ମାଲକାନଗିରି : ବିନା କାରଣରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା ଧମକ ଦେଇ ଅଡ଼ୁଆରେ ପଡ଼ିଛି ନକ୍ସଲ ସଂଗଠନ। ଆଜି ଛତିଶଗଡ଼ର ଜଗଦଲପୁର ଠାରେ ୪ ରାଜ୍ୟର ଶହ ଶହ ସଂଖ୍ୟାରେ ସାମ୍ବାଦିକ ଏକାଠି ହୋଇ ସଂଗଠନ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ଛତିଶଗଡ଼ ସମେତ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟର ଗଣମାଧ୍ୟମ ପ୍ରତିନିଧି ରାଲି କରି ନକ୍ସଲଙ୍କ କ୍ରୂରତା ବିରୋଧରେ ସ୍ବର ଉତ୍ତୋଳନ କରି ତୁରନ୍ତ କ୍ଷମା ମାଗିବାକୁ ଦାବି କରିଛନ୍ତି।

ଗତ ଶୁକ୍ରବାର ଦିନ ଛତିଶଗଡ଼ର ଏକ ନକ୍ସଲ ସଂଗଠନ ଗଣମାଧ୍ୟମ ଉଦ୍ଦେଶ୍ୟରେ ବିଜ୍ଞପ୍ତି ଜାରି କରିଥିଲା। ସେଥିରେ ସୁକମା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ଲୀଲାଧର ରାଠୀ ଏବଂ ବିଜାପୁରର ଗଣେଶ ମିଶ୍ରାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଖୋଲା ଚେତାବନୀ ଦିଆଯାଇଥିଲା। ତେବେ କେଉଁ ଭୁଲ ପାଇଁ ଉଭୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରିବାକୁ ସଂଗଠନ ଧମକ ଦେଇଛି, ସେ ନେଇ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନଥିଲା। ତେବେ, ଏହାର ପ୍ରତିବାଦରେ ଆଜି ୪ ରାଜ୍ୟର ସାମ୍ବାଦିକମାନେ ଏକାଠି ହୋଇଥିଲେ। ଏବଂ, ନକ୍ସଲଙ୍କ ଏହିଭଳି ଆଚରଣର ତୀବ୍ର ନିନ୍ଦା କରିଥିଲେ।

ସାମ୍ବାଦିକଙ୍କ ଏଭଳି ତୀବ୍ର ପ୍ରତିକ୍ରିୟା ନକ୍ସଲ ସଂଗଠନକୁ ପଛଘୁଞ୍ଚା ଦେଇଛି। ତୁରନ୍ତ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ସାମ୍ବାଦିକଙ୍କୁ ରାଲି ଏବଂ ସାଧାରଣ ସଭା ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଏହି ଘଟଣାକୁ ଆଉ ଆଗକୁ ନ ବଢ଼ାଇ ଆପୋସ ବୁଝାମଣାରେ ସମାଧାନ ପାଇଁ ନିବେଦନ କରାଯାଇଛି। ଆଜିର ସାମ୍ବାଦିକଙ୍କ ରାଲିରେ ମାଲକାନଗିରି ଏମ୍‌ୟୁଜେରୁ ଜିଲ୍ଲା ସଭାପତି ଦେବପ୍ରସାଦ ଦାସ, ସଂପାଦକ ପ୍ରେମେନ୍ଦ୍ର ପରିଛା, ଉପସଭାପତି ସତ୍ୟ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦକ ବିକ୍ରମ ପାଢ଼ୀ, ସାମ୍ବାଦିକ ଦେବବ୍ରତ ସାନା, ପ୍ରକାଶ ପଟନାୟକ, ରବିରଶ୍ମି ଗୁରୁ, ସୀମାଞ୍ଚଳ ବିଶ୍ବାଳ ପ୍ରମୁଖ ସାମିଲ ହୋଇଥିଲେ।

The post ସାମ୍ବାଦିକଙ୍କୁ ନକ୍ସଲଙ୍କ ହତ୍ୟା ଧମକ ଘଟଣା : ଏକଜୁଟ୍‌ ହେଲେ ୪ ରାଜ୍ୟର ସାମ୍ବାଦିକ first appeared on Sambad.



from ଜିଲ୍ଲା – Sambad https://ift.tt/3auXBZJ