ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ନାମ ଦଣ୍ଡପାଣି ବିଶ୍ବାଳ(୫୫) ବୋଲି ଜଣାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ ଉପୁଜିଛି।

ମିଳିଥିବା ସୂଚନା ଅନୁଯାୟୀ, ରମ୍ଭା ଥାନା ଅନ୍ତର୍ଗତ ହୁମା ଫାଣ୍ଡିର ବଡ଼ସାହି ଗ୍ରାମର ଦଣ୍ଡପାଣି ବିଶ୍ବାଳ ଗତକାଲି ରାତିରେ ଶୌଚ ହେବାକୁ ବାହାରକୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରି ନ ଥିଲେ। ରାତିରେ ଘରଲୋକେ ବହୁ ଖୋଜାଖୋଜି ପରେ ବି ନିରାଶ ହୋଇଥିଲେ। ହେଲେ ଆଜି ସକାଳେ ହୁମା ଗାଁ ଦାଣ୍ଡରେ ଦଣ୍ଡପାଣିଙ୍କ ମୃତଦେହ ଠାବ କରାଯାଇଥିଲା। ଗାଁ ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ଦଣ୍ଡପାଣିଙ୍କୁ କେହି ପିଟିପିଟି ହତ୍ୟା କରିଥିବାର ସନ୍ଦେହ ଉପୁଜିଛି।  ତାଙ୍କ ମୃତଦେହ ପାଖରେ କାଠଫାଳିଆ ଓ ଇଟା ପଡ଼ିଥିବାର ଦେଖିବାକୁ ମିଳିଛି।

ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ଡାକ୍ତରଖାନାକୁ ପଠାଇଛି। ଏନେଇ ଏକ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ରମ୍ଭା ଥାନା ଅଧିକାରୀ ସୂଚନା ଦେଇଛନ୍ତି। ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।

The post ରମ୍ଭା ଥାନା ଅଞ୍ଚଳରୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ପିଟିପିଟି ହତ୍ୟା ସନ୍ଦେହ   first appeared on Sambad.



from ଜିଲ୍ଲା – Sambad https://ift.tt/3dWLhDt