
ଯାଜପୁର : ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାକୁ କରୋନା ବେଳେ ଲକ୍ଷାଧିକ ପ୍ରବାସୀ ବିଦେଶରୁ ଫେରିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଜିଲ୍ଲାରେ ପ୍ରାୟ ୧୦ହଜାର ରାସନ କାର୍ଡଧାରୀ ଉଭାନ ହେବା ପରି ୯ହଜାର ୯୫୪ଜଣ ନିର୍ମାଣ ଶ୍ରମିକ ନିଖୋଜ ହୋଇଯାଇଛନ୍ତି। ଫଳରେ ନିର୍ମାଣ ଶ୍ରମିକଙ୍କ ପାଇଁ ଆସିଥିବା ଅନୁଦାନରୁ ୧କୋଟି ୪୯ଲକ୍ଷ ୩୧ହଜାର ଟଙ୍କା ବଣ୍ଟନ ନହୋଇ ଗତ ଏପ୍ରିଲ ମାସରୁ ପଡ଼ି ରହିଛି।
ସୂଚନାଯୋଗ୍ୟ ଗତ ମାର୍ଚ୍ଚ ସୁଦ୍ଧା ୧ଲକ୍ଷ ୩୭ହଜାର ୫୬୦ଜଣ ନିର୍ମାଣ ଶ୍ରମିକଙ୍କ ନାମ ଶ୍ରମ ବିଭାଗରେ ପଞ୍ଜୀକରଣ ହୋଇଥିଲା। ସରକାର ପ୍ରତ୍ୟେକ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା ରାଶି ଦେଢହଜାର ଟଙ୍କା କରି ପ୍ରଦାନ କଲେ। ତେବେ ସରକାର ୨୦୧୭ସୁଦ୍ଧା ନବୀକରଣ ହୋଇଥିବା ମାତ୍ର ୫୬ହଜାର ୧୮୩ଜଣଙ୍କୁ ସହାୟତା ପ୍ରଦାନ କରିବାକୁ ଅନୁଦାନ ଯୋଗାଇ ଦେଲେ। ହେଲେ ୪୬ହଜାର ୨୨୯ଜଣଙ୍କୁ ସହାୟତା ରାଶି ପ୍ରଦାନ କରଯାଇଥିବାବେଳେ ଅବଶିଷ୍ଟ ୯ହଜାର ୯୫୪ଜଣଙ୍କର କୌଣସି ଖୋଜଖବର ମିଳୁନାହିଁ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କ ପାଇଁ ଅନୁଦାନ ଯୋଗାଇଥିବା ବେଳେ ସେଥିରୁ ୯,୯୫୪ଜଣ ନିର୍ମାଣ ଶ୍ରମିକ ନିଖୋଜ ହୋଇଯିବା ଘଟଣା ଏକ ବଡ଼ କେଳେଙ୍କୋରୀ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। କେତେକ ସଂଗଠନ ଜଣେ ଜଣେ ବ୍ୟକ୍ତିଙ୍କୁ ଏକାଧିକ ସଭ୍ୟ କରିବା, ବ୍ୟବସାୟୀ ଓ ଚାକିରିଆଙ୍କ ନାମରେ ମଧ୍ୟ ନିର୍ମାଣ ଶ୍ରମିକ କାର୍ଡ କରିଥିଲେ। ଏହି ଭୂତ ନିର୍ମାଣ ଶ୍ରମିକଙ୍କ ନାମରେ ବର୍ଷ ବର୍ଷ ଧରି ସାଇକଲ, ବିବାହ ସହାୟତା ଓ ଶିକ୍ଷା ସହାୟତା ହଡ଼ପ କରାଯାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଅତିରିକ୍ତ ଜିଲ୍ଲା ଶ୍ରମ ଅଧିକାରୀ ସନ୍ତୋଷ କୁମାର ମହାନ୍ତି କହିଛନ୍ତି କାର୍ଯ୍ୟ ବ୍ୟସ୍ତତା ଯୋଗୁ ବଣ୍ଟନ ହୋଇପାରିନଥିଲା। ଏଥି ମଧ୍ୟରେ ବଣ୍ଟନ କାର୍ଯ୍ୟ ଶେଷ ହୋଇଯିବ। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ନିର୍ମାଣ ଶ୍ରମିକ ନାମରେ ଚାଲିଥିବା ହରିଲୁଟ୍ର ପର୍ଦ୍ଦାଫାସ ହେବ ବୋଲି ଅଣସଂଗଠିତ ଶ୍ରମିକ ସଂଘର ରାଜ୍ୟ ଅଧ୍ୟକ୍ଷ ବିଦ୍ୟାଧର ମହାନ୍ତି ଦାବି କରିଛନ୍ତି।
The post ହଜାର ହଜାର ନିର୍ମାଣ ଶ୍ରମିକ ଗାଏବ, ଫେରିଯିବ, ୧.୪୯କୋଟି ଟଙ୍କା first appeared on Sambad.
from ଜିଲ୍ଲା – Sambad https://ift.tt/3aFytzk
0 Comments