ଘୁ.ଉଦୟଗିରି : ଆନୁଷଙ୍ଗିକ ବ୍ୟବସ୍ଥା ସହ ଭିତ୍ତିଭୂମି ଓ ଚକାଚକ୍‌ ସାଜସଜ୍ଜା ହୋଇଛି। ପରିବେଶ ଏବଂ ପରିମଳ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେଇ ଲକ୍ଷାଧିକ ଟଙ୍କା ବ୍ୟୟରେ ସୁନ୍ଦର ଉଦ୍ୟାନ ନିର୍ମାଣ କରାଯାଇଛି। ହେଲେ ବାହାରକୁ ଚକାଚକ୍‌ ଦିଶୁଥିବା ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ ସେବାରେ ସବୁଠାରୁ ପଛରେ ପଡ଼ିଯାଇଛି। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏବେ କାମଚଳାରେ ରୋଗୀସେବା ଚାଲିଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ବର୍ଷ ବର୍ଷ ହେଲା ଖାଲି ପଡ଼ିଛି। ହାତଗଣତି କିଛି ଡାକ୍ତର କାମ ଚଳାଉଛନ୍ତି। ଗୋଟିଏ ମାତ୍ର କୋଠରିରେ ଜଣେ ମାତ୍ର ଡାକ୍ତର ରୋଗୀ ଦେଖୁଥିବା ଦେଖିବାକୁ ମିଳିଛି। ଆଜି ଆମେ ମେଡ଼ିକାଲ ବୁଲିବା ସମୟରେ ଦେଖିବାକୁ ପାଇଥିଲୁ ଜଣେ ମାତ୍ର ଡାକ୍ତର ଉପସ୍ଥିତ ଥିଲେ। ଅନ୍ୟ ସବୁ କୋଠରୀରେ ତାଲା ଝୁଲୁଥିଲା। ସକାଳ ୯ଟା ପର୍ଯ୍ୟନ୍ତ ଅନ୍ୟ ଡାକ୍ତରଙ୍କ କୋଠରି ନ ଖୋଲିବା ପରେ ଆମେ ସ୍ୱାସ୍ଥ୍ୟକେନ୍ଦ୍ରରେ ଥିବା କିଛି ରୋଗୀଙ୍କୁ ପଚାରିଥିଲୁ ସେମାନେ ଉତ୍ତର ଦେଲେ ଏହି କୋଠରିରେ ବହୁଦିନ ହେଲା ଡାକ୍ତର ବସୁ ନାହାନ୍ତି। ତାଲା ପଡ଼ି ରହୁଛି। ଜଣେ ଡାକ୍ତରରେ ଚାଲୁଛି ରୋଗୀସେବା। ଏଠି ପ୍ରଶ୍ନ ଉଠୁଛି ସ୍ୱାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଉ ସ୍ୱଚ୍ଛ ପରିବେଶ ସୃଷ୍ଟି କରାଯାଉ, ବଗିଚା କରାଯାଉ, ଆଲୋକ ମାଳାରେ ସଜାଯାଉ। ହେଲେ ଏ ସବୁ ସାଜସଜ୍ଜା କାହା ସ୍ୱାର୍ଥରେ। ମେଡ଼ିକାଲରେ ରୋଗୀ ସେବା ପାଇପାରୁ ନାହାନ୍ତି। ଯେଉଁଠି ରୋଗୀଙ୍କୁ ରଖି ସେବା ଯୋଗାଇ ଦିଆଯାଇ ପାରୁନାହିଁ,  ସେଠାରେ ଏହିଭଳି ସାଜସଜ୍ଜାର ମାନେ କଣ ଅଛି। କାହା ସ୍ୱାର୍ଥରେ ଲାଗୁଛି ଏହି ଭଳି ସାଜସଜ୍ଜା?
ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ୫୦ ହଜାରରୁ ଊର୍ଦ୍ଧ୍ବ ଲୋକ ଭରସା କରନ୍ତି।  ଘୁ.ଉଦୟଗିରି ବ୍ଲକ, ଏନ୍‌ଏସି, ରାଇକିଆ ବ୍ଲକର କିଛି ଅଞ୍ଚଳ, ଟିକାବାଲି ବ୍ଲକର କିଛି ଅଂଚଳ ସହ ଗଞ୍ଜାମ କନ୍ଧମାଳ ଜିଲ୍ଲା ସୀମାରେ ଥିବା ବହୁ ଅଞ୍ଚଳର ଲୋକ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଭରସା କରିଥାନ୍ତି।  ହେଲେ ବହୁ ବର୍ଷ ହେଲା ସ୍ୱାସ୍ଥ୍ୟକେନ୍ଦ୍ରର ସ୍ୱାସ୍ଥ୍ୟସେବା ବିଗିଡି ଯାଇଛି। ସାମନ୍ୟ ରୋଗ ପାଇଁ ବି ବାହାରକୁ ରେଫର କରାଯାଉଛି। ସ୍ଥାନୀୟ ଅଞ୍ଚଳବାସୀ ବାରମ୍ବାର ସରକାରଙ୍କ ନିକଟରେ  ଖାଲି ପଡିଥିବା ବିଶେଷଜ୍ଞ ଡାକ୍ତର ପଦବି ପୂରଣ ନିମନ୍ତେ ଦାବି ଉପସ୍ଥାପନ କରୁଛନ୍ତି। ଏପଟେ ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ଏମିତିରେ ଗରିବ ଲୋକ ଚିକିତ୍ସା ପାଇଁ ବ୍ରହ୍ମପୁର, ଭୁବନେଶ୍ୱର ଓ କଟକ ଯାଇ ଅଯଥା ଖର୍ଚ୍ଚାନ୍ତ ହେଉଥିଲେ ହେଁ ସ୍ୱାସ୍ଥ୍ୟବିଭାଗ ହାତଯୋଡ଼ି ବସିରହିଛି। ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଖାଲି ଥିବା ସମସ୍ତ ବିଶେଷଜ୍ଞ ଡାକ୍ତର ପଦବି ପୂରଣ କରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି।

The post ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଲଟିଛି ରେଫରାଲ ହସ୍‌ପିଟାଲ first appeared on Sambad.



from ଜିଲ୍ଲା – Sambad https://ift.tt/3k3cbux