କଟକ: ଦୃଢ଼ ଇଚ୍ଛାଶକ୍ତି ହିଁ ମଣି‌ଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ଏହାର ସଦ୍ୟ ଉଦାହରଣ ପାଲଟିଛନ୍ତି ଯୋବ୍ରାର ଅଜହର୍‌ ଅଲ୍ଲି। କରୋନା ଲକ୍‌ଡାଉନରେ ଚାକିରି ହରାଇ ୯ ମାସ ଘରେ ରହିବା ‌ପରେ ବି ଭାଙ୍ଗି ନ ପଡ଼ି ରୋଜଗାରର ବାଟ ବାହାର କରିଛନ୍ତି ଅଜହର୍‌। ପେସାରେ ଜଣେ ସେଫ୍ ବା କୁକ୍‌ ହୋଇଥିବାରୁ ଆରମ୍ଭ କରିଛନ୍ତି ନିଜର ଏକ ଫୁଡ୍‌ କୋର୍ଟ। ୯ ବର୍ଷର ଚାକିରି କରୋନା ଯୋଗୁଁ ହରାଇଥିବାର ଦୁଃଖକୁ ଦୂରେଇବା ସହ ଅନ୍ୟ ଦୁଇଜଣଙ୍କୁ ବିରୋଜଗାର ଦେଇଛନ୍ତି।

ଯୋବ୍ରାର ସେକ୍‌ ଅସଦ୍‌ ଅଲ୍ଲି ଓ ରାନୁ ଫିରଦୋଶଙ୍କ ପୁଅ ଅଜହର୍‌ ଅଲ୍ଲି। ବୟସ ୨୮ ବର୍ଷ। ପେସାରେ ଜଣେ ସେଫ୍‌। ବିଜୁ ପଟ୍ଟନାୟକ କଲେଜ ଅଫ୍‌ ହୋଟେଲ ମ୍ୟାଜେମେଣ୍ଟରେ ସ୍ନାତ୍ତ‌େକାତ୍ତରର ଶିକ୍ଷା ସମାପ୍ତ କରିଛନ୍ତି। ୨୦୧୧ ମସିହାରୁ ପ୍ରଥମେ ସାଉଦି ଆରବ ଓ ପରେ କେରଳ, ହାଇଦ୍ରାବାଦ୍‌, କଲିକତାର ହୋଟେଲମାନଙ୍କରେ ସେଫ୍‌ ଭାବେ କାମ କରିଥିବା ଅଜହର୍‌ଙ୍କ ଚାକିରି ଛଡ଼ାଇ ନେଇଥିଲା ଲକ୍‌ଡାଉନ୍‌।

Sambad

୯ ମାସ ଘରେ ବସି ରହିବା ପରେ ଭାଙ୍ଗିପଡ଼ିବା ବଦଳରେ ନିଜ ପାଇଁ ରୋଜଗାରର ବାଟ ବାହାର କରିଛନ୍ତି ସେ। ଲକ୍‌ଡାଉନ୍‌ ସମୟରେ ଘରେ ବସି ଫୁଡ୍‌ କୋର୍ଟ ପାଇଁ ସମସ୍ତ ପ୍ରସ୍ତୁତି କରି ଲକ୍‌ଡାଉନ୍‌ ପରେ ଏହାକୁ କାର୍ଯ୍ୟକାରୀ କରାଇଛନ୍ତି।

ଆଜିକୁ ମାସେ ହେବ ମହାନଦୀବିହାର ଅଞ୍ଚଳରେ ଆରମ୍ଭ କରିଥିବା ‘ଲଜିଜ୍‌’ ନାମକ ଏକ ଫୁଡ୍‌ କୋର୍ଟରେ ନିଜେ ବିଭିନ୍ନ ପ୍ରକାରର ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରି ଗ୍ରାହକଙ୍କୁ ପରସିବା ସହ ଭଲ ଦୁଇପଇସା ରୋଜଗାର କରୁଛନ୍ତି। କେବଳ ସେ ଏକା ରୋଜଗାର କରୁନାହନ୍ତି, ଫୁଡ୍‌ କୋର୍ଟ ଆରମ୍ଭ ହେବାର କିଛିଦିନ ପରେ ତାଙ୍କ ଭାଇ ଜାହିଦ୍‌ ଅଲ୍ଲି ଓ ସାଙ୍ଗ ରାଜେଶ ସେଠୀ ବି ଏଥିରେ ସାମିଲ ହୋଇଛନ୍ତି। କରୋନା କାଳରେ ସେ ଦୁଇଜଣ ବି ଚାକିରି ହରାଇଥିଲେ। ଚାକିରି ଅପେକ୍ଷା ଏହି କାମ ଅଧିକ ଶାନ୍ତି ‌ଓ ଭଲ ରୋଜଗାର ଦେଉଥିବା ପ୍ରକାଶ କରିଛନ୍ତି ସେମାନେ। ତିନିଜଣ ଦେଶ ଓ ବିଦେଶରେ ଥିବା ହୋଟେଲରେ କାମ କରିବା ବଦଳରେ ଏବେ ସହରବାସୀଙ୍କୁ ଖୁଆଉଛନ୍ତି ଭଳି କି ଭଳି ସୁଆଦିଆ ଖାଦ୍ୟ। ଯୁବପିଢ଼ିଙ୍କୁ ବେଶ ଆକର୍ଷିତ କରିଛି ଏହି ଖାଦ୍ୟ।

The post କରୋନା ଛଡ଼ାଇନେଲା ବୃତ୍ତି; ବିକଳ୍ପ ବାଛିନେଲେ ଦୁଇଭାଇ; ଫୁଡ୍‌କୋର୍ଟ ପାଲଟିଛି ରୋଜଗାରର ମାଧ୍ୟମ first appeared on Sambad.



from ଜିଲ୍ଲା – Sambad https://ift.tt/3qPkSe4