
ସମ୍ବଲପୁର : ନିଜ କଷ୍ଟୋପାର୍ଜିତ ଧାନକୁ ଉଚିତ ମୂଲ୍ୟରେ ବିକ୍ରି କରିବାର ଚାଷୀର ଅଧିକାରକୁ ନେଇ ବିଜେପି ଦୀର୍ଘଦିନ ହେଲା ଆନ୍ଦୋଳନ ଚଳାଇ ଆସିଛି। କିନ୍ତୁ ଓଡ଼ିଶା ସରକାର ଚାଷୀର ହକ୍କୁ ମାରୁଛନ୍ତି। ଜାଣିଶୁଣି ଚାଷୀର ଜୀବନଜୀବିକାରେ ବ୍ୟାଘାତ ସୃଷ୍ଟି କରୁଛନ୍ତି। ତେଣୁ ଚାଷୀଙ୍କ ହକ୍ ପାଇଁ ଲଢ଼େଇକୁ ଜାରି ରଖି ବିଜେପି ଆସନ୍ତା ୧୩ ତାରିଖ ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଓ ୩୭ଟି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ଜାତୀୟ ଓ ରାଜ୍ୟ ରାଜପଥରେ ୩ ଘଣ୍ଟା ଚକାଜାମ୍ ଆନ୍ଦୋଳନ କରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି।
ଗୁରୁବାର ସମ୍ବଲପୁର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ସାଧାରଣ ସଂପାଦକ ତଥା ପୂର୍ବତନ ବିଧାୟକ ରବି ନାୟକ କହିଲେ, ଆମେ ଗତ ୨୧ ତାରିଖରେ ଆର୍ଡିସିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲୁ, ୨୨ରେ ଆର୍ଡିସିଙ୍କ ସହ ଆଲୋଚନା କରିଥିଲୁ। ସରକାରଙ୍କୁ ଚାଷୀଙ୍କ ସମସ୍ୟା ସଂପର୍କରେ ଅବଗତ କରାଇଥିଲୁ। ଏହା ଭିତରେ ଅଦିନିଆ ବର୍ଷାରେ ଚାଷୀର ଧାନ ନଷ୍ଟ ହୋଇଛି। ଚାଷୀ ଅଣ୍ଡର୍ରେଟ୍ରେ ଧାନ ବିକିଛି। ପରିସ୍ଥିତି ଏପରି ହୋଇଛି ଯେ ନଷ୍ଟ ହେବା ଆଶଂକାରେ ଅନେକ ଚାଷୀ ଦୋହରା ଖର୍ଚ୍ଚ କରି ମଣ୍ଡିରୁ ଘରକୁ ଧାନ ଫେରାଇ ଆଣୁଛନ୍ତି। ଆମେ ସରକାରଙ୍କୁ ଗତ ୭ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଥିଲୁ। ତା’ ଭିତରେ ମିଲର୍ସଙ୍କ ଟାର୍ଗେଟ୍ ବୃଦ୍ଧି କରି କିଛି କିଛି ଧାନ ଉଠାଯାଇଛି। ଏହି ଟର୍ଗେଟ୍କୁ ସରକାର କେଉଁ ଉଦ୍ଦେଶ୍ୟରେ ଲୁଚାଇ ରଖିଥିଲେ ବୋଲି ଶ୍ରୀ ନାଏକ ପ୍ରଶ୍ନ କରିଥିଲେ। ତେଣୁ ସବୁ ଚାଷୀଙ୍କ ସମସ୍ତ ବଳକା ଧାନ ଉଠାଇବା ଦାବିରେ ଆସନ୍ତା ୧୩ ତାରିଖ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ବିଜେପି ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡ ଦେଇ ଯାଇଥିବା ରାଜପଥ ଗୁଡ଼ିକରେ ଚକାଜାମ୍ କରିବ ବୋଲି ସେ ଘୋଷଣା କରିଥିଲେ। ଡାକ୍ତରୀ କାର୍ଯ୍ୟ, ପରୀକ୍ଷା, ବାହାଘର ତଥା କ୍ଷୀର ଯୋଗାଣରେ ନିୟୋଜିତ ଗାଡ଼ିଗୁଡ଼ିକୁ ଏହି ବନ୍ଦରୁ ବାଦ୍ ଦିଆଯିବ ବୋଲି କହିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ରେଂଗାଲି ବିଧାୟକ ତଥା ରାଜ୍ୟ ଉପସଭାପତି ନାଉରୀ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରାଧେଶ୍ୟାମ ବାରିକ, ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲ, ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ର, ସୀମାଞ୍ଚଳ ଖଟେଇ, ରାମଚନ୍ଦ୍ର ମେହେର ଏବଂ ଗଣମାଧ୍ୟମ ସଂଯୋଜକ ମାନସ ବକ୍ସି ଉପସ୍ଥିତ ଥିଲେ।
The post ଧାନବିକ୍ରି ପ୍ରସଂଗକୁ ନେଇ ପୁଣି ଗର୍ଜିଲା ବିଜେପି : ୧୩ରେ ପଶ୍ଚିମ ଓଡ଼ିଶାରେ ୩ ଘଣ୍ଟିଆ ଚକାଜାମ୍ first appeared on Sambad.
from ଜିଲ୍ଲା – Sambad https://ift.tt/2LJhClN
0 Comments