ପୁରୀ : ନିର୍ବାଚନ ଘୋଷଣା ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କାଳୀଘାଟସ୍ଥିତ ବାସଭବନରେ ଆଜି ବିରାଟ ପୂଜାର ଆୟୋଜନ କରିଛନ୍ତି। ଯେଉଁଥିରେ ବରିଷ୍ଠ ଦଇତାପତି ସେବକ ଜଗନ୍ନାଥ ସ୍ବାଇଁ ଦାସମହାପାତ୍ର(ଜଗୁନି) ଯୋଗଦେବା ସହ ପୂଜାକାର୍ଯ୍ୟର ସମସ୍ତ ଦାୟିତ୍ବ ତୁଲାଇଛନ୍ତି। ଶ୍ରୀ ଦାସମହାପାତ୍ରଙ୍କ ନେତୃତ୍ବରେ ପୁରୀରୁ ଯାଇଥିବା ୭ ଜଣ ବ୍ରାହ୍ମଣ ଏହି ପୂଜାକାର୍ଯ୍ୟ ସଂପନ୍ନ କରିଛନ୍ତି। ମମତାଙ୍କ କାଳୀଘାଟସ୍ଥିତ ବାସଭବନରେ ୧୦ ଘଣ୍ଟା ଧରି ଏହି ପୂଜା ଚାଲିଥିଲା। ସଂଧ୍ୟାରେ ପୂଜା ସଂପନ୍ନ ହୋଇଛି। ଆସନ୍ତାକାଲି ପୁରୀ ଫେରିବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି ଶ୍ରୀ ଦାସମହାପାତ୍ର।

ଏ ସଂପର୍କରେ ଶ୍ରୀ ଦାସମହାପାତ୍ର କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ହେଉଛନ୍ତି ତାଙ୍କ ଶିଷ୍ୟ। କିଛିଦିନ ପୂର୍ବରୁ ଏହି ପୂଜା ପାଇଁ ସେ ମମତାଙ୍କ ନିମନ୍ତ୍ରଣ ପାଇଥିଲେ। କୋଭିଡ୍‌ ଭିତରେ ପଶ୍ଚିମବଙ୍ଗ ଯିବାକୁ ପରିବାର ଲୋକେ ବାରଣ କରୁଥିଲେ ବି ସେ ମମତାଙ୍କ କଥା ଭାଙ୍ଗି ପାରିନଥିଲେ। ପଶ୍ଚିମବଙ୍ଗରୁ ତିନୋଟି ଗାଡ଼ି ଆସି ପହଞ୍ଚିବା ପରେ ସେ ଗତକାଲି ପଶ୍ଚିମବଙ୍ଗ ବାହାରିଥିଲେ। ତାଙ୍କ ସହ ପୁଅ ରାଜା, ପୁରୀରୁ ୭ ଜଣ ବ୍ରାହ୍ମଣ ଓ ଅନ୍ୟ ସେବାୟତମାନେ ବି ପଶ୍ଚିମବଙ୍ଗ ଆସିଛନ୍ତି। ଆଜି ସକାଳ ୭ଟାରୁ ପୂଜା ଆରମ୍ଭ ହୋଇଥିଲା। ବାସଭବନ ପରିସରରେ ମହାଯଜ୍ଞର ଆୟୋଜନ କରାଯାଇଥିଲା।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପୂଜାପାଠ କରାଯାଇଥିଲା। ନିଜେ ମମତା ବି ଏହି ପୂଜାରେ ବସିଥିଲେ। ଆଜି ସଂଧ୍ୟାରେ ପୂଜା ଶେଷ ପରେ ସେ ଓ ତାଙ୍କ ସହ ଯାଇଥିବା ଅନ୍ୟମାନେ କୋଲକାତାରେ ଥିବା ତାଙ୍କ ଆଶ୍ରମରେ ରହିଛନ୍ତି। କୋଲକାତାର ଭକ୍ତ ପ୍ରଭୁଦତ୍ତ କାଞ୍ଜିଲାଲ ତାଙ୍କୁ ଏହି ଆଶ୍ରମ ଦେଇଛନ୍ତି। ଦେଶର କୋଣ ଅନୁକୋଣରୁ ଲୋକେ ଏହି ଆଶ୍ରମକୁ ଆସିଥାନ୍ତି। ଏଠାରେ ଦୈନିକ ଦେଢ଼ ଶହରୁ ୩ ଶହ ଲୋକ ପ୍ରସାଦ ସେବନ କରୁଛନ୍ତି। ଏହି ଆଶ୍ରମରେ ଆଜି ରାତ୍ରିଯାପନ ପରେ ଆସନ୍ତାକାଲି ପୁରୀ ଫେରିବାର କାର୍ଯ୍ୟକ୍ରମ ରହିଥିବା ଶ୍ରୀ ଦାସମହାପାତ୍ର କହିଛନ୍ତି।

The post ନିର୍ବାଚନ ପୂର୍ବରୁ ବିରାଟ ପୂଜାର ଆୟୋଜନ : ମମତାଙ୍କ ଘରେ ପୂଜା କଲେ ଜଗୁନି first appeared on Sambad.



from ଜିଲ୍ଲା – Sambad https://ift.tt/2NMSRWC