍ତ ବୟାଳିଶମୌଜା ଶ୍ରୀରାମ ଗ୍ରାମର ଦିଲ୍ଲୀପ କୁମାର ନାୟକଙ୍କ ପୁଅଙ୍କୁ ଏଏସଓ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଇ ୭ ଲକ୍ଷ ଟଙ୍କା ଠକି ନେଇଥିବା ମଧ୍ୟ ଚାଉଳିଆଗଞ୍ଜ ଥାନାରେ ଅଭିଯୋଗ ହୋଇଛି। ତାଙ୍କୁ ମଧ୍ୟ ଅନନ୍ତ ୭ଲକ୍ଷ ଟଙ୍କାର ଫଲ୍ସ ଚେକ୍ ଦେଇଥିଲେ ଓ ତାହା ବାଉନସ୍ ହୋଇଥିବା ତଦନ୍ତ କାରୀ ଅଧିକାରୀ ମାନେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି। ବିଭିନ୍ନ ସ୍ଥାନରେ ଶସ୍ତାରେ ଜମି ଓ ଚାକିରି କରାଇ ଦେବାକୁ କହି ସେ ଏଭଳି ଲକ୍ଷାଧିକ ଟଙ୍କା ଠକି ଥିବା ଅଭିଯୋଗ ରହିଥିବା ବେଳେ ତାଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ କରୁଛି।

The post ଚାକିରି କରାଇ ଦେବାକୁ କହି ୧୦ ଲକ୍ଷରୁ ଅଧିକ ଠକେଇ first appeared on Sambad.



from ଜିଲ୍ଲା – Sambad https://ift.tt/3hSkFUh