
ବ୍ରହ୍ମପୁର : ଧାନ କିଣାକୁ ନେଇ ସମଗ୍ର ରାଜ୍ୟରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏହି ପ୍ରସଙ୍ଗରେ ବିଧାନସଭା ବି ହୁଲସ୍ତୁଲ। ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କିଣା ସାରିବାକୁ ନିର୍ଦ୍ଦେଶ ରହିଛି। ସରକାର ହାତରେ ମାତ୍ର ୧ ମାସରୁ ଅଧିକ କିଛି ଦିନ ସମୟ ରହିଛି। ଗଞ୍ଜାମ ଜିଲ୍ଲାର ୬୦ ହଜାର ୯୭୪ ଜଣ ଚାଷୀଙ୍କ ଠାରୁ ଧାନ କିଣିବାକୁ ବାକି ଥିବା ବେଳେ ୫୭ହଜାର ୫୬୦ ଜଣ ଚାଷୀଙ୍କ ଟୋକନ୍ ଆସି ସାରିଛି। ଚାଷୀ ଧାନ ଅମଳ କରି ଶୀତକାକରରେ ଖଳାରେ ଧାନକୁ ଜଗି ରହିଛି। ଜିଲ୍ଲାକୁ ଟାର୍ଗେଟ୍ ମିଳିନାହିଁ। ଟାର୍ଗେଟ ମିଳୁନଥିବା ଯୋଗୁଁ ଚାଷୀଙ୍କ ଠାରୁ ଧାନ କିଣା ହୋଇପାରୁନି। ଜିଲ୍ଲା ପ୍ରଶାସନ ଟାର୍ଗେଟ୍ ଲାଗି ରାଜ୍ୟ ସରକାରଙ୍କ ନିକଟରେ ବାରମ୍ବାର ହାତପାତିଲେ ବି ପର୍ଯ୍ୟାପ୍ତ ଟାର୍ଗେଟ୍ ମିଳୁନାହିଁ। ଧାନ କିଣା ନହୋଇ ପାରିବା ଫଳରେ ଚାଷୀ ବାଧ୍ୟ ହୋଇ ବ୍ୟବସାୟୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରୁଛି। ଗଞ୍ଜାମ ଜିଲ୍ଲାରେ ଧାନର ଅଭାବୀ ବିକ୍ରି ସୃଷ୍ଟି ହୋଇଛି। ଏହାକୁ ନେଇ ଚାଷୀ ମହଲରେ ଚାପା ଉତ୍ତେଜନା ଦେଖାଦେବା ସହ କେତେକ ସ୍ଥାନରେ ଆନ୍ଦୋଳନ ଦାନା ବାନ୍ଧିଛି। ଏଭଳି ସ୍ଥିତିରେ ଚାଷୀଙ୍କ ପାଇଁ ଡିଣ୍ଡମ ପିଟୁଥିବା ଜିଲ୍ଲାର ଚାଷୀ ସଂଗଠନ ଗୁଡ଼ିକ ମୁହଁରେ ତୁଣ୍ଡବାନ୍ଧି ବସିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାରେ ଚଳିତ ବର୍ଷ ୧ଲକ୍ଷ ୩୯ହଜାର ୬୪୮ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି। ଜିଲ୍ଲାକୁ ୬ଟି ପର୍ଯ୍ୟାୟରେ ପ୍ରାୟ ୩୮ଲକ୍ଷ କ୍ବିଣ୍ଟାଲ୍ ଧାନ ସଂଗ୍ରହ ଲାଗି ଟାର୍ଗେଟ୍ ମିଳିଥିଲା। ଗତ ଦୁଇ ଦିନ ପୂର୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ୭ଲକ୍ଷ କୁଇଣ୍ଟାଲ ଧାନ ସଂଗ୍ରହ ଲାଗି ଟାର୍ଗେଟ ମଗାଯାଇଥିଲା। ଏଥିରୁ ମାତ୍ର ୧ଲକ୍ଷ କ୍ବିଣ୍ଟାଲ୍ ଅତିରିକ୍ତ ଟାର୍ଗେଟ୍ ମିଳିଛି। ଜିଲ୍ଲାକୁ ଆଜି ସୁଦ୍ଧା ସମୁଦାୟ ୩୯ଲକ୍ଷ କ୍ବିଣ୍ଟାଲ୍ ଧାନ ସଂଗହ ଲାଗି ଟାର୍ଗେଟ୍ ମିଳିଛି। ଏଥିମଧ୍ୟରୁ ଆଜି ସୁଦ୍ଧା ଜିଲ୍ଲାରେ ୭୬,୧୧୮ ଚାଷୀଙ୍କ ଠାରୁ ୩୭ଲକ୍ଷ ୪ହଜାର ୧୭୭ କ୍ବିଣ୍ଟାଲ୍ ଧାନ କିଣାଯାଇଛି। ୬୦ ହଜାର ୯୭୪ ଜଣ ଚାଷୀଙ୍କ ଧାନ କିଣାଯିବାକୁ ବାକି ରହିଛି। ଏହି ଚାଷୀଙ୍କ ମଧ୍ୟରୁ ୫୭ହଜାର ୫୬୦ ଜଣଙ୍କ ଟୋକେନ୍ ଆସି ସାରିଛି। ଟୋକନ୍ ଆସିଥିବା ଚାଷୀଙ୍କ ମଧ୍ୟରେ ସର୍ବାଧିକ ପୁରୁଷୋତ୍ତମପୁର ବ୍ଲକର ୬୧୭୮ଜଣଙ୍କ ଟୋକନ୍ ଆସିଥିବା ଜଣାପଡ଼ିଛି। ଏଥିରୁ କିଛି ଚାଷୀଙ୍କ ଜାନୁଆରି ମାସ ଟୋକେନ୍ ଆସି ଅବଧି ସରିବାକୁ ବସିଥିବା ବେଳେ କିଛି କିଛି ଚାଷୀଙ୍କ ଟୋକନ୍ ଅବଧି ସରିଗଲାଣି। ଆଉ କିଛି ଚାଷୀଙ୍କ ଫେବ୍ରୃଆରି ମାସରେ ଟୋକନ୍ ଆସିଛି। ଗତବର୍ଷ ଟୋକନ୍ ଠିକ୍ ଭାବେ ଆସି ନ ଥିବାରୁ ଚାଷୀ ଧାନ ବିକ୍ରି କରି ପାରି ନ ଥିବା ବେଳେ ଚଳିତ ବର୍ଷ ଓଲଟା ଚିତ୍ର ଦେଖିବାକୁ ମିଳିଛି। ଚାଷୀଙ୍କ ନିକଟକୁ ଟୋକନ୍ ଆସିଥିବା ବେଳେ ଜିଲ୍ଲାକୁ ଟାର୍ଗେଟ୍ ମିଳୁ ନାହିଁ। ଚାଷୀଙ୍କ ଧାନ ନ କିଣିବା ଲାଗି ଏହା ସରକାରୀ ଷଡ଼ଯନ୍ତ୍ର କିଛି ଅଭିଯୋଗ କରିଛନ୍ତି।
ଗତ ବର୍ଷ ୮୦,୧୫୫ଜଣ ଚାଷୀଙ୍କ ଠାରୁ ୩୭ଲକ୍ଷ ୪ହଜାର ୨୨୩ କ୍ବିଣ୍ଟାଲ୍ କିଣାଯାଇଥିଲା। ଚଳିତ ବର୍ଷ ୭୬ହଜାର ୧୧୮ଜଣଙ୍କ ଠାରୁ ପ୍ରାୟ ସମ ପରିମାଣର ଧାନ କିଣା ସରିଲାଣି। ସରକାର ଜିଲ୍ଲାରୁ ଆଉ ଅଧିକା ଧାନ କିଣିବାକୁ ଚାହୁଁ ନ ଥିବାରୁ ପର୍ଯ୍ୟାପ୍ତ ଟାର୍ଗେଟ ମିଳୁନଥିବା ଚର୍ଚ୍ଚା ଜୋର୍ ଧରିଛି। ବର୍ତ୍ତମାନ ସରକାର ଯେଉଁଭଳି ଭାବେ ଟାର୍ଗେଟ ଦେଉଛନ୍ତି ଯେକୌଣସି ପରିସ୍ଥିତିରେ ବି ଧାନ କିଣା ବନ୍ଦ ହୋଇଯାଇପାରେ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଜିଲ୍ଲାକୁ ପର୍ଯ୍ୟାପ୍ତ ଟାର୍ଗେଟ ମିଳୁ ନ ଥିବାରୁ ଜିଲ୍ଲା ପ୍ରଶାସନ ଧାନ କିଣାରେ ଏକରକମ କଟକଣା ଲଗାଇଛି। ଗ୍ରାମପଞ୍ଚାୟତ ଓ ମଣ୍ଡି ସ୍ତରରେ କମିଟି ଗଠନ କରି ପ୍ରତ୍ୟେହ ଟୋକନ୍ ଯାଞ୍ଚ କରି ରିପୋର୍ଟ ଦେବାକୁ ତହସିଲଦାରମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଟୋକନ୍ ଅବଧି ସରିବାକୁ ୩ ଦିନ ଥିବା ଚାଷୀଙ୍କ ଠାରୁ ଧାନ କିଣାରେ ପ୍ରାଥମିକତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଚାଷୀଙ୍କ ଟୋକନ୍ ଯାଞ୍ଚ ହେବ ସେମାନଙ୍କ ଫଟୋ ଉତ୍ତୋଳନ କରିବାକୁ ମଧ୍ୟ କୁହାଯାଉଛି। ତହସିଲଦାରଙ୍କ ସ୍ତରରେ ଯାଞ୍ଚ ହେଉଥିବା ଟୋକନ୍ ଗୁଡ଼ିକରୁ ଧାନ କିଣିବା ଲାଗି ମଣ୍ଡିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ଯାଞ୍ଚକୁ ନେଇ ଚାଷୀ ମହଲରେ ଅସନ୍ତୋଷ ତେଜିଲାଣି। ପୂର୍ବରୁ ଏଆରସିଏସ୍ ସ୍ତରରେ ଯାଞ୍ଚ କରି ରିପୋର୍ଟ ଦିଆଯାଇଥିବା ବେଳେ ଏବେ ପୁଣି ଯାଞ୍ଚ କାହିଁକି ବୋଲି ଚାଷୀମାନେ ପ୍ରଶ୍ନ କରିଛନ୍ତି। ହାତରେ ଥିବା ଏକମାସ ସମୟକୁ ଯାଞ୍ଚ ଆଳରେ ଅତିବାହିତ କରିବା ଲାଗି ଏହା ଜିଲ୍ଲା ପ୍ରଶାସନର ଚାଲ ବୋଲି ଚାଷୀ ଅଭିଯୋଗ କରିଛନ୍ତି।
The post ଗଞ୍ଜାମରେ ଧାନର ଅଭାବୀ ବିକ୍ରି, ତେଜୁଛି ଚାଷୀ ଅସନ୍ତୋଷ first appeared on Sambad.
from ଜିଲ୍ଲା – Sambad https://ift.tt/3k6baC7
0 Comments