
ଅସ୍ଥାୟୀ ସେଡ୍ରେ ମେଡିସିନ୍ ବିଭାଗର ୨ଶହ ରୋଗୀ
ସଂକ୍ରମଣ କମୁଛି, ହେଲେ ସରକାରୀ ଯୋଜନା ବହଳୁନି
କଟକ : କରୋନା ପାଇଁ ନ୍ୟୁ ମେଡିସିନ୍ ବିଭାଗକୁ ସଂପୂର୍ଣ୍ଣଭାବେ କୋଭିଡ୍ ହସ୍ପିଟାଲ କରି କେବଳ କରୋନା ରୋଗୀଙ୍କ ପାଇଁ ରଖାଗଲା। ହେଲେ, ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏସ୍ସିବି କୋଭିଡ୍ ହସ୍ପିଟାଲରେ ମାତ୍ର ୧୫। ଅଥଚ ସେଇ ୧୫ଜଣଙ୍କ ପାଇଁ ଏବେ ହନ୍ତସନ୍ତ ହେଉଛନ୍ତି ମେଡିସିନ୍ ବିଭାଗର ୨ଶହରୁ ଅଧିକ ରୋଗୀ। ସ୍ଥାୟୀ ସେଡ୍ ତଳେ ଚାଲିଛି ସେମାନଙ୍କ ଚିକିତ୍ସା। ନ୍ୟୁ ମେଡିସିନ୍ ୱାର୍ଡର ରୋଗୀ ଏବେ ପୁରୁଣା ମେଡିସିନ୍, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଓ କିଛି ଟ୍ରମାରେ ଚିକିତ୍ସିତ ହେଉଛନ୍ତି। ସେଡ୍ରେ ଚିକିତ୍ସିତ ହେଉଥିବାରୁ ନା ଠିକ୍ରେ ମିଳୁଛି ଆଇସିୟୁ, ନା ମିଳୁଛି ଆବଶ୍ୟକ ଉପଯୁକ୍ତ ଚିକିତ୍ସା। ରୋଗ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ୨୦୦ ରୋଗୀ।
ଏସ୍ସିବି କୋଭିଡ୍ ହସ୍ପିଟାଲରେ ୫ଶହ ଶଯ୍ୟା ବ୍ୟବସ୍ଥା ଥିବାବେଳେ ସେଠାରେ ଚିକିତ୍ସିତ ହେଉଛନ୍ତି ମାତ୍ର ୧୫ ସଂକ୍ରମିତ। କୋଭିଡ୍ ହସ୍ପିଟାଲ-୧ରେ ମାତ୍ର ୨/୩ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବାବେଳେ ନ୍ୟୁ ମେଡିସିନ୍ ବିଭାଗରେ ୧୫ଜଣ ଓ ସ୍ତ୍ରୀ-ରୋଗ ପ୍ରସୂତି ବିଭାଗରେ ବି କାଁ ଭାଁ ଆସୁଛନ୍ତି ରୋଗୀ। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରେ ଏସ୍ସିବିରେ ଅକ୍ଟୋବର ଶେଷରେ କୋଭିଡ୍ ହସ୍ପିଟାଲ ଖୋଲିଲେ ସରକାର। ନ୍ୟୁ ମେଡିସିନ୍ କୋଠାକୁ କୋଭିଡ୍ ହସ୍ପିଟାଲ କରି ସେଠାରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଦୁଇଟି ସ୍ଥାନରେ ସେଡ୍ ତିଆରି କରାଯାଇ ସେଠାରେ ରଖାଗଲା। ଆଂଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର ଓ ପୁରୁଣା ମେଡିସିନ୍ ବିଭାଗ ସମ୍ମୁଖରେ ଏହି ସେଡ୍ରେ ଏବେ ପାଖାପାଖି ୨ଶହ ରୋଗୀ ଚିକିତ୍ସିତ ହେଉଛନ୍ତି। କିଛି ରୋଗୀଙ୍କୁ ଟ୍ରମାର ୨ୟ ଓ ୩ୟ ମହଲାରେ ମଧ୍ୟ ରଖାଯାଇ ଚିକିତ୍ସା କରାଯାଉଛି। ଯାଫଳରେ ରୋଗୀ ସେବା ଗୁରୁତର ଭାବେ ପ୍ରଭାବିତ ହେଉଛି। କେବଳ ସେତିକି ନୁହେଁ, କରୋନା ପରେ ଏବେ ଦିନକୁ ଦିନ ଏସ୍ସିବିରେ ସାଧାରଣ ରୋଗୀଙ୍କ ସଂଖ୍ୟା ବଢୁଛି। ଏମିତିରେ ମେଡିସିନ୍ ବିଭାଗରେ ସବୁଠାରୁ ଅଧିକ ରୋଗୀ ଥିବାବେଳେ ଆଇସିୟୁର ଆବଶ୍ୟକତା ମଧ୍ୟ ଅଧିକ ରହିଛି। ଏଭଳି କ୍ଷେତ୍ରରେ ନ୍ୟୁ ମେଡିସିନ୍ ୱାର୍ଡ ସଂପୂର୍ଣ୍ଣ ଭାବେ କୋଭିଡ୍ ହସ୍ପିଟାଲ କରାଯାଇଥିବାରୁ ଏବେ ମେଡିସିନ୍ ବିଭାଗ ରୋଗୀ ଟ୍ରମା ଆଇସିୟୁକୁ ବ୍ୟବହାର କରୁଛନ୍ତି। ସେହିପରି ଟ୍ରମା ରୋଗୀ ସେଣ୍ଟ୍ରାଲ ଆଇସିୟୁ ଉପରେ ନିର୍ଭର କରୁଥିବାରୁ ଡାକ୍ତର ୩ଦିନ ହେଲା ଆଇସିୟୁ ପାଇଁ ଚିଠା ଲେଖୁଥିଲେ ବି ରୋଗୀଙ୍କୁ ମିଳିପାରୁନି ଆଇସିୟୁ। ଏପଟେ ଦଲାଲଙ୍କ ହାତରେ ପଡ଼ି ରୋଗୀ ଓ ସଂର୍ପର୍କୀୟ ନିସ୍ବ ହୋଇ ପଡୁଛନ୍ତି।
ଏସ୍ସିବିରେ କରୋନା ଆରମ୍ଭ ହେବାପରେ ଫେବ୍ରୁଆରି ଶେଷ ସପ୍ତାହ ବେଳକୁ ବର୍ହିବିଭାଗ କୋଠାକୁ କରୋନା ଆଇସୋଲେସନ୍ ସେଣ୍ଟର୍ କରାଗଲା। ସେଠାରେ ପଜିଟିଭ୍ ରୋଗୀ ଓ ସନ୍ଦିଗ୍ଧ ରୋଗୀଙ୍କ ପାଇଁ ସ୍ବତନ୍ତ୍ର କକ୍ଷ ରଖାଗଲା। କିନ୍ତୁ ଯେତେବେଳେ କରୋନା ସଂକ୍ରମଣ ବଢ଼ିଲା ସେହି ସମୟରେ ଏହି ଆଇସୋଲେସନ୍ ୱାର୍ଡରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଲା ଓ ପଜିଟିଭ୍ ଚିହ୍ନଟ ରୋଗୀଙ୍କୁ ଅନ୍ୟ ଘରୋଇ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା। କିନ୍ତୁ ପରେ ସେଠାରେ ହିଁ କୋଭିଡ୍ ରୋଗୀଙ୍କୁ ଚିକିତ୍ସା କରାଗଲା। ସେଠାରେ ପାଇଁ ଡାଏଲିସିସ୍ ବ୍ୟବସ୍ଥା ଥିବାରୁ ଏସ୍ସିବି କୋଭିଡ୍ ହସ୍ପିଟାଲ-୨ରୁ ମଧ୍ୟ ରୋଗୀ ଡାଏଲିସିସ୍ ପାଇଁ ତାହା ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏବେ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାରୁ ଗୋଟିଏ ସ୍ଥାନରେ କୋଭିଡ୍ ହସ୍ପିଟାଲ ବା ସଂକ୍ରମିତଙ୍କୁ ରଖାଯାଇ ଚିକିତ୍ସା ସୁବିଧା ଦେଲେ ହୁଏତ କୋଭିଡ୍ ହସ୍ପିଟାଲ ହୋଇଥିବା ନ୍ୟୁ ମେଡିସିନ୍ ୱାର୍ଡରେ ମେଡିସିନ୍ ବିଭାଗ କାର୍ଯ୍ୟକ୍ଷମ ହୋଇପାରନ୍ତା ଓ ମେଡିସିନ୍ ବିଭାଗ ରୋଗୀ ଯେଉଁଭଳି ଦୟନୀୟ ସ୍ଥିତିରେ ସେଡ୍ରେ ରହି ଚିକିତ୍ସିତ ହେଉଛନ୍ତି ସେଥିରୁ ମଧ୍ୟ ସେମାନେ ମୁକ୍ତି ପାଇପାରନ୍ତେ। କିନ୍ତୁ ଏସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ଓ ମେଡିସିନ୍ ବିଭାଗ ରୋଗୀ ହନ୍ତସନ୍ତ ହେଉଥିବା ସଂପର୍କିତ ତଥ୍ୟ ଉପସ୍ଥାପନ କରାଗଲେ ହୁଏତ ସରକାରୀ ସ୍ତରରେ ଏହା ବିଚାରକୁ ଆସିପାରନ୍ତା ବୋଲି ମତପ୍ରକାଶ ପାଇଛି। କୋଭିଡ୍ ନାଁରେ ଏମିତି ରୋଗୀଙ୍କୁ ହନ୍ତସନ୍ତ କରା ନଯାଉ ବୋଲି କିଛି ସ୍ବେଚ୍ଛାସେବୀ ସଂଗଠନ ପ୍ରଶ୍ନ ଉଠାଇଛନ୍ତି। ଯେହେତୁ ରୋଗୀ ସଂଖ୍ୟା କମିଲେଣି ତେଣୁ ଯେଉଁଭଳି ପୂର୍ବରୁ ଗୋଟିଏ ସ୍ଥାନରେ କୋଭିଡ୍ ରୋଗୀଙ୍କ ଚିକିତ୍ସା ଚାଲିଥିଲା ସେହି ବ୍ୟବସ୍ଥା ପୁଣି କରାଯାଉ ବୋଲି ସେମାନେ ଦାବି କରୁଛନ୍ତି।
The post ଏସ୍ସିବି କୋଭିଡ୍ ହସ୍ପିଟାଲରେ ୧୫ ରୋଗୀ first appeared on Sambad.
from ଜିଲ୍ଲା – Sambad https://ift.tt/2ZfHFUT
0 Comments