
ସାର ଉତ୍ପାଦନ କରିବାକୁ ଯାଉଛି ତେଲେଙ୍ଗାନା
ଅଧାରେ ପଡ଼ିଛି ତାଳଚେରର ଡ୍ରଇଁ, ଡିଜାଇନ୍
ମୋଦୀଙ୍କ ୩୬ ମାସର ଟାର୍ଗେଟ୍ ମାରିବ ଫେଲ୍!
ଅନୁଗୁଳ : ପରୀକ୍ଷାମୂଳକ ଉତ୍ପାଦନ ସରିଲା। ଆଉ ଦିନ କେଇଟା ପରେ ନିୟମିତ ବ୍ୟାବସାୟିକ ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି ତେଲେଙ୍ଗାନାର ରାମଗୁଣ୍ଡମ୍ ସାର କାରଖାନା। ଶନିବାର ବିଳମ୍ବିତ ରାତିରେ ପରୀକ୍ଷାମୂଳକ ଭାବେ ନବନିର୍ମିତ ରାମଗୁଣ୍ଡମ୍ କାରଖାନା ଚାଲୁ କରାଯିବା ପରେ ତାଳଚେରର ବହୁ ପ୍ରତୀକ୍ଷିତ ସାର କାରଖାନାର ଧିମା ଅବସ୍ଥାକୁ ନେଇ ସ୍ବାଭାବିକ ପ୍ରଶ୍ନ ଉଠିଛି। ୧୩ହଜାର କୋଟି ବ୍ୟୟରେ ନିର୍ମାଣାଧୀନ ତାଳଚେରର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ପାଇଁ ଅଧା ଡ୍ରଇଁ ଡିଜାଇନିଂ ସୁଦ୍ଧା ଏଯାବତ୍ ସମ୍ପୂର୍ଣ୍ଣ ହୋଇପାରି ପାରି ନ ଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ମୁତାବକ ଆଉ ହାତଗଣତି ୭ ମାସ ଭିତରେ ପ୍ରକଳ୍ପ କିଭଳି କାର୍ଯ୍ୟକ୍ଷମ ହେବ ତାହାକୁ ନେଇ ସାଧାରଣେର ସଂଶୟ ପ୍ରକାଶ ପାଇଛି।
୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘରୋଇ ମଇଦାନ ତାଳଚେରରେ ପାଦ ଥାପିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ୨୦୦୨ମସିହାରୁ ଅଚଳ ହୋଇପଡ଼ିଥିବା ତାଳଚେର ସାର କାରଖାନାକୁ ପୁଣି କାର୍ଯ୍ୟକ୍ଷମ କରାଯିବ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ କେବଳ ସ୍ବପ୍ନ ଦେଖାଇଲେ ନାହିଁ, ବରଂ ତାଳଚେରରେ ଏହାର ଶିଳାନ୍ୟାସ କରି ୨୦୧୮ମସିହା ସେପ୍ଟେମ୍ବର ୨୨ତାରିଖ ଦିନ ୩ବର୍ଷ (୩୬ମାସ)ର ସମୟସୀମା ଦେଇଥିଲେ। ‘୩ବର୍ଷ ପରେ ମୁଁ ପୁଣି ଏଠାକୁ ଫେରିବି ଏବଂ ଏହି ସାର କାରଖାନାକୁ ଲୋକାର୍ପିତ କରିବି ବୋଲି ସାଧାରଣ ସଭାରେ ଘୋଷଣା କରିଥିଲେ। କିନ୍ତୁ, ଯେଉଁ ଗତିରେ ତାଳଚେର ସାର କାରଖାନାର କାମ ଚାଲିଛି, ସେଥିରୁ ଏ ୩୬ମାସର ସମୟ ସୀମା ମଧ୍ୟରେ ସାର କାରଖାନା ସରିବାକୁ ନେଇ ସନ୍ଦେହ ସୃଷ୍ଟି ହେଲାଣି।
ଉଲ୍ଲେଖଯୋଗ୍ୟ, ଏଫ୍ସିଆଇଏଲ୍ (ଫର୍ଟିଲାଇଜର କର୍ପୋରେସନ୍ ଅଫ୍ ଇଣ୍ଡିଆ ଲିମିଟେଡ୍)ର ଅଚଳ ହୋଇ ରହିଥିବା ଦେଶର ଚାରୋଟି ସାର କାରଖାନାର ପୁନରୁଦ୍ଧାର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତା ମଧ୍ୟରେ ତାଳଚେର ସାର କାରଖାନା ସହିତ ଝାଡ଼ଖଣ୍ଡର ସିନ୍ଦ୍ରୀ, ତେଲେଙ୍ଗାନାର ରାମଗୁଣ୍ଡମ୍ ଏବଂ ଉତ୍ତରପ୍ରଦେଶର ଗୋରଖପୁର କାରଖାନା ବି ସାମିଲ୍ ଥିଲା। ନିଷ୍ପତ୍ତି ମୁତାବକ ଚାରି କାରଖାନାର ପୁନରୁଦ୍ଧାର କାର୍ଯ୍ୟ ବି ଆରମ୍ଭ ହେଲା। ଇତିମଧ୍ୟରେ କେବଳ ତାଳଚେରକୁ ଛାଡ଼ିଦେଲେ ଆଉ ତିନି ପ୍ରକଳ୍ପର କାମ ଜୋର୍ସୋର୍ ଆଗେଇ ଚାଲିଛି। ଗତକାଲି ରାତି ୨.୩୫ ମିନିଟ୍ରେ ତେଲେଙ୍ଗାନା କାରଖାନାରୁ ପରୀକ୍ଷାମୂଳକ ଉତ୍ପାଦନ ଆରମ୍ଭ ବି କରାଯାଇଛି।
ସୂଚନା ଅନୁସାରେ, କାରଖାନାର ଡ୍ରଇଁ/ଡିଜାଇନ୍ କାର୍ଯ୍ୟ ପ୍ରାୟ ଅଧା ସରିନାହିଁ। କୋଇଲା ବ୍ଲକ୍ ମିଳିଥିଲେ ବି ଜମି ଅଧିଗ୍ରହଣ ଭଳି ଗୁରୁତ୍ବପୂର୍ଣ୍ଣ କାମ ବି ଆରମ୍ଭ ହୋଇପାରିଲା ନାହିଁ। ରେଳ ଲାଇନ୍, ଜଳଯୋଗାଣ ଆଦି ପ୍ରାଥମିକ କାର୍ଯ୍ୟଗୁଡ଼ିକର ବି ସମାନ ସ୍ଥିତି। ଏବେ କେବଳ କାରଖାନାର ମାଟି ସମତଳ ଭିତରେ ସୀମିତ ରହିଯାଇଛି କାରଖାନା ପୁନରୁଦ୍ଧାର କାର୍ଯ୍ୟ। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଦେଇଥିବା ୩୬ମାସର ସମୟସୀମାରେ ତାଳଚେର ସାର କାରଖାନା କେମିତି ଠିଆ ହେବ? ବୋଲି ପ୍ରଶ୍ନ ଉଠିଛି।
The post ତାଳଚେର ସାର କାରଖାନା ପୁନରୁଦ୍ଧାର ଯୋଜନା : ରାମଗୁଣ୍ଡମ୍ରେ ସରିଲା, ତାଳଚେରରେ କେବେ? first appeared on Sambad.
from ଜିଲ୍ଲା – Sambad https://ift.tt/2O77KTC
0 Comments