
କାଳିଆପାଣି : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ନଗଡ଼ା ରାସ୍ତାରେ ଗତକାଲି ରାତିରେ ଗୁଳି ଫୁଟିଛି। ଏହି ଗୁଳିକାଣ୍ଡରେ ଜଣେ ଚାଷୀଙ୍କ ଜୀବନ ଯାଇଛି। ମୃତ ବ୍ୟକ୍ତି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ କୁନିନ୍ଦା ଗାଁର ଗୋବିନ୍ଦ ବେହେରା(୫୫)। ମୃତକଙ୍କ ପୁଅ ମାନସ ବେହେରାଙ୍କ ଏତଲାକୁ ଭିତ୍ତି କରି ୩୦୨ ଦଫାରେ ମାମଲା ରୁଜୁ ହୋଇଛି।
କୁନିନ୍ଦା ଗାଁର ସ୍ବର୍ଗତ ଭାଗବତ ବେହେରାଙ୍କ ପୁଅ ଗୋବିନ୍ଦଙ୍କର ପଣ୍ଡା (ଅଣ୍ଡିରା ମଇଁଷି) ହଜିଥିଲା। ପଣ୍ଡା ଖୋଜିବା ସହ ଆଉ ହଳେ ପଣ୍ଡା କିଣିବା ପାଇଁ ଗୋବିନ୍ଦ ଗତକାଲି ଘରୁ ବାହାରିଥିଲେ। ଦୁଇ ସହଯୋଗୀ ନିଜ ଗାଁର ଚହଲି ସେଠୀ ଓ ଚଗଲି ଦାସଙ୍କ ସହ ବସ୍ରେ ଆସି ସଂଧ୍ୟାରେ କଲରଙ୍ଗିଅତ୍ତା ଏଟିଏମ୍ ଛକ ଟାକ୍ସି ଷ୍ଟାଣ୍ଡରେ ଓହ୍ଲାଇଥିଲେ। ଏଠାରୁ ତିନିହେଁ ଚାଲିଚାଲି ଦେଓଗାଁ ଆଡ଼କୁ ଯାଇଥିଲେ। କିନ୍ତୁ ପଣ୍ଡା ମିଳିନଥିଲା। ରାତି ପ୍ରାୟ ୧୦ଟା ବେଳକୁ ସେମାନେ ନିରାଶ ହୋଇ ଫେରିବା ବାଟରେ ନଗଡ଼ା-ଅରଡ଼ାପାଳ ରାସ୍ତାର ମଧ୍ୟବର୍ତ୍ତୀ ସ୍ଥାନରେ ୪ ଜଣ ଶିକାରୀଙ୍କ ସହ ସେମାନଙ୍କର ଭେଟ ହୋଇଥିଲା। ଅଭିଯୁକ୍ତ ଯୁବକମାନେ ତାଙ୍କଠାରୁ ୩୦ ହଜାର ଟଙ୍କା ଛଡ଼ାଇ ନେଇଥିଲେ। ଗୋବିନ୍ଦ ପ୍ରତିବାଦ କରିବାରୁ ଜଣେ ଯୁବକ ଦେଶୀବନ୍ଧୁକରୁ ତାଙ୍କୁ ଗୁଳି କରିଥିଲା। ଗୁଳିଟି ତାଙ୍କ ପେଟରେ ରହିଯାଇଥିଲା। ଦୁଇ ସହଯୋଗୀ ଗାଁରୁ ଏକ ବୋଲେରୋ ମଗାଇ ଗୋବିନ୍ଦଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପ୍ରଥମେ ଭୁବନ ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଆଜି ୪ ଟାବେଳେ ମାନସ ଥାନାରେ ପହଞ୍ଚି ବାପାଙ୍କ ମୃତ୍ୟୁ ସଂପର୍କରେ ଅଭିଯୋଗ କରିଥିଲେ।
The post ନଗଡ଼ା ରାସ୍ତାରେ ଗୁଳି ଫୁଟିଲା : ଚାଷୀଙ୍କ ମୃତ୍ୟୁ, ୩୦ ହଜାର ଲୁଟ୍ first appeared on Sambad.
from ଜିଲ୍ଲା – Sambad https://ift.tt/39eNRRt
0 Comments