ମାଲକାନଗିରି: ଗୋଟିଏ ଦୁର୍ଘଟଣା କିପରି ଜୀବନର ସବୁ ମୋଡକୁ ବଦଳାଇ ଦିଏ, ତାହାର ଜ୍ବଳନ୍ତ ଉଦାରଣ ମାଲକାନଗିରି ନିକଟସ୍ଥ ଏମଭି-୮ ଗ୍ରାମରେ ଦେଖିବାକୁ ମିଳିଛି। ଏହି ଗ୍ରାମରେ ବାସ କରୁଥିବା ରାମଚନ୍ଦ୍ର ବିଶ୍ବାସଙ୍କର ହସଖୁସି ଭରା ପରିବାର ରହିଥିଲା। କିନ୍ତୁ ବେଶୀ ଦିନ ଧରିଏହି ପରିବାରରେ ହସଖୁସି ରହିଲା ନାହିଁ। ଏକ ଦୁର୍ଘଟଣା ସବୁ ସୁଖକୁ ଓଲଟପାଲଟ କରିଦେଲା। ଗତ ଦୁଇ ବର୍ଷ ତଳେ ରାମ ଚନ୍ଦ୍ର ମଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ତେବେ ତାଂକୁ ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ନିଆଯାଇଥିଲେ ମଧ୍ୟ ଆର୍ଥିକ ଅନାଟନ ଯୋଗୁଁ ତାଂକର ଉଚିତ ଚିକିତ୍ସା ହୋଇପାରିଲା ନାହିଁ। ଯାହାଫଳରେ ସେ ଦୁଇଟି ଗୋଡକୁ ହରାଇଥିଲେ। ସେ ଆଗ ଭଳି ଆଉ ଚାଲି ପାରୁନାହାଁନ୍ତି। ଏବେ ରାମଚନ୍ଦ୍ର ଶଯ୍ୟାସାୟୀ। ରାମଚନ୍ଦ୍ରଙ୍କର ଚାରୋଟି ସନ୍ତାନ ରହିଛନ୍ତି। ରୋଜଗାରିଆ କହିଲେ ପରିବାରରେ ରାମଚନ୍ଦ୍ର ଜଣେମାତ୍ର। ଏବେ ପରିବାରରେ ଦୁଃଖ ହିଁ ଦୁଃଖ। ଦୁଇ ବେଳା ମୁଠାଏ ଦାନା ଯୋଗାଡ କରିବାରେ ବହୁ କଷ୍ଟ ସ୍ବୀକାର କରିବାକୁ ପଡୁଛି। ସରକାରଙ୍କ ତରଫରୁ ୨୫ କିଲୋ ଚାଉଳ ମିଳୁଥିବାରୁ ସେହି ଚାଉଳକୁ ମାସେ ପର୍ଯ୍ୟନ୍ତ ଚଳାଇବାକୁ ପଡୁଛି। ଦିନେ ଦିନେ ଉପବାସ ମଧ୍ୟ ରହିବାକୁ ପଡୁଥିବା ରାମଚନ୍ଦ୍ର କହନ୍ତି।

ପିଲାମାନଙ୍କୁ ତାଂକର କୌଣସି ସୁଖ ଦେଇପାରିଲି ନାହିଁ ବୋଲି କାନ୍ଦି କାନ୍ଦି ରାମଚନ୍ଦ୍ର ପ୍ରକାଶ କରିଥିଲେ। ବଡ ପୁଅ ଦଶମ ଶ୍ରେଣୀରେ ପାଠ ପଢୁଥିବା ବେଳେ ସେ ଏବେ ବିଭିନ୍ନ ସ୍ଥାନରେ କାମ କରି ପାଠ ପଢୁଥିବା ସେ କହନ୍ତି। ପତ୍ନୀ ଜଂଗଲରୁ କାଠ ଆଣି ଯେକୌଣସି ପ୍ରକାରେ ଘର ଚଳାଉଛନ୍ତି। ଅନ୍ୟ ପିଲାମାନେ ଛୋଟ ଥିବାରୁ ସେମାନେ ବାପାଙ୍କର ଏହି ସମସ୍ୟା ବିଷୟରେ ବେଶି ବୁଝି ପାରୁନାହାଁନ୍ତି। ଅନ୍ୟପିଲାଙ୍କ ଭଳି ଅଝଟ କରୁଛନ୍ତି। କିନ୍ତୁ ବାପା ସେମାନଙ୍କ ପାଇଁ ଖେଳନାଟିଏ ବି କିଣି ଦେବାକୁ ସକ୍ଷମ ନୁହଁନ୍ତି। ଅନ୍ୟର ଖେଳନା ଏବଂ ଖାଦ୍ୟ ଦେଖି ପିଲାମାନେ ଚୁପ ରହିବା ସାର ହେଉଛି।

ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଏହି ପରିବାରକୁ ନାଁ ପ୍ରଶାସନର ଦୃଷ୍ଟି ପଡିଛି ନାଁ କେହି ସଂପର୍କୀୟ ତାଂକୁ ସହଯୋଗର ହାତ ବଢାଉଛନ୍ତି। ରାମଚନ୍ଦ୍ର ଏବେ ଭଗବାନ ରାମଙ୍କ ଭରସାରେ ପଡି ରହିଛନ୍ତି। ଭିନ୍ନକ୍ଷମ ପ୍ରମାଣ ପତ୍ର ନଥିବାରୁ ତାଂକୁ ଭତ୍ତା ମିଳି ପାରୁନାହିଁ ବୋଲି କହନ୍ତି।ତୁରନ୍ତ ରାମଚନ୍ଦ୍ରଙ୍କୁ ଭିନ୍ନକ୍ଷମ ଭତ୍ତା ପ୍ରଦାନ କରିବାକୁ ଦାବି କରାଯାଇଛି।ପିଲାମାନଙ୍କୁ ପାଠ ପଢାଇ କିପରି ବଡ କରିବେ ଚିନ୍ତାରେ ପଡିଛନ୍ତି ରାମଚନ୍ଦ୍ର।ପ୍ରଶାସନ କିମ୍ବା କୌଣସି ବଦାନ୍ୟ ବ୍ୟକ୍ତି ଯଦି ରାମଚନ୍ଦ୍ରକୁ ସହଯୋଗର ହାତ ବଢାନ୍ତି ତେବେ ପରିବାରରେ ପୁଣି ହସଖୁସି ଭରିଯିବ ବୋଲି କୁହାଯାଇଛି।

The post ରାମଚନ୍ଦ୍ରଙ୍କୁ ରାମ ହିଁ ଭରସା; ଦୁର୍ଘଟଣାରେ ପରେ ଭିନ୍ନକ୍ଷମ ପାଲଟିଲେ, ୨୫ କିଲୋ ଚାଉଳରେ ମାସେ ଚଳନ୍ତି ୬ ପ୍ରାଣୀ କୁଟୁମ୍ବ first appeared on Sambad.



from ଜିଲ୍ଲା – Sambad https://ift.tt/3dD4YQG