
କଟକ: ସହରର ୭୦ ଭାଗ ବର୍ଜ୍ୟଜଳ ଓ ବର୍ଷା ପାଣି ନିଷ୍କାସନ ଏମ୍ଏସ୍ଡବ୍ଲୁ-୧ ଡ୍ରେନ ମାଧ୍ୟମରେ ହୋଇଥାଏ। ୨୦୧୩ ମସିହାରୁ ଉକ୍ତ ଡ୍ରେନକୁ ବକ୍ସ ଡ୍ରେନରେ ପରିଣତ କରିବାକୁ କାମ ଆରମ୍ଭ ହେଲା। ୪ କିଲୋମିଟର ଖୋଲା ବଡ଼ନାଳକୁ ବକ୍ସ ଡ୍ରେନ ପାଇଁ ୩ ବର୍ଷର ସମୟ ଧାର୍ଯ୍ୟ ରହିଥିଲା। ମାତ୍ର ଏବେ ୭ ବର୍ଷରୁ ଅଧିକ ବର୍ଷ ବିତି ଯାଇଥିଲେ ବି କେବଳ ୨୦ ପ୍ରତିଶତ କାମ ଶେଷ ହୋଇଛି। ଅନ୍ୟପଟେ କାମ ପାଇଁ ବାରମ୍ବାର ଟେଣ୍ଡର ଡକାଯାଇ ଏହାକୁ ବାତିଲ କରାଯାଉଛି। ଏଭଳି ସ୍ଥିତିରେ ପ୍ରକଳ୍ପକୁ ନେଇ ଆଶଙ୍କା ଦେଖାଯାଇଛି।
ମହାନଗର ନିଗମର ଚହଟାରୁ ଆରମ୍ଭ ହୋଇ ମତ୍ତଗଜପୁର ପର୍ଯ୍ୟନ୍ତ ୧୨ କିଲୋମିଟରରୁ ଅଧିକ ବାଟ ଯାଇଥିବା ଏମ୍ଏସ୍ଡବ୍ଲୁ-୧ ଡ୍ରେନ ଦେଇ ସହରର ୭୦ ଭାଗ ବର୍ଜ୍ୟପାଣି ଓ ବର୍ଷାଜଳ ଯାଇଥାଏ।
ଡ୍ରେନର ବକ୍ସିବଜାର ଉର୍ଦ୍ଦୁ ଲାଇବ୍ରେରିରୁ ମାତୃଭବନ ପର୍ଯ୍ୟନ୍ତ ୪ କିଲୋମିଟର ନାଳକୁ କଂକ୍ରିଟ ବକ୍ସ୍ଡ୍ରେନରେ ପରିଣତ କରିବାକୁ ଯୋଜନା ହୋଇଛି। ୨୦୧୩ରେ ଅତ୍ୟାଧୁନିକ ଶୈଳିରେ କଂକ୍ରିଟ୍ ବକ୍ସ ଡ୍ରେନ୍ କାମ ଆରମ୍ଭ ହେଲା। ଏଥିରେ ବଡ଼ନାଳରୁ ବାହାରୁଥିବା ଦୁର୍ଗନ୍ଧରୁ ଲୋକେ ତ୍ରାହି ପାଇବେ, ଡ୍ରେନ ମଧ୍ୟକୁ ଆବର୍ଜନା ପଶିବ ନାହିଁ, ବକ୍ସ ଡ୍ରେନକୁ ରାସ୍ତା ଭାବେ ବ୍ୟବହାର କରିବା ସହିତ ସହର ମଧ୍ୟରେ କିଛି ଅଂଶରେ ଟ୍ରାଫିକ ସମସ୍ୟା ହ୍ରାସ୍ ପାଇବ ବୋଲି ଆଶା କରାଗଲା। ୪ କିଲୋମିଟର ଖୋଲା ନାଳକୁ ବକ୍ସ୍ ଡ୍ରେନ କରିବାକୁ ୩ ବର୍ଷ ସମୟ ଦିଆଗଲା। ମାତ୍ର ଏହା ମଧ୍ୟରେ ୭ବର୍ଷରୁ ଅଧିକ ବିତି ଯାଇଥିଲେ ବି କେବଳ ୨୦ ପ୍ରତିଶତ କାମ ହୋଇଛି। ଘରୋଇ କମ୍ପାନି ତାନ୍ତିଆ ଓ ଭୋଲଟାସ୍ ଦ୍ବାରା କାମ ଆରମ୍ଭ କରାଗଲା। ମାତ୍ର କାର୍ଯ୍ୟରେ ମାତ୍ରାଧିକ ମନ୍ଥରତା ଯୋଗୁଁ ଦୁଇଟି ସଂସ୍ଥା ହାତରୁ ୨ବର୍ଷ ତଳୁ କାମ କାଢି ନିଆଗଲା। ପରେ କାମ ପାଇଁ ସାନି ଗ୍ଲୋବାଲ୍ ଟେଣ୍ଡର ଡକାଗଲା।
ଏଥିରେ ଟେଣ୍ଡର ପାଇଥିବା କମ୍ପାନି ଅଧିକ ବ୍ୟୟବରାଦ ଦେଖାଇବାରୁ ତାହାକୁ ମଧ୍ୟ ବାତିଲ କରାଗଲା। ପ୍ରାୟ ଦେଢ଼ବର୍ଷ ପରେ ଏବେ ଆଉଥିରେ ଟେଣ୍ଡର ହୋଇଥିବାବେଳେ ଏଥିରେ ତିନିଟି ସଂସ୍ଥା ଭାଗ ନେଇଛନ୍ତି। ସଂସ୍ଥାଗୁଡିକ କାମ ପାଇଁ କେଉଁ ପ୍ରକାର ଅତ୍ୟାଧୁନିକ କୌଶଳ ବ୍ୟବହାର କରିବେ ଏହାକୁ ନେଇ ତଥ୍ୟ ମଗାଯାଇଛି। ଅନ୍ୟପଟେ ଡ୍ରେନ୍ ନିକଟରେ ଲୋକଙ୍କ ଘର ଥିବାରୁ କାମ କରିବାରେ ନାନା ସମସ୍ୟା ହେଉଛି। ଏପରିକି କାମ ସମୟରେ ଲୋକଙ୍କ ଘର ଦବିବା ଓ କାନ୍ଥ ଫାଟିବା ପରି ଅନେକ ଅଭିଯୋଗ ଆସୁଛି। ଏଥିପାଇଁ ବୈଷୟିକ ଜ୍ଞାନ କୌଶଳ ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। ବିଭିନ୍ନ ସମୟରେ ଟେଣ୍ଡର କରାଯାଇ କାମ କରିବାକୁ ଯୋଜନା ହେଉଥିଲେ ବି ଏହା ବିଫଳ ହେଉଛି। ଆସନ୍ତା ୨୫ ତାରିଖରେ ପ୍ରଥମେ ଟେକ୍ନିକାଲ ବିଡ୍ ଓ ପରେ ଆର୍ଥିକ ବିଡ୍ ଖୋଲାଯିବ। ଯେଉଁ ସଂସ୍ଥା ସଠିକ ଭାବେ କାମ କରିବାକୁ ଯୋଜନା ରଖିଥିବ ତାକୁ କାମ ଦିଆଯିବ ବୋଲି ଜାଇକା ପ୍ରେଜେକ୍ଟ ଇଂଜିନିୟର ବିକ୍ରମ ମିଶ୍ର ସୂଚନା ଦେଇଛନ୍ତି।
The post କେବେ ସରିବ ସିଏମ୍ସି ବକ୍ସ ଡ୍ରେନ୍? ୭ ବର୍ଷରେ ସରିଛି ମାତ୍ର ୨୦ ପ୍ରତିଶତ first appeared on Sambad.
from ଜିଲ୍ଲା – Sambad https://ift.tt/3pUppvy
0 Comments