
ଆନନ୍ଦପୁର/ହରିଚନ୍ଦନପୁର : କେନ୍ଦୁଝର ଜିଲ୍ଲା ବ୍ରାହ୍ମଣୀପାଳରେ ଥିବା ମା’ ଟିପର ଆସୋସିଏସନରେ ଚାଲିଥିବା ବେଆଇନ କାର୍ଯ୍ୟକଳାପକୁ ନେଇ ପୁଣି ବିବାଦ ଦେଖାଦେଇଛି। ଏନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ କିମ୍ବା ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ଟିପର ମାଲିକମାନେ ଏହାର ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ସମେତ ୩ଜଣ କର୍ମକର୍ତ୍ତାଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି। କେନ୍ଦୁଝର ଏସ୍ପି ତୁରନ୍ତ ଏଥିରେ ହସ୍ତକ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।
ଅଭିଯୋଗ ଅନୁସାରେ, ଯାଜପୁର ଜିଲ୍ଲାରେ ପଞ୍ଜିକୃତ ହୋଇଥିବା ମା’ ଟିପର ମାଲିକ ସଂଘ କେନ୍ଦୁଝର ଜିଲ୍ଲାରେ ନିଜ କାର୍ଯ୍ୟାଳୟ ପ୍ରତିଷ୍ଠା କରି ଗାଡ଼ି ଗୁଡ଼ିକରୁ ବେଆଇନଭାବେ ଚାନ୍ଦା ଆଦାୟ ଜାରି ରଖିଛି। ଯାଜପୁର ଜିଲ୍ଲାରେ ଏହି ସଂଘର ବୈଧତା ସମାପ୍ତ ହୋଇଥିବାବେଳେ କେନ୍ଦୁଝର ଜିଲ୍ଲାରେ ବଳପୂର୍ବକ ଚାନ୍ଦା ଆଦାୟ କରାଯାଉଛି। ଏପରିକି ଗାଡ଼ିର ମେମ୍ବରସିପ୍ ନାମରେ ମାଲିକଙ୍କଠାରୁ ୩ ହଜାର ଟଙ୍କା ଲେଖାଏଁ ଆଦାୟ କରାଯାଇଥିବା ଅଭିଯୋଗ ହୋଇଛି। ଘସିପୁରା ବିଧାୟକଙ୍କ ପୁଅ ଏହି ବେଆଇନ କାର୍ଯ୍ୟରେ ସମ୍ପୃକ୍ତ ଥିବାବେଳେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ଏହି ବିବାଦ ଛଅମାସ ହେଲା ଲାଗିରହିଛି। ଅନେକଥର ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍ ହେବାସହ ପରିବହନ ମଧ୍ୟ ବାଧାପ୍ରାପ୍ତ ହେଉଛି। ଏନେଇ ଗତକାଲି କେନ୍ଦୁଝର ଜିଲ୍ଲାର ଦୁଇଶହରୁ ଊର୍ଦ୍ଧ୍ବ ଟିପର ମାଲିକ ଦୈତାରୀ ଥାନାରେ କେନ୍ଦୁଝର ଏସ୍ପିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଦେବାଶିଷଙ୍କ ସମେତ ଖାଲପାଳର ନରୋତ୍ତମ ଜେନା, ଟମକା ଥାନା ବଗପାଟିଆର ପଞ୍ଚାନନ ଜେନାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି।
ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗାଡ଼ି ମାଲିକ ପ୍ରଦୀପ ମହାନ୍ତି, ମାନସ ଚକ୍ର, ବାପୁଜୀ ମାଝୀ, ମାନସ ମହାନ୍ତି, ନବକିଶୋର ଜେନା, ଅଭିଜିତ ସା, ପଙ୍କଜ ଚକ୍ର, କୃଷ୍ଣଚନ୍ଦ୍ର ମୁର୍ମୁ, ସାଲଖୁ ହେମ୍ବ୍ରମ, ସଞ୍ଜୟ ରାଉତ, ବିକ୍ରମ ଚକ୍ର, ଅଭିଷେକ ମାଝୀ, କାର୍ତ୍ତିକ ଦାସ, ପ୍ରସନ୍ନ ନାୟକ, ଅଟଳେଶ୍ବର ସିଂହ, ବିମଳ ମଲିପ, ତରଣୀସେନ ରାଉତ ଦାବି କରିଛନ୍ତି।
The post ଘସିପୁରା ବିଧାୟକଙ୍କ ପୁଅ ନାମରେ ଥାନାରେ ଅଭିଯୋଗ first appeared on Sambad.
from ଜିଲ୍ଲା – Sambad https://ift.tt/3rDoH6H
0 Comments