
ପୁରୀ : ଗୁରୁବାରଠାରୁ ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ ଆରମ୍ଭ ହୋଇଛି। ସେହିଭଳି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଆଜି ଲୁହାର ଭାରା ମଧ୍ୟ ବନ୍ଧାଯାଇଛି। ସେପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ ପ୍ରାଚୀର ମରାମତି ପାଇଁ ବି ଭାରା ବନ୍ଧା ହୋଇଛି। ବହୁଦିନରୁ ରାମଦୟା ପରିଷଦ ପାଖକୁ ଲାଗି ମେଘନାଦ ପ୍ରାଚୀରରେ ଫାଟ ସୃଷ୍ଟି ହୋଇଥିଲା। ଅନେକ ଜାଗାରୁ ପାଣି ଗଳୁଥିବା ଦେଖିବାକୁ ମିଳିଥିଲା।
ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ମଠ, ମନ୍ଦିର ଉଚ୍ଛେଦ ବେଳେ ବି ପାଣି ଗଳିବାର ଦେଖିବାକୁ ମିଳିଥିଲା। ଏହି ଫାଟ ଆଗକୁ ବିପଦ ସୃଷ୍ଟି କରିବା ଆଶଙ୍କା ରହିଥିବାରୁ ପ୍ରତ୍ନତତ୍ତ୍ବ ବିଭାଗ ଏହାର ମରାମତି କାମ ଆରମ୍ଭ କରିଛି। ଆଜି କିଛି ବ୍ୟକ୍ତି ଭାରାରେ ଚଢ଼ି ରାମଦୟା ପରିଷଦକୁ ଲାଗି ମେଘନାଦ ପ୍ରାଚୀର ଖୋଳୁଥିବା ଦେଖିବାକୁ ମିଳିଛି। ଫାଟ ସ୍ଥାନରୁ ପଥର ଛଡ଼ାଯାଉଛି। ସେହିଭଳି ଶ୍ରୀମନ୍ଦିର ଭିତରେ ନାଟମଣ୍ଡମ-ଜଗମୋହନ ସଂଯୋଗ ସ୍ଥଳରେ ସଦାସର୍ବଦା ପାଣି ଗଳୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ଆଗକୁ ବର୍ଷା ଦିନ ଥିବାରୁ ଏଠାରେ ପୁନର୍ବାର ପାଣି ଗଳିବା ଆଶଙ୍କା ରହିଛି। ଆଜିଠାରୁ ଏଠାରେ ଭାରା ବନ୍ଧାଯାଇଛି। ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀମାନେ ଏହାର ସ୍ଥିତି ଅନୁଧ୍ୟାନ କରିଛନ୍ତି।
The post ମେଘନାଦ ପ୍ରାଚୀର ମରାମତି ଆରମ୍ଭ, ବନ୍ଧା ହେଲା ଭାରା, ଖୋଳା ଗଲା କାନ୍ଥ first appeared on Sambad.
from ଜିଲ୍ଲା – Sambad https://ift.tt/3rJ95OR
0 Comments