ଆଇପି ଆଡ୍ରେସ୍‌ ଦେବାରେ ଫେସବୁକ୍‌ର ବିଳମ୍ବ
କ୍ରାଇମବ୍ରାଞ୍ଚ୍‌ ପକ୍ଷରୁ ପରାମର୍ଶବଳୀ ଜାରି
ଫେସ୍‌ବୁକ୍‌ ଆକାଉଣ୍ଟଧାରୀ ପ୍ରୋଫାଇଲ୍‌ ଲକ୍‌ କରନ୍ତୁ
ଟଙ୍କା ପଠାଇବା ପୂର୍ବରୁ ଭଲ ଭାବେ ଯାଞ୍ଚ୍‌ କରନ୍ତୁ

କଟକ : କୋଭିଡ୍‌ ସମୟରେ ଓଡ଼ିଶାର ଆପିଏସ୍‌ ଓ ଆଇଏଏସ୍‌ ଅଫିସରଙ୍କ ଯେତକ ନକଲି ଫେସବୁକ ଆକାଉଣ୍ଟ ପ୍ରସ୍ତୁତ ହୋଇଥିଲା, ଏସବୁ ରାଜ୍ୟ ବାହାରୁ ନିୟନ୍ତ୍ରଣ ହୋଇଥିବା କୁହାଯାଉଛି। ହରିଆନାର ମେଵାଟ, ରାଜସ୍ଥାନର ଭରତପୁର, ଅଲଵାର ଏବ˚ ଝାଡ଼ଖଣ୍ତ ଓ ପଶ୍ଚିମବଙ୍ଗରୁ ନିର୍ଦ୍ଦିଷ୍ଟ ସାଇବର‌୍‌ ଅପରାଧୀ ଗ୍ୟାଙ୍ଗ୍‌ ସରକାରୀ ବାବୁଙ୍କ ନକଲି ଫେସବୁକ ଆକାଉଣ୍ଟ ପ୍ରସ୍ତୁତ କରି ଟଙ୍କା ମାଗିଥିବା ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ଫେସବୁକ ଆକାଉଣ୍ଟଧାରୀ ନିଜ ପ୍ରୋଫାଇଲ୍‌ ଲକ୍‌ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବାହାର ରାଜ୍ୟର ଏହି ଗ୍ୟାଙ୍ଗ୍‌ ଯେଉଁ କମ୍ପ୍ୟୁଟର ବା ମୋବାଇଲ୍‌ରୁ ନକଲି ଆକାଉଣ୍ଟ ପ୍ରସ୍ତୁତ କରିଥିଲା, ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଉକ୍ତ ସିଷ୍ଟମ୍‌କୁ ଠାବ କରିପାରିନାହିଁ। ସିଷ୍ଟମ ଠାବ କରିବାକୁ ଆଇପି ଆଡ୍ରେସର ଆବଶ୍ୟକତା ଥିବାବେଳେ ଫେସବୁକ ବର୍ତ୍ତମାନ ସୁଦ୍ଧା ତାହା ଯୋଗାଇପାରି ନାହିଁ। କରୋନା ପରେ ପରେ ଫେସବୁକ ମୁଖ୍ୟ କାର୍ଯ୍ୟାଳୟରେ ଏଭଳି ଅପରାଧର ତାଲିକା ଏତେ ମାତ୍ରାରେ ପହଞ୍ଚିଛି ଯେ ରାଜ୍ୟ କ୍ରାଇମବ୍ରାଞ୍ଚକୁ ସାଇବର‌୍‌ ଅପରାଧୀଙ୍କ ଆଇପି ଆଡ୍ରେସ୍‌ ଯୋଗାଇବା ସମ୍ଭବପର ହୋଇପାରୁ ନଥିବା କୁହାଯାଉଛି। ତେଣୁ ସମସ୍ତ ଫେସବୁକ ଆକାଉଣ୍ଟଧାରୀ ନିଜ ପ୍ରୋଫାଇଲ୍‌ ଲକ୍‌ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ସତର୍କ କରାଯାଇଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ, ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି ଟଙ୍କା ମାଗିବା ଭଳି ଘଟଣା ଲଗାତାର ସାମନାକୁ ଆସୁଥିବାରୁ ଫେସବୁକ ପ୍ରୋଫାଇଲ୍‌ ଲକ୍‌ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶବଳୀ ଜାରି କରାଯାଇଛି। ଫେସ୍‌ବୁକ ପ୍ରୋଫାଇଲ୍‌ର ସେଟି˚ ଅପସେନ୍‌ରେ ପ୍ରାଇଭେସି ଅପସନକୁ କ୍ଲିକ୍‌ କଲା ପରେ ପ୍ରୋଫାଇଲ୍‌ ଲକି˚ ଅପସନକୁ ଯିବାକୁ ପଡ଼ିବ। ସେଠାରେ ଥିବା ଲକି˚ ଅପସନ୍‌କୁ ଅନ୍‌ କରିଦେଲେ ପ୍ରୋଫାଇଲ୍‌ ସମ୍ପୂର୍ଣ୍ଣ ଲକ୍‌ ହୋଇଯିବ। ଯାଦ୍ବାରା ସାଇବର‌୍‌ ଅପରାଧୀ ପ୍ରୋଫାଇଲ ଫଟୋର ସ୍କ୍ରିନ୍‌ ସର୍ଟ ନେଇ ନକଲି ଆକାଉଣ୍ଟ ପ୍ରସ୍ତୁତ କରିପାରିବେ ନାହିଁ କି ପ୍ରୋଫାଇଲରେ ଥିବା ଜନ୍ମ ତାରିଖ, ଠିକଣା କିମ୍ବା ଅନ୍ୟ କୌଣସି ବ୍ୟକ୍ତିଗତ ତଥ୍ୟ ଅଜଣା ଲୋକ ଜାଣିପାରିବେ ନାହିଁ। ଏଭଳି ହେଲେ ନକଲି ଫେସବୁକ ଆକାଉଣ୍ଟ ପ୍ରସ୍ତୁତ ହ୍ରାସ ପାଇପାରିବ ବୋଲି କୁହାଯାଉଛି।

କ୍ରାଇମବ୍ରାଞ୍ଚ ପକ୍ଷରୁ ଜାରି ପରାମର୍ଶବଳୀରେ ଦର୍ଶାଯାଇଛି ଯେ ସାଇବର‌୍‌ ଅପରାଧୀମାନେ ମୂଳ ଆକାଉଣ୍ଟଧାରୀଙ୍କ ବନ୍ଧୁଙ୍କୁ ଜରୁରୀ ପରିସ୍ଥିତିର ବାହାନା ଦେଖାଇ ତୁରନ୍ତ ଟଙ୍କା ପଠାଇବାକୁ ଅନୁରୋଧ କରୁଛନ୍ତି। ତେଣୁ ଟଙ୍କା ପଠାଇବା ପୂର୍ବରୁ ଭଲ ଭାବେ ଯାଞ୍ଚ କରିବାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ ପରାମର୍ଶବଳୀରେ ଦର୍ଶାଯାଇଛି।

ବରିଷ୍ଠ ଆଇନଜୀବୀଙ୍କ କହିବା ଅନୁଯାୟୀ, କୌଣସି ଇଲୋକ୍ଟ୍ରୋନିକ୍ସ ରେକର୍ଡ କିମ୍ବା ତଥ୍ୟ ବ୍ୟବହାର କରି ଠକେଇ କରିବା ଅଭିଯୋଗରେ ଆଇପିସିର ଧାରା ୪୬୮ ଆଧାରରେ ଦଣ୍ତବିଧାନର ବ୍ୟବସ୍ଥା ରହିଛି। ସେହିଭଳି ଜଣେ ବ୍ୟକ୍ତି ଅନ୍ୟ ଜଣକର ନକଲି ପରିଚୟ ଦେଇ ଠକିବା ଅଭିଯୋଗରେ ଧାରା ୪୧୬ ଆଧାରରେ ମାମଲା ରୁଜୁ କରିବାର ଆଇପିସିରେ ବି ବ୍ୟବସ୍ଥା ରହିଛି। କିନ୍ତୁ ଏହି ନକଲି ଫେସବୁକ ଆକାଉଣ୍ଟ ମାମଲାରେ କୌଣସି ଅପରାଧୀଙ୍କୁ ଠାବ ନକରିବା ଦ୍ବାରା ଦଣ୍ତବିଧାନ ହୋଇପାରୁ ନାହିଁ।

The post ଆଇଏଏସ୍‌, ଆଇପିଏସ୍‌ଙ୍କ ନକଲି ଫେସବୁକ୍‌ ଘଟଣା : ରାଜସ୍ଥାନ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗରୁ ଅପରାଧ ନିୟନ୍ତ୍ରଣ first appeared on Sambad.



from ଜିଲ୍ଲା – Sambad https://ift.tt/2N9jzIB