ଚିତ୍ରଡ଼ା : ଜଣେ ମା’ ନିଜ ସଦ୍ୟଜାତ ଶିଶୁକନ୍ୟାକୁ ଜଙ୍ଗଲରେ ଫିଙ୍ଗି ଦେଇଚାଲିଗଲା। ଆଉ ଜଣେ ମା’ ସେ ପିଲାକୁ ନିଜର କରିବାକୁ ଏବେ ପ୍ରଶାସନ ସହ ଏକାକି ଲଢ଼ୁଛି। ୬ ମାସ ହେଲା ନିଜ ବାତ୍ସଲ୍ୟ ମମତା ଦେଇ ପିଲାଟିକୁ ଲାଳନପାଳନ କରିଥିବା ମା’ କୌଣସି ପରିସ୍ଥିତିରେ ପିଲାଟିକୁ ପ୍ରଶାସନକୁ ହସ୍ତାନ୍ତର କରିବାକୁ ରାଜି ନୁହେଁ। ଏମିତି ଏକ ଘଟଣାକୁ ନେଇ ଏବେ ସାରା ମୟୂରଭଞ୍ଜ ଜିଲ୍ଲାରେ ଚର୍ଚ୍ଚା।

ସୂଚନାଯୋଗ୍ୟ; ଗତ ବର୍ଷ ଅଗଷ୍ଟ ମାସରେ ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ୍‌ ଅଧୀନ ଚିକିଟାମାଟିଆ ପଞ୍ଚାୟତ ଭାଲୁକଚୁଆ ଗ୍ରାମର ଚିନା ହେମ୍ବ୍ରମ ଗାଁ ନିକଟସ୍ଥ ଫୁଲଝରୀ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ଏକ ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରି ଘରକୁ ଆଣିଥିଲେ। ଚିନା ଓ ତାଙ୍କ ପତ୍ନୀଙ୍କର ପୂର୍ବରୁ ୨ଟି ପୁଅ ଥିଲେ। ହେଲେ ଝିଅ ନଥିବାରୁ ଏହି ଶିଶୁକନ୍ୟାଟିକୁ ପାଇ ଆତ୍ମବିଭୋର ହୋଇ ପଡ଼ିଥିଲେ ସ୍ବାମୀ-ସ୍ତ୍ରୀ। ସେତେ‌ବେଳେ ଏ ନେଇ ପ୍ରଶାସନ ଅବଗତ ଥିଲା। ହେଲେ ଶିଶୁଟିକୁ ଉଦ୍ଧାର କରାଯାଇ ପାରିନଥିଲା। ଘଟଣାକୁ ୬ମାସ ବିତିଲାଣି। ଆଉ ଏବେ ଶିଶୁଟିକୁ ଉଦ୍ଧାର କରିବାକୁ ଆଗ୍ରହ ଦେଖାଇଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌। ହେଲେ ୬ ମାସ ହେଲା ବାତ୍ସଲ୍ୟ ମମତା ଦେଇ ପିଲାଟିକୁ ପାଳିଥିବା ବାପା, ମା’ ଶିଶୁକନ୍ୟାକୁ ଛାଡ଼ିବାକୁ ନାରାଜ। ପ୍ରଶାସନ ‌ଯେତେ ବୁଝାଇଲେ ବି ସେମାନେ ନିଜ ଜିଦ୍ଦିରେ ଅଟଳ ଅଛନ୍ତି। ଆଜି ଶିଶୁଟିକୁ ଉଦ୍ଧାର କରିବାକୁ ପ୍ରଶାସନ ସହ ୧ ପ୍ଲାଟୁନ୍‌ ପୁଲିସ ଫୋର୍ସ ଗାଁରେ ପହଞ୍ଚିଥିଲା। ହେଲେ ଶିଶୁଟିକୁ ନେଇ ଚିନାଙ୍କ ସ୍ତ୍ରୀ କେଉଁଆଡ଼େ ଚାଲିଯାଇଛନ୍ତି। ଏହାକୁ ନେଇ ହରଡ଼ଘଣାରେ ପଡ଼ିଛି ପ୍ରଶାସନ।

The post ପାଳିତା କନ୍ୟା ପାଇଁ ପ୍ରଶାସନ ସହ ଲଢ଼ିଲା ମା’ first appeared on Sambad.



from ଜିଲ୍ଲା – Sambad https://ift.tt/3tLZDwe