ଗରଦପୁର: ଗରଦପୁର ବ୍ଲକ୍ ପାଟକୁରା ପଞ୍ଚାୟତସ୍ଥିତ ଇନେଇତୁଲାପୁର ଗ୍ରାମର ମମତା ମଲିକ୍। ମମତା ଗ୍ରାମରେ ସିଦ୍ଧ ମହାବୀର ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଛନ୍ତି। ଏଥିରେ ୧୧ ଜଣ ସଦସ୍ୟା ରହିଥିବା ବେଳେ ମମତା ସଭାପତି ରହିଛନ୍ତି। ଆର୍ଥିକ ଦୃଷ୍ଟିରୁ ସ୍ବାବଲମ୍ବୀ ହେବା ପାଇଁ ଗୋଷ୍ଠୀର ମହିଳାଙ୍କ ମଧ୍ୟରେ ସର୍ବଦା ସଚେତନତା ଓ ପ୍ରୋତ୍ସାହନ ସୃଷ୍ଟି କରି ଆସୁଛନ୍ତି ସେ।

୨୦୧୮ରେ ଗୋଷ୍ଠୀର ମହିଳାଙ୍କୁ ନେଇ ମମତା ଗାଁ ମୁଣ୍ଡରେ ଥିବା ଦେଢ଼ ଏକର ସରକାରୀ ପୋଖରୀ ସଫାସୁତୁରା କରିଥିଲେ। ସେଥିରେ ମାଛ ଚାଷ କରିବା ଲକ୍ଷ୍ୟ ନେଇ ପଞ୍ଚାୟତ ଓ ବ୍ଲକ୍ ସହିତ ଯୋଗାଯୋଗ କରିଥିଲେ। ପରେ ଏହି ଗୋଷ୍ଠୀକୁ ୩ ବର୍ଷ ପାଇଁ ପୋଖରୀ ମାଛ ଚାଷ ପାଇଁ ଲିଜ ମିଳିଥିଲା। ୭ ହଜାର ଟଙ୍କାରେ ୨୦୧୯- ୨୦୨୦- ୨୦୨୧ ଏହିପରି ୩ ବର୍ଷ ପାଇଁ ପୋଖରୀ ଲିଜ ମିଳିଥିଲା। ମତ୍ସ୍ୟ ବିଭାଗ ତରଫରୁ ମମତାଙ୍କ ସମେତ ଗୋଷ୍ଠୀର ମହିଳାମାନଙ୍କୁ ମାଛ ଚାଷ ପ୍ରଶିକ୍ଷଣ ଦିଆଯାଇଛି। ସେଥିରେ ଉତ୍ସାହିତ ହୋଇ ଗୋଷ୍ଠୀର ମହିଳାମାନଙ୍କ ନେତୃତ୍ୱ ନେଇ ମମତା ପୋଖରୀରେ ରୋହି, ମିରିକାଳି ମାଛ ଚାଷ କରିଛନ୍ତି।

Sambad

ଇତିମଧ୍ୟରେ ୨ ଥର ମାଛ ଧରି ବିକ୍ରିବଟା କରାଯାଇଛି। ମଧୁର ମାଛର ଚାହିଦା ଥିବାରୁ ମାଛ ବିକ୍ରୟ କରିବା ପାଇଁ ମମତାଙ୍କୁ ଅସୁବିଧା ହୋଇନାହିଁ। ପୋଖରୀ ତୁଠରୁ ବ୍ୟବସାୟୀମାନେ ମାଛ କ୍ରୟ କରି ନେଉଛନ୍ତି। ଏହାଛଡ଼ା ମମତାଙ୍କ ସମେତ ଗୋଷ୍ଠୀର ମହିଳାମାନେ ମାଛ ଚାଷ ସହିତ ବଡ଼ି, ପାମ୍ପଡ଼, ଜିଆଖତ ଆଦି ତିଆରି କରିବାରେ ଲାଗିପଡ଼ିଛନ୍ତି। ନିକଟସ୍ଥ ବିଜୁ ପଟ୍ଟନାୟକ କଲେଜ ଅନ୍ତେଇରୁ ମମତା ବିଏ ପାସ କରିଛନ୍ତି।

Sambad

ବିଏ ପାସ କରିବା ପରେ ନିଜର ଦାରିଦ୍ର୍ୟତା ସହିତ ସଂଗ୍ରାମ କରି ମମତା ପ୍ରଥମେ ମଦନା ସ୍ଥିତ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଓଏମଡ଼ିସିରେ କାର୍ଯ୍ୟ କରୁଥିଲେ। ଏହି ଅନୁଷ୍ଠାନର ପାଇଲୋ ଗ୍ରାମରେ ଥିବା ଚାଇଲ୍‌ଡ ଲେବର ସ୍କୁଲରେ ମମତା ପିଲାମାନଙ୍କୁ ଶିକ୍ଷାଦାନ କରୁଥିଲେ। ଇନେଇତୁଲାପୁର ଗ୍ରାମର ଭୋଟରମାନେ ଶ୍ରଦ୍ଧାରେ ମମତାଙ୍କୁ ଓ୍ୱାର୍ଡ଼ ସଭ୍ୟା ଭାବେ ନିର୍ବାଚିତ କରିଥିଲେ। ସେ ଗ୍ରାମବାସୀଙ୍କ ମନ ଜିଣିଥିବାରୁ ଗତ ପଞ୍ଚାୟତ ନିର୍ବାଚନରେ ପାଟକୁରାରୁ ସମିତି ସଭ୍ୟା ଭାବେ ନିର୍ବାଚିତ ହୋଇଥିଲେ।

ମମତା ଓଡ଼ିଶା ଜୀବିକା ମିଶନ ପାଟକୁରା ପଞ୍ଚାୟତର ସଭାପତି ଅଛନ୍ତି। ପାଟକୁରା ପଞ୍ଚାୟତର ଦେଢ଼ଶହ ମହିଳା ଗୋଷ୍ଠୀର ମହିଳା ଏହି ଗ୍ରୁପ୍‌ରେ ରହିଛନ୍ତି। ବିଭିନ୍ନ ବିଭାଗର ସରକାରୀ ଅଧିକାରୀ ଓ ପ୍ରଶିକ୍ଷକମାନଙ୍କ ସହିତ ମିଶି ମହିଳାଙ୍କୁ ପ୍ରୋତ୍ସାହନ ଦେଉଛନ୍ତି। ମହିଳାମାନଙ୍କ ଦ୍ୱାରା ଛତୁ ଚାଷ, ମାଛ ଚାଷ, ପାମ୍ପଡ଼, ବଡ଼ି, ଜିଆଖତ, ମଧ୍ୟାହ୍ନଭୋଜନ, ଚାରା ଉତ୍ପାଦନ, ବିଦ୍ୟୁତ ବିଲ୍‌ ଆଦାୟ କାର୍ଯ୍ୟକ୍ରମ କରାଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ଅନ୍ୟମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରାଇ ଓ ସାମାଜିକ ସୁରକ୍ଷା ଦେବା ପାଇଁ ମମତା ଜୀବନର ବ୍ରତ କରିଛନ୍ତି। ମମତାଙ୍କ ସଫଳ କାହାଣୀ ସମ୍ପର୍କାର ଜାଣିବା ପରେ ଗତ ୧୧ ତାରିଖରେ ଗରଦପୁରକୁ ଆସିଥିବା କେନ୍ଦ୍ରୀୟ ଟିମ ମମତାଙ୍କୁ ତାଙ୍କ ଗ୍ରାମରେ ଭେଟିବା ସହିତ ମାଛ ଚାଷ ପୋଖରୀ ବୁଲି ଦେଖିଥିଲେ। ସେହିପରି ଆତ୍ମା ତରଫରୁ ଏକ ଟିମ ଗତକାଲି ଆସିଥିଲେ।

The post ଆତ୍ମନିର୍ଭରଶୀଳତାର ଅନନ୍ୟ ଉଦାହରଣ ମମତା first appeared on Sambad.



from ଜିଲ୍ଲା – Sambad https://ift.tt/3uztYyo