ବୁଗୁଡ଼ା : ବାର୍‌ହା ଫାଶରେ ପଡ଼ି ଦୀର୍ଘ ୩ ଘଣ୍ଟା ଛଟପଟ ହେଲା କଲରାପତରିଆ ବାଘ। ଯନ୍ତ୍ରଣାରେ ଗର୍ଜିଲା। ଶେଷରେ ବନ ବିଭାଗ ଗ୍ରାମବାସୀଙ୍କ ସହଯୋଗରେ ବହୁ କସରତ ପରେ ବାଘକୁ ନେଇ ଯନ୍ତା ଭିତରେ ପୂରାଇଦେଲେ। ଗତକାଲି ଏହି ଘଟଣା ହଇଚଇ ସୃଷ୍ଟି କରିଥିଲା। ତେବେ ପରବର୍ତ୍ତୀ ସମୟରେ ଶ୍ବାସରୁଦ୍ଧ ହୋଇ ଉଦ୍ଧାର ବାଘର ମୃତ୍ୟୁ ଘଟିଛି। ‌ ଫାଶରେ ଲାଗିଥିବା ତାରଖଣ୍ଡ ବାଘର ଛାତିରେ ସେମିତି ଗୁଡ଼ାଇ ହୋଇ ରହିଥିବାବେଳେ କାହିଁକି ଏହାକୁ ବାହାର କରାଗଲାନି, ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହି ଦାୟିତ୍ବହୀନତା ପାଇଁ ବନବିଭାଗକୁ ତୀବ୍ର ସମାଲୋଚନା କରାଯାଇଛି।

ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବନାଞ୍ଚଳ ମ‌ାଣିତରା ବିଟ୍‌ ଶଙ୍କରୁ ଗ୍ରାମ ବଡ଼ପଥର ପାହାଡ଼ରେ ବାର୍‌ହା ଶିକାର ପାଇଁ ବିଛାଯାଇଥିବା ଫାଶରେ ଏକ ବୃହତକାୟ ଅଣ୍ଡିରା କଲରାପତରିଆ ବାଘ ପଡ଼ିଥିଲା। ଗତକାଲି ସକାଳେ ଘଟଣା ସାମ୍ନାକୁ ଆସିବା ପରେ ବନ ବିଭାଗ ଗ୍ରାମବାସୀଙ୍କ ସହାୟତାରେ ବାଘକୁ ମାଡ଼ି ବସିଥିଲେ। ଏହି ସମୟରେ କୌଣସି ନିୟମ ପାଳନ ହୋଇନଥିଲା। ଏପରିକି ପାଟିତୁଣ୍ଡ ଓ ହୋହଲ୍ଲା ଭିତରେ ୩ ଘଣ୍ଟାରୁ ଅଧିକ ସମୟ ବିତିଗଲା। ଆଉ ବାଘ ଯନ୍ତା ଭିତରେ ସେମିତି ପଡ଼ିରହିଥିବା ବେଳେ ତା କଥା କେହି ଚିନ୍ତା କଲେନାହିଁ। ଘଣ୍ଟା ଘଣ୍ଟା ଧରି ଜାଲ ଓ ତାର ଗୁଡ଼ାଇ ହୋଇ ଯନ୍ତା ଭିତରେ ରହିବା ଫଳରେ ବାଘଟିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଅନ୍ୟପଟେ, ଯନ୍ତ୍ରଣାରେ ଛଟପଟ ହେବା ସହ ଭୋକଶୋଷ ଓ ଶ୍ବାସରୁଦ୍ଧ ହୋଇ ବାଘର ଜୀବନ ଯିବା କଥାକୁ ବନ ବିଭାଗ ସ୍ବୀକାର କରିଛି।

The post ଶ୍ବାସରୁଦ୍ଧ ହୋଇ କଲରାପତରିଆର ମୃତ୍ୟୁ first appeared on Sambad.



from ଜିଲ୍ଲା – Sambad https://ift.tt/39vTlZv