ନୂଆଦିଲ୍ଲୀ/ଡେଲାଙ୍ଗ : ମନରେଗା ଶ୍ରମିକ ଭାବେ କାର୍ଯ୍ୟ କରି କିଛିଦିନ ତଳେ ଚର୍ଚ୍ଚାକୁ ଆସିଥିବା ପୁରୀ ଡେଲାଙ୍ଗ ଅଞ୍ଚଳର ଇଞ୍ଜିନିୟରିଂ ଛାତ୍ରୀ ଲୋଜି ବେହେରାଙ୍କୁ ଭେଟି ୧ ଲକ୍ଷ ଟଙ୍କା ସହାୟତା ଦେଇଛନ୍ତି ତାମିଲନାଡ଼ୁର ଡିଏମ୍‌କେ ସାଂସଦ ଏସ୍‌ ସେନ୍ଥିଲ କୁମାର।

ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ ଚାଇଁପୁର ପଞ୍ଚାୟତର ଗୋରଡ଼ାପୀଢ଼ି ଗ୍ରାମର ଲୋଜି ମନରେଗା କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ସେ ଜଣେ ଇଞ୍ଜିନିୟରିଂ ଛାତ୍ରୀ ବୋଲି ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା। ଏହି ଖବର ଗଣମାଧ୍ୟମରେ ପ୍ରକାଶିତ ହେବାପରେ ତାମିଲନାଡ଼ୁ ଧର୍ମପୁରୀର ଡିଏମ୍‌କେ ସାଂସଦ ଏସ୍‌ ସେନ୍ଥିଲ କୁମାର ସାମାଜିକ ଗଣମାଧ୍ୟମ ଜରିଆରେ ଲୋଜିଙ୍କ ଠିକଣା ଓ ଗ୍ରାମକୁ ଯୋଗାଯୋଗ ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲେ। ଗତକାଲି ନୂଆଦିଲ୍ଲୀରୁ ବିମାନ ଯୋଗେ ଭୁବନେଶ୍ବରରେ ପହଞ୍ଚିଥିଲେ। ସେଠାରୁ ସିଧା ଲୋଜିଙ୍କ ଗ୍ରାମ ଗୋରଡାପୀଢ଼ିରେ ତାଙ୍କର ବ୍ୟକ୍ତିଗତ ସଚିବ ଆର୍‌ ଜେ ବାବୁଙ୍କ ସହିତ ପହଞ୍ଚିଥିଲେ। ଗ୍ରାମରେ ପହଞ୍ଚିବା ପରେ ସାଂସଦ ସେନ୍ଥିଲ କୁମାର ଲୋଜି ଓ ତାଙ୍କର ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ଲୋଜିଙ୍କୁ ତାଙ୍କ ଇଂଜିନିୟରିଂ ଡିପ୍ଲୋମା ସାର୍ଟିଫିକେଟ ମୁକୁଳାଇବା ଓ ତାଙ୍କର ପରବର୍ତ୍ତୀ ଶିକ୍ଷା ପାଇଁ ନଗଦ ଏକ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ଏହା ସହିତ ଆଗକୁ ଶିକ୍ଷା ପାଇଁ ଆବଶ୍ୟକ ସାହାଯ୍ୟ ଯୋଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଶିକ୍ଷାରେ ଅର୍ଥାଭାବ ବାଧକ ସାଜିଥାଏ। କିନ୍ତୁ ଏହାର ସମାଧାନର ବାଟ ମଧ୍ୟ ରହିଛି ବୋଲି ସାଂସଦ ସେନ୍ଥିଲ କୁମାର ‘ସମ୍ବାଦ’କୁ କହିଛନ୍ତି।

The post ଛାତ୍ରୀଙ୍କୁ ୧ ଲକ୍ଷ ଟଙ୍କା ଦେଲେ ତାମିଲନାଡୁ ସାଂସଦ first appeared on Sambad.



from ଜିଲ୍ଲା – Sambad https://ift.tt/3p1W1T0