
କୋଇଡ଼ା : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ବ୍ଲକ୍ରେ ଗତ କିଛି ଦିନ ହେବ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ରାତିରେ ତୁଷାରପାତ ହେଉଛି।
ଗତ ଦୁଇ ତିନି ଦିନ ହେବ ତାପମାତ୍ର ୭ ଡିଗ୍ରି ତଳକୁ ଖସି ଆସିଥିବାରୁ ପାହାଡିଆ ଅଞ୍ଚଳରେ ଲୋକେ ଥଣ୍ଡାରେ ହନ୍ତସନ୍ତ ହେଉଛନ୍ତି। ଥଣ୍ଡାର ପ୍ରକୋପ ଯୋଗୁ ସଂଧ୍ୟା ୮ଟା ପରେ ସମ୍ପୂର୍ଣ୍ଣ କୋଇଡ଼ା ଅଞ୍ଚଳ ଏକପ୍ରକାର ଠପ୍ ହୋଇଯାଉଛି। ମଧ୍ୟରାତ୍ରରୁ ପାରଦ ଖସିବା ସହ ଭୋର୍ରୁ କାକର ସହ ସବୁ ଦିଗରେ ତୁଷାରପାତ ହୋଇ ଚାରିଆଡେ ଖାଲି ଧଳା ଚାଦରରେ ଘୋଡ଼ାଇ ହେବା ପରି ଦେଖିବାକୁ ମିଳୁଛି। ଘାସ ପଡ଼ିଆ , ଗାଡ଼ିର ଉପର ଭାଗ, ଖାସ୍ କରି ନୀଳ ଓ ପୋଖରୀ ପାର୍ଶ୍ବରେ ମୋଟା ଚାଦର ଭଳି ତୁଷାରପାତ ହୋଇଥିବା ଦେଖିବାକୁ ମିଳୁଛି। କୋଇଡ଼ା ବ୍ଲକ୍ ସଦର ମହକୁମା, ମାଲଦା, କାଲ୍ଟା, ଟେନସା, ଜାମୁଡିହି, ପାଟମୁଣ୍ଡା, କାଶୀରା ପଞ୍ଚାୟତରେ ଶୀତର ପ୍ରକୋପ ବେଶ୍ ଅନୁଭୂତ ହେଉଛି। ଲୋକେ ଦିନ ୧୦ ପୂର୍ବରୁ ଘରୁ ବାହାରିବାକୁ କୁଣ୍ଠାବୋଧ କରୁଛନ୍ତି। ଅନ୍ୟପଟେ ଖଣି ଖାଦାନରେ କାର୍ଯ୍ୟରତ ଶ୍ରମିକମାନେ ସକାଳ ଏ ସିଫ୍ଟ ଯିବାବେଳକୁ ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏହି ଥଣ୍ଡା ଗରିବ ଅସହାୟ, ବୃଦ୍ଧବୃଦ୍ଧା, ଶିଶୁମାନଙ୍କ ଜୀବନକୁ ବେଶ୍ ପ୍ରଭାବିତ କରିଛି।
The post କୋଇଡ଼ାରେ ତୁଷାରପାତ first appeared on Sambad.
from ଜିଲ୍ଲା – Sambad https://ift.tt/3rcIZ6F
0 Comments