
ଚାନ୍ଦୋଳ: ଚାନ୍ଦୋଳ ହାଟରୁ ଆଜି ଜଣେ ମୋବାଇଲ ଚୋରକୁ କାବୁ କରାଯାଇଛି। ସେ ଜଣେ ନାବାଳକ ହୋଇଥିବା ବେଳେ ତା’ର ଘର ଝାଡ଼ଖଣ୍ଡରେ ବୋଲି ଜଣାପଡ଼ିଛି। ଗଲା କିଛି ଦିନ ଭିତରେ ଚାନ୍ଦୋଳ ହାଟରେ ମୋବାଇଲ୍ ଚୋର ଆତଙ୍କ ଖେଳାଇ ଚାଲିଥିଲେ। ବ୍ୟବସାୟୀଙ୍କଠୁ ଆରମ୍ଭ କରି ଗ୍ରାହକଙ୍କ ନିଦ ହଜି ଯାଇଥିଲା। ଏହି ଚୋରି ପଛରେ ଏକ ରୢାକେଟ୍ କାମ କରୁଥିବା ସନ୍ଦେହ ବଢିଥିବା ବେଳେ ଆଜି ତା’ର ପ୍ରମାଣ ମିଳିଛି। ଝାଡ଼ଖଣ୍ଡର ନାବାଳକ ଧରା ପଡ଼ିବା ପରେ ଏହି ରୢାକେଟ୍ର ଚେର ଝାଡ଼ଖଣ୍ଡ ଯାଏ ଲମ୍ବିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି।
ସୂଚନା ଅନୁସାରେ, ନୂଆପଡ଼ା ଗ୍ରାମର ମହେଶ୍ବର ଷଣ୍ଢ ଚାନ୍ଦୋଳ ହାଟରେ ସଉଦା କରୁଥିବା ବେଳେ ନାବାଳକ ଜଣଙ୍କ ତାଙ୍କ ମୋବାଇଲ୍ ଫୋନ୍ଟିକୁ କୌଶଳ କ୍ରମେ ଝାମ୍ପି ନେଇଥିଲା। ହେଲେ, ଏହି ସମୟରେ ଫୋନ୍ଟି ତଳେ ପଡ଼ି ଯାଇଥିଲା। ଶ୍ରୀ ଷଣ୍ଢ ସତର୍କ ହୋଇଯାଇ ଉକ୍ତ ଫୋନ୍ଟିକୁ ତଳୁ ଗୋଟାଇ ଆଣିବା ସହ ନାବାଳକ ଲୁଟେରାକୁ ମାଡ଼ି ବସିଥିଲେ। ସେଠାରେ ଘଟଣାସ୍ଥଳରେ ସାଦା ପୋଷାକରେ ଥିବା ପୁଲିସ୍ କର୍ମଚାରୀ ନିହାରକାନ୍ତ ପ୍ରଧାନ ଉକ୍ତ ଲୁଟେରାକୁ କାବୁ କରି ଫାଣ୍ତିକୁ ନେଇଥିଲେ। ସେଠାରେ ପଚରାଉଚୁରା ବେଳେ ନାବାଳକ ଲୁଟେରାର ଘର ଝାଡ଼ଖଣ୍ତର ସାରରଗଞ୍ଜ ଜିଲ୍ଲା ତିନପା ଥାନା ବୌମୁରୁ ଅଞ୍ଚଳରେ ବୋଲି ଜଣାପଡ଼ିଥିଲା। ଏହି ଘଟଣାରୁ ମୋବାଇଲ୍ ଚୋରି ରୢାକେଟର ଚେର ଓଡ଼ିଶାରୁ ଝାଡ଼ଖଣ୍ତ ଲମ୍ବିଥିବା ଆଶଙ୍କା ଦୃଢୀଭୂତ ହୋଇଛି।
The post ଝାଡ଼ଖଣ୍ତକୁ ଲମ୍ବିଛି ଚେର; ନାବାଳକ ଲୁଟେରାକୁ ମାଡ଼ି ବସିଲେ first appeared on Sambad.
from ଜିଲ୍ଲା – Sambad https://ift.tt/3uuAgzh
0 Comments