କଟକ: ଖାନ୍‌ନଗର ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ନିର୍ମ‌ାଣ ପାଇଁ ସିଏମ୍‌ସିର ବିଶ୍ବନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରର ଉଚ୍ଛେଦ କାମ ଗତକାଲି ଠାରୁ ଆରମ୍ଭ ହୋଇଛି। ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକସନ୍‌ କ‌ର୍ପୋରେସନ୍‌ (ଓବି ଆଣ୍ଡ ସିସି) ପକ୍ଷରୁ ଉଚ୍ଛେଦ କାମ କରାଯାଉଛି। ସିଏମ୍‌ସିର ବିନା ଅନୁମତିରେ ପୂର୍ବାହ୍ନରେ ଓବି ଆଣ୍ଡ୍‌ ସିସି ପାଠାଗାରକୁ ଭାଙ୍ଗୁଥିବାବେଳେ ଏହାକୁ କିଛି ସମୟ ପାଇଁ ବନ୍ଦ ରଖାଯାଇଥିଲା। ପରେ ନିଗମ ପକ୍ଷରୁ ପାଠାଗାର କୋଠା ଓବି ଆଣ୍ଡ ସିସିକୁ ହସ୍ତାନ୍ତର ପରେ ଅପରାହ୍ନରେ ଉଚ୍ଛେଦ କାମ ପୁନର୍ବାର ଆରମ୍ଭ ହୋଇଥିଲା। ବିଶ୍ବନାଥ କେନ୍ଦ୍ରୀୟ ପାଠାଗାରକୁ ଭେଲଭିୟୁ ଛକସ୍ଥିତ ଓଡ଼ିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବ୍ୟୁନାଲ୍‌(ଓଏଟି)କୁ ସ୍ଥାନାନ୍ତର କରାଯାଇଛି। ଚଳିତମାସ ଶେଷ ସୁଦ୍ଧା ଏହାକୁ ଛାତ୍ରଛାତ୍ରୀଙ୍କ ପାଇଁ ଖୋଲାଯିବ।

କଟକ ଖାନନଗରଠାରେ ଅତ୍ୟାଧୁନିକ ନେତାଜୀ ବସ୍‌ ଟର୍ମିନାଲ ନିର୍ମାଣ କରିବାକୁ ରାଜ୍ୟ ସରକାର ଘୋଷଣା କରିବା ପରେ ମହାନଗର ନିଗମର କେନ୍ଦ୍ରୀୟ ଚାରା ଉଦ୍ୟାନ (ନର୍ସରି) ଓ ବିଶ୍ବନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରକୁ ସ୍ଥାନାନ୍ତର କରାଯାଇଛି। ପୂର୍ବରୁ ସିଏମସିର ନର୍ସରିକୁ ଭଙ୍ଗାଯାଇଥିବାବେଳେ ଆଜି ନିଗମର କେନ୍ଦ୍ରୀୟ ପାଠାଗାରର ଭଙ୍ଗା କାମ ଆରମ୍ଭ ହୋଇଛି। ବସ୍‌ ଟର୍ମିନାଲ ନିର୍ମାଣ ସ୍ଥାନରେ ଥିବା ସିଏମ୍‌ସିର ସମସ୍ତ ବିଲିଡିଂକୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ କନଷ୍ଟ୍ରକସନ୍‌ କର୍ପୋରେସନ୍‌ ଦ୍ବାରା ଭଙ୍ଗାଯିବ। ଆଜି କର୍ପୋରେସନ୍‌ ତରଫରୁ ପୂର୍ବାହ୍ନରେ ୧୧ଟାରେ ପାଠାଗାର ଭଙ୍ଗା କାମ ଆରମ୍ଭ ହୋଇଥିଲା। ମାତ୍ର ସିଏମ୍‌ସି ପାଠାଗାର କୋଠାକୁ କର୍ପୋରେସନକୁ ହସ୍ଥାନ୍ତର କରି ନଥିବା ବେଳେ ଏହାର ଭଙ୍ଗା କାମ ଆରମ୍ଭ ହୋଇଥିଲା।

ନିଗମ ଭଙ୍ଗା କାମକୁ ବନ୍ଦ କରିବା ସହିତ କୋଠାର ହସ୍ଥାନ୍ତର ପ୍ରକ୍ରିୟା ଆରମ୍ଭ କରିଥିଲା। ଅପରାହ୍ନରେ ନିଗମ ପକ୍ଷରୁ ଉକ୍ତ ପ୍ରକ୍ରିୟା ଶେଷ ହେବାପରେ ଉଚ୍ଛେଦ କାମ ପୁନର୍ବାର ଓବି ଆଣ୍ଡ ସିସି ତରଫରୁ ଆରମ୍ଭ ହୋଇଥିଲା। ୧୯୯୮ରେ ସିଏମସି ଅଧୀନରେ ଆରମ୍ଭ ହୋଇଥିବା ବିଶ୍ବନାଥ ପଣ୍ଡିତ କେନ୍ଦ୍ରୀୟ ପାଠାଗାରରେ ୬୦ ହଜାରରୁ ଅଧିକ ବହି ରହିଛି। ଦୀର୍ଘ ୨୩ବର୍ଷ ଧରି ଖାନନଗରଠାରେ ଉକ୍ତ ପାଠାଗାରଟି ରହିଥିଲା। ଏହା ଉପରେ କଟକ ସହର ସମେତ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଅନ୍ୟ ଜିଲ୍ଲାର ଛାତ୍ରଛାତ୍ରୀ ନିର୍ଭର କରୁଥିଲେ। ଏବେ କେନ୍ଦ୍ରୀୟ ପାଠାଗାରକୁ ବେଲ୍‌ଭ୍ୟୁଛକ ନିକଟସ୍ଥ ଓଡ଼ିଶା ଆଡ୍‌ମିନିଷ୍ଟ୍ରେଟିଭ ଟ୍ରବ୍ୟୁନାଲ୍‌ କୋଠାକୁ ସ୍ଥାନାନ୍ତର କରାଯାଇଛି। ଏଠାରେ ଏକା ସାଙ୍ଗରେ ୪ ଶହ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନିଗମ ପକ୍ଷରୁ ଚଳିତମାସ ଶେଷ ଆଡ଼କୁ ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାର ଖୋଲାଯିବ ବୋଲି ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

The post ନେତାଜୀ ବସ୍‌ ଟର୍ମିନାଲ ପାଇଁ ଭଙ୍ଗା ହେଲା ବିଶ୍ବନାଥ ପାଠାଗାର first appeared on Sambad.



from ଜିଲ୍ଲା – Sambad https://ift.tt/2OIPX5n