କଟକ: କଟକ ସହର ଓ ଏହାର ଆଖପାଖ ଅଞ୍ଚଳରେ ଗତ କିଛିମାସ ଭିତରେ ବହୁସଂଖ୍ୟକ ନକଲି କାରଖାନା ଠାବ କରାଯାଇଛି। କେତେକ କାରଖାନାରେ ଛାପ ମରାଯିବା ପରେ ସହରର ଗଳିକନ୍ଦିରେ ଲୁଚାଛପାରେ ଚାଲିଥିବା ନକଲି ଓ ଅପମିଶ୍ରିତ କାରଖାନର ଠିକଣା ଦେବାକୁ ପ୍ରଶାସନ ତରଫରୁ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଗଲା। ଏଥିପାଇଁ ସିଏମସି ତରଫରୁ ଏକ ଟେଲିଫୋନ୍‌ ନମ୍ବର ସାଧାରଣ ଜନତାଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରିବାକୁ ଯୋଜନା ହୋଇଥିଲା। ମାତ୍ର ଏହା ମଧ୍ୟରେ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ବି ନିଗମ ପକ୍ଷରୁ ଏ ଦିଗରେ କୌଣସି ଉଦ୍ୟମ ହୋଇ ନାହିଁ। ପ୍ରଶାସନର ଯୋଜନା କେବଳ ଯୋଜନା ମଧ୍ୟରେ ହିଁ ରହିଗଲା।
ସିଏମ୍‌ସିର ଜଗତପୁର ଓ ମାଲଗୋଦାମ ଅଞ୍ଚଳ ସହିତ ସହରର ଆଖପାଖ ଅଞ୍ଚଳରେ ଗତ ଅଢ଼େଇମାସ ମଧ୍ୟରେ ଚଢ଼ାଉ କରାଯାଇ ୧୮ରୁ ଅଧିକ ନକଲି ଓ ଅପମିଶ୍ରିତ ଖାଦ୍ୟ ସମାଗ୍ରୀ ପ୍ରସ୍ତୁତକାରୀ କାରଖାନା ଠାବ କରାଯାଇଛି। ସହର ଓ ଏହାର ଆଖପାଖରେ ଲୁଚାଛପାରେ ଚାଲିଥିବା ନକଲି ଓ ଅପମିଶ୍ରିତ କାରଖାନାର ସୂଚନା ଦେବାକୁ ପ୍ରଶାସନ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଥିଲା।

ଏଥିପାଇଁ ସିଏମସି ପକ୍ଷରୁ ଏକ ଟେଲିଫୋନ୍‌ ନମ୍ବର ଖୁବ ଶୀଘ୍ର ଜାରି କରାଯିବ ବୋଲି ଯୋଜନା ହୋଇଥିଲା। ଗତମାସ ୨ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଚସ୍ତରୀୟ ଅଧିକାରୀଙ୍କୁ ନେଇ ଆୟୋଜିତ ହୋଇଥିବା ଏକ ବୈଠକରେ ଏହା ସ୍ଥିର ହୋଇଥିଲା। ଏଥିରେ ୧୦ଟି ସ୍କ୍ବାଡ୍‌ ମଧ୍ୟ ଗଠନ କରାଯାଇଥିଲା। ସେଥିମଧ୍ୟରୁ ୪ଟି ସିଏମ୍‌ସିରେ ଓ ୬ଟି ଜିଲ୍ଲାର ଗ୍ରାମାଞ୍ଚଳରେ ଚଢ଼ାଉ କରିବାକୁ କୁହାଯାଇଥିଲା। ସହରର ସ୍ଥାନୀୟ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସମାଜସେବୀଙ୍କଠାରୁ ସାଧାରଣ ଲୋକେ ସେମାନଙ୍କ ଅଞ୍ଚ‌ଳରେ ଚାଲୁଥିବା ନକଲି ଓ ଅପମିଶ୍ରିତ କାରଖାନା ସମ୍ପର୍କରେ ସୂଚନା ସିଏମ୍‌ସି ପକ୍ଷରୁ ଦିଆଯାଇଥିବା ଟେଲିଫୋନ ନମ୍ବରରେ ଦେବାକୁ ଏଥିରେ ନିବେଦନ କରାଯାଇଥିଲା। ଏହା ମଧ୍ୟରେ ଏକମାସରୁ ଅଧିକ ସମୟ ବିତିଯାଇଥିଲେ ବି ସିଏମ୍‌ସି ପକ୍ଷରୁ ସାଧାରଣ ଲୋକଙ୍କ ପାଇଁ ଟେଲିଫୋନ୍‌ ନମ୍ବର ଆସି ପାରିଲା ନାହିଁ। ଏହା ନକଲି କାରଖାନା ଚଢ଼ାଉରେ ନିଗମର ଉଦାସୀନତାକୁ ଦର୍ଶାଉଥିବା ସାଧାରଣରେ ଅଭିଯୋଗ ହୋଇଛି। ସିଏମସି ପକ୍ଷରୁ ନକଲି କାରଖାନା ବିଷୟରେ ସୂଚନା ଦେବାକୁ ଖୁବଶୀଘ୍ର ଏକ ଫୋନ୍‌ ନମ୍ବର ସାଧାରଣ ଲୋକଙ୍କ ପାଇଁ ପ୍ରକାଶ ପାଇବ ବୋଲି ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର କହିଛନ୍ତି। କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ପରେ ଏହା କରାଯିବ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

The post ସହରରେ ନକଲି କାରଖାନା ଠାବ ପ୍ରସଙ୍ଗ; ସୂଚନା ପାଇଁ ଟେଲିଫୋନ୍‌ ନମ୍ବର ଦେବାକୁ ଭୁଲିଗଲା ସିଏମ୍‌ସି first appeared on Sambad.



from ଜିଲ୍ଲା – Sambad https://ift.tt/3qmVWKM