ନେମାଳ: ନିଶ୍ଚିନ୍ତକୋଇଲି ବ୍ଲକ୍‌ ନେମାଳସ୍ଥିତ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ପ୍ରସିଦ୍ଧ ପଦ୍ମବନ ପୀଠରେ ସ୍ବନକ୍ଷତ୍ର ଉତ୍ସବ ଓ ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ନିରାଡ଼ମ୍ବର ଭାବେ ପାଳନ କରାଯାଇଛି। କରୋନା କଟକଣା ପାଇଁ ପୀଠ ଚତୁଃପାର୍ଶ୍ବରେ ୧୪୪ ଧାରା ଜାରି କରାଯାଇଥିବାରୁ ଶହଶହ ସଂଖ୍ୟାରେ ଭକ୍ତ ମହାପ୍ରଭୁ ଅଚ୍ୟୁତାନନ୍ଦଙ୍କ ଦର୍ଶନ ନ ପାଇ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି।
ଆଜି ନିଦ୍ଧାର୍ରିତ ସମୟରେ ପ୍ରଭୁଙ୍କର ରୀତିନୀତି ସହ ସେବାପୂଜା ସମ୍ପନ୍ନ ହୋଇଛି। ପ୍ରଭାତରୁ ଚୁଆ, ଚନ୍ଦନ, ଅଗୁରୁ ମିଶ୍ରିତ ସୁବାସିତ ଜଳରେ ଠାକୁରଙ୍କ ସ୍ନାନ ମାର୍ଜନା କାର୍ଯ୍ୟ ପରେ ନୂତନ ବସ୍ତ୍ର ଲାଗି, ଚନ୍ଦନ ତୁଳସୀ ଲାଗି, ରୁପା ମୁକୁଟ ସମର୍ପଣ ସହ ମଙ୍ଗଳ ଆଳତି, ନିତ୍ୟାନି ଭୋଗ ହୋଇଥିଲା। ଏହାପରେ ନାମ ମଣ୍ଡପରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ୨୫ରୁ ଅଧିକ ସଂକୀର୍ତ୍ତନମଣ୍ଡଳୀ ମହାମନ୍ତ୍ର ନାମ ପରିବେଷଣ କରିଥିଲେ। ମଧ୍ୟାହ୍ନରେ ବରିଷ୍ଠ ସେବାୟତ ପ୍ରଭାକର ପୂଝାରୀଙ୍କ ଦ୍ବାରା ପୂଜାର୍ଚ୍ଚନା ସହ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ୫୦ରୁ ଅଧିକ ସେବାୟତ ଏକ ସମୟରେ ସଂଧ୍ୟା ଆଳତି କରିବାର ଦୃଶ୍ୟ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲେ।

ଉପସ୍ଥିତ ସ୍ବଳ୍ପସଂଖ୍ୟକ ଶ୍ରଦ୍ଧାଳୁ ଓ ବ୍ୟାରିକେଡ୍‌ ବାହାରେ ଥିବା ଆଖପାଖ ଅଞ୍ଚଳର ଭକ୍ତଙ୍କ ହରିବୋଲ ହୁଳହୁଳିରେ ପୀଠ ଉଚ୍ଛୁଳି ଉଠିଥିଲା। ପୀଠ ଚତୁଃପାର୍ଶ୍ବ ଓ ଅଷ୍ଟପ୍ରହରୀ ନାମ ମଣ୍ଡପକୁ ଆକର୍ଷଣୀୟ ଫୁଲ ଓ ଆଲୋକରେ ସୁସଜ୍ଜିତ କରାଯିବା ସହ ଆତସବାଜି କାର୍ଯ୍ୟକ୍ରମ ବେଶ୍ ଆକର୍ଷଣୀୟ ହୋଇଥିଲା। ତେବେ ଭକ୍ତଙ୍କ ବିନା ଆଜି ସମଗ୍ର ପୀଠଖାଁ ଖାଁ ଲାଗୁଥିଲା। ଆନନ୍ଦ ବଜାରରେ ମଧ୍ୟ କୌଣସି ଶ୍ରଦ୍ଧାଳୁଙ୍କୁ ଦେଖିବାକୁ ମିଳି ନ ଥିଲା। ନିଶ୍ଚିନ୍ତକୋଇଲି ତହସିଲଦାର ମାନସ ରଂଜନ ତରାସିଆ, ନେମାଳ ଥାନାଧିକାରୀ ନିହାରରଂଜନ ମହାନ୍ତି, ଅତିରିକ୍ତ ଏଏସ୍‌ଆଇ ଗୋପବନ୍ଧୁ ମଲ୍ଲିକ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ। ଅଷ୍ଟପ୍ରହରୀ ପରିଚାଳନା କମିଟି ଓ ଶ୍ରୀଶ୍ରୀଗୋପୀନାଥଜିଉ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଆଶ୍ରମ ଟ୍ରଷ୍ଟ ପକ୍ଷରୁ ଉତ୍ସବ ପରିଚାଳନା କରାଯାଇଥିଲା। ବରିଷ୍ଠ ସେବକ ଧରଣୀଧର ପୁଝାରୀ, ହରେକୃଷ୍ଣ ପୁଝାରୀ, ଶାନ୍ତନୁ କୁମାର ପୁଝାରୀ, ଆଇନଜୀବୀ ଶିଶିର ଦାସ, ସମାଜସେବୀ ପ୍ରସନ୍ନ ବେଉରା, ଦେବେନ୍ଦ୍ରନାଥ ସାହୁ, ଅକ୍ଷୟ କୁମାର ସାହୁ, ଅମୂଲ୍ୟ କୁମାର ମହାନ୍ତି, ଅମରବଲ୍ଲଭ ଦାସଙ୍କ ସମେତ ୫୦ରୁ ଅଧିକ ସ୍ବେଚ୍ଛାସେବୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ସଂଧ୍ୟା ଆଳତି ପରେ ପୀଠରେ ଭାଗବତ, ଅଷ୍ଟଗୁଜରୀ ଆଦି ଗାନ କରାଯାଇଥିଲା।

The post ନିରାଡ଼ମ୍ବର ଭାବେ ପାଳନ ହେଲା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ସ୍ବନକ୍ଷତ୍ର ଉତ୍ସବ first appeared on Sambad.



from ଜିଲ୍ଲା – Sambad https://ift.tt/3qVt7WI