
ଝାରସୁଗୁଡ଼ା: ବହୁ ପ୍ରତୀକ୍ଷିତ ମୁମ୍ବାଇ- ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ ସେବା ଆଉ କିଛି ଘଣ୍ଟା ପରେ ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସମସ୍ତ ପ୍ରକାର ବ୍ୟବସ୍ଥା ସଂପୂର୍ଣ୍ଣ ହୋଇଛି। ମଙ୍ଗଳବାର ଦିନ ସାଢ଼େ ୧୨ ଟାରେ ମୁମ୍ବାଇ ଠାରୁ ବୋଇଂ ୭୩୭ ବିମାନ ଆସି ଏଠାରେ ଅବତରଣ କରିବ ଓ ୧ ଟାରେ ପୁଣି ବେଙ୍ଗାଲୁରୁ ଅଭିମୁଖେ ଉଡ଼ାଣ କରିବ।
ଠିକ୍ ସେହିପରି ବେଙ୍ଗାଲୁରୁ ଠାରୁ ଆସି ଝାରସୁଗୁଡ଼ା ଠାରେ ସନ୍ଧ୍ୟା ୫ ଟା ୪୦ରେ ପହଞ୍ଚି ୬ ଟା ୧୦ରେ ମୁମ୍ବାଇ ଅଭିମୁଖେ ଉଡ଼ାଣ କରିବ। ଏହି ନୂଆ ସେକ୍ଟରରେ ବିମାନ ଚଳାଚଳକୁ ନେଇ ସାର ପଶ୍ଚିମ ଓଡ଼ିଶାରେ ଆନନ୍ଦ ପ୍ରକାଶ ପାଇଛି। ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି ଯେ, ମୁମ୍ବାଇରୁ ଆସି ଏଠାରେ ପହଞ୍ଚିବା ପରେ ଏହି ବୋଇଂକୁ ୱାଟର ସ୍ୟାଲୁଟ୍ ଦିଆଯିବା ସହିତ ଆସୁଥିବା ଓ ଯାଉଥିବା ଯାତ୍ରୀ ମାନଙ୍କୁ ଗୋଲପ ଫୁଲ ଓ ଚକଲେଟ୍ ଉପହାର ପ୍ରଦାନ କରାଯିବ।
ପ୍ରଥମ ଦିନ ପାଇଁ ଏହି ବିମାନରେ ଯାତ୍ରା କରିବା ପାଇଁ ବେଙ୍ଗାଲୁରୁକୁ ୮୦ ପ୍ରତିଶତ ଓ ମୁମ୍ବାଇକୁ ୫୦ ପ୍ରତିଶତ ଯାତ୍ରୀ ଟକେଟ୍ ବୁକ୍ କରିଥିବା ସଂପର୍କରେ ଶ୍ରୀ ସେନାପତି କହିଥିବା ବେଳେ ସମୟ ଥିବାରୁ ଆହୁରି ଅଧିକ ସଂଖ୍ୟାରେ ଟିକେଟ୍ ବୁକିଂର ଆଶା ରହିଛି ବୋଲି କହିଛନ୍ତି। ଆଜି ବିମାନ ବନ୍ଦରରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ବରଗଡ଼ ସାଂସଦ ସୁରେଶ ପୂଜାରୀ ତଥା ୪ ଜଣ ବିଧାୟକଙ୍କ ସମେତ ବିଭିନ୍ନ କର୍ପୋରେଟ୍ ହାଉସ୍ର ଅଧିକାରୀ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
The post ଝାରସୁଗୁଡ଼ା: ଆଜିଠୁ ଉଡ଼ିବ ମୁମ୍ବାଇ-ଝାରସୁଗୁଡ଼ା- ବେଙ୍ଗାଲୁରୁ ବିମାନ first appeared on Sambad.
from ଜିଲ୍ଲା – Sambad https://ift.tt/3oBBDJh
0 Comments