ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅନ୍ତର୍ଗତ ସାଲେପାଲି ପଞ୍ଚାୟତର ସରପଞ୍ଚ କଛାରପାଲି ଗ୍ରାମର ଜଣେ ଯୁବତୀଙ୍କୁ ଆବାସ ଯୋଜନାରେ ଘର ପାଇଁ  ଶାରୀରିକ ସମ୍ପର୍କ ସର୍ତ୍ତ ରଖିବା ସହିତ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ସରପଞ୍ଚଙ୍କୁ ଗତ ନଭେମ୍ବର ୧୮ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା।

ଗିରଫ ହେବାର ଦୁଇମାସ ପରେ ସଂପୃକ୍ତ ସରପଞ୍ଚଙ୍କୁ ପଦବିରୁ ନିଲମ୍ବନ କରାଯାଇଥିଲା। ଏହାକୁ ନେଇ ସାଧାରଣରେ ଅନେକ କଳ୍ପନା ଜଳ୍ପନା ଚାଲିଥିଲା। ଶାସକ ଦଳର ଖାସ୍‌ ଲୋକ ହୋଇଥିବା କାରଣରୁ ନିଲମ୍ବନ ପ୍ରକ୍ରିୟାରେ ଜାଣିଶୁଣି ଏତେ ବିଳମ୍ବ କରାଗଲା ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନା ଅନୁଯାୟୀ, ସାଲେପାଲି ସରପଞ୍ଚ ରମେଶ ସାହୁ କଛାରପାଲି ଗ୍ରାମର ଜଣେ ଯୁବତୀଙ୍କୁ ଆବାସ ଘର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କର ସର୍ତ୍ତ ରଖି ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ମ. ରାମପୁର ଥାନା କେସ ନଂ.୧୯୫/୨୦ରେ ଗିରଫ ହୋଇ କୋର୍ଟ ଚାଲାଣ ହେବା ପରେ ଜେଲ୍‌ରେ ଅଛନ୍ତି।

ସରପଞ୍ଚ ରମେଶ ସାହୁ ଗିରଫ ହେବା ପରେ ବିଭିନ୍ନ ମହଲରୁ ସରପଞ୍ଚଙ୍କୁ ପଦବିରୁ ବହିଷ୍କାର କରିବା ପାଇଁ ଦାବି ହୋଇଥିଲା। ନଭେମ୍ବର ୧୮ତାରିଖରୁ ଗିରଫ ହୋଇଥିବା ଅଭିଯୁକ୍ତ ସରପଞ୍ଚଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ଏହାପରେ ମନରେଗା ଦୁର୍ନୀତି, ଗୋଚର ଜମି ଜବରଦଖଲ ଘଟଣାରେ ଛନ୍ଦି ହୋଇ ପୁଣିଥରେ ବିବାଦ ଘେରକୁ ଆସିଥିଲେ।

ଶାସକ ଦଳର ନେତାଙ୍କ ଖାସ୍‌ ଲୋକ ହୋଇଥିବା କାରଣରୁ ଲୋକଙ୍କ ବାରମ୍ବାର ଦାବି ସତ୍ତ୍ୱେ ପୂର୍ବରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଥିଲା। ଗିରଫର ଦୁଇ ମାସ ପରେ ସରପଞ୍ଚ ପଦବିରୁ କଳାହାଣ୍ଡି ଜିଲ୍ଲାପାଳ ନିଲମ୍ବନ କରିଥିବା ସୂଚନା ମିଳିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୪୮/୧୮.୧.୨୦୨୧ ଅନୁଯାୟୀ ଅଭିଯୁକ୍ତ ସରପଞ୍ଚଙ୍କୁ ନିଲମ୍ବିତ କରାଯିବା ସହିତ ନାଏବ ସରପଞ୍ଚ ମମତା ମାଝୀଙ୍କୁ ସରପଞ୍ଚ ଦାୟିତ୍ୱ ଦିଆଯାଇଛି।

The post ଆବାସ ଯୋଜନା ପାଇଁ ଶାରୀରିକ ସମ୍ପର୍କ ସର୍ତ୍ତ ଘଟଣା; ଗିରଫ ପରେ ନିଲମ୍ବନ ପାଇଁ ଦୁଇ ମାସ ଲାଗିଲା first appeared on Sambad.



from ଜିଲ୍ଲା – Sambad https://ift.tt/37AvV3z