
ଗୋପ : ଗୋପ କୁଶଭଦ୍ରା ସେତୁ ଉପରୁ ଦୁଇ ଶିଶୁକୁ ଧରି ଆତ୍ମହତ୍ୟା ପାଇଁ ନଦୀକୁ ଡେଉଁବାକୁ ଉଦ୍ୟମ କରୁଥିବା ବେଳେ ମହିଳାଙ୍କୁ ଉଦ୍ଧାର କରିଛନ୍ତି କଲେଜ ଛାତ୍ରୀ। ଛାତ୍ରୀଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା ପାଇଛନ୍ତି ମାଆ ଓ ଦୁଇ ଶିଶୁ।
ସୂଚନା ମୁତାବକ, ଆଜି ଦିନ ୧୧ଟା ସମୟରେ ହଠାତ୍ ଜଣେ ମହିଳା ନିଜର ଚାରି ବର୍ଷର ପୁଅ ଓ ତିନି ମାସର ଝିଅକୁ ଧରି ଗୋପ କୁଶଭଦ୍ରା ସେତୁ ନିକଟରେ ବୁଲାବୁଲି କରିବା ସମୟରେ ଏହାକୁ କିଛି ଲୋକ ଦେଖିଥିଲେ। ହଠାତ୍ ମହିଳା ଜଣକ ସେତୁର ସୁରକ୍ଷା ବାଡ ଡେଇଁ ନଦୀ ଭିତରକୁ ଲମ୍ପ ଦେବାକୁ ଚେଷ୍ଟା କରୁଥିବା ସମୟରେ ଗୋପ କଲେଜର ଛାତ୍ରୀ ତଥା କୋଣାର୍କ ଥାନା ଅନ୍ତର୍ଗତ ତରକୋର ଗ୍ରାମର ଲିଜା ଦାସ ତୁରନ୍ତ ଉକ୍ତ ମହିଳାଙ୍କୁ ନିଜ କବଳକୁ ନେବା ସହିତ ତିନି ମାସର ଶିଶୁ କନ୍ୟାକୁ ତାଙ୍କ ହାତରୁ ଛଡାଇ ଆଣିଥିଲେ। ସେ ଚିତ୍କାର କରିବାରୁ ସେହି ବାଟ ଦେଇ ଯାଉଥିବା ଅନ୍ୟ ଲୋକମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ସମେତ ଦୁଇ ଶିଶୁଙ୍କୁ ସେତୁ ଉପରୁ ବଜାର ପାର୍ଶ୍ବକୁ ଆଣିଥିଲେ।
ପରେ ଜଣାପଡ଼ିଥିଲା ଯେ ସେ ହେଉଛନ୍ତି ନିଆଳି ଥାନା ଅନ୍ତର୍ଗତ ପନିମାଳ ଗ୍ରାମର ତପନ ମହାରଣାଙ୍କ ସ୍ତ୍ରୀ ପାର୍ବତୀ ମହାରଣା। ପାରିବାରିକ କଳହରୁ ସେ ଆତ୍ମହତ୍ୟା କରିବାକୁ ଆସିଥିବା ପାର୍ବତୀ କହିଥିଲେ। ତାଙ୍କ ସ୍ବାମୀ ସବୁ ସମୟରେ ତାଙ୍କୁ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ କରିଥିଲେ।
ସ୍ଥାନୀୟ ଲୋକେ ଏ ନେଇ ଗୋପ ଥାନାକୁ ଜଣାଇଥିଲେ। ଗୋପ ଥାନା ଏସ୍ଆଇ ଉପେନ୍ଦ୍ର ଦାସ ଘଟଣା ସ୍ଥଳରେ ପହଞ୍ଚି ସମ୍ପୃକ୍ତ ମହିଳାଙ୍କ ସମେତ ଦୁଇ ଶିଶୁଙ୍କୁ ଥାନାକୁ ନେଇ ତାଙ୍କ ପରିବାରକୁ ଖବର ଦେଇଥିଲେ। ଖବର ପାଇ ମହିଳାଙ୍କ ମାଆ ଓ ଭାଇ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ପରିବାର ଜିମାରେ ତିନି ଜଣଙ୍କୁ ଛାଡ଼ି ଦିଆଯାଇଥିବା ପୋଲିସ ସୂତ୍ରରୁ ପ୍ରକାଶ।
ଅନ୍ୟପକ୍ଷରେ ଗୋପ କଲେଜର ଏହି ଛାତ୍ରୀଙ୍କୁ ସମସ୍ତେ ପ୍ରଶଂସା ଓ ଶୁଭେଚ୍ଛା ଜଣାଇଛନ୍ତି। ଗୋପ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ କହିଛନ୍ତି ଯେ ଲିଜା ଆମ କଲେଜ ପାଇଁ ଗର୍ବ ଓ ଗୌରବ। ଗୋପ ଅଂଚଳର ବୁଦ୍ଧିଜୀବୀ ବିଭୁତି ଭୂଷଣ ପଟ୍ଟନାୟକ କହିଛନ୍ତି ଯେ ଏହିଭଳି ପିଲା ସମାଜ ନିମନ୍ତେ ଉଦାହରଣ। ଲିଜା ଆମ କଲେଜ ନିମନ୍ତେ ଗୌରବ ଆଣିଛନ୍ତି, ଆମେ ତାଙ୍କୁ ସମ୍ବର୍ଦ୍ଧିତ କରିବୁ ବୋଲି କହିଛନ୍ତି ଗୋପ କଲେଜ ଛାତ୍ର ନେତା ଦେବାଶିଷ ସାହୁ।
The post ଆତ୍ମହତ୍ୟା ଉଦ୍ୟମ କରୁଥିବା ମହିଳାଙ୍କୁ ବଞ୍ଚାଇଲେ ଛାତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3creAxi
0 Comments