ଧଉଳି: ଆଜି ସଂଧ୍ୟା ପ୍ରାୟ ସାଢ଼େ ୫ଟା‌ରେ ଧଉଳି ଶାନ୍ତିସ୍ତୂପ ଧବ‌ଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗି ମୂଲ୍ୟବାନ୍‌ ଆକାଶିଆ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ଚାକୁଣ୍ଡା, ଖେରଞ୍ଚ ଆଦି କିସମର ଶତାଧିକ ଗଛ ଜଳି ଯାଇଛି। ପାଖାପାଖି ଅଢ଼େଇ ଏକର ଜଙ୍ଗଲ ପୋଡ଼ି ଯାଇଛି। ଖବର ପାଇ ବାଲିଅନ୍ତା ଓ ଭୁବନେଶ୍ୱର ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ପ୍ରତ୍ୟକ୍ଷଦର୍ଶୀ ମାନସ କୁମାର ସ୍ବାଇଁଙ୍କ ସୂଚନା ମୁତାବକ, ଆଜି ସଂଧ୍ୟାରେ ହଠାତ୍‌ ଶାନ୍ତିସ୍ତୂପ ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ ଲାଗି ଯାଇଥିଲା। ଚାହୁଚାହୁ ଦ୍ରୁତ ବେଗରେ ନିଆଁ ପୂରା ଜଙ୍ଗଲ‌କୁ ବ୍ୟାପି ଯାଇଥିଲା। ନିଆଁ ଲାଗିବାର କାରଣ କ’ଣ ଜଣାପଡ଼ି ନଥିବା ବେଳେ କୌଣସି ଅସାମାଜିକ ଯୁବକ ବିଡ଼ି କିମ୍ବା ସିଗାରେଟ୍‌ ପକାଇଦେବା ଫଳରେ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଏ ସଂପର୍କ‌ରେ ସ୍ଥାନୀୟ ଲୋକ ମଞ୍ଚେଶ୍ବର ରେଞ୍ଜରଙ୍କୁ ଫୋନ କରି ଜଣାଇଥିଲେ ହେଁ ବନବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ନ ପହଞ୍ଚିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

The post ଧବଳେଶ୍ବର ପାର୍ଶ୍ବ ଜଙ୍ଗଲରେ ନିଆଁ first appeared on Sambad.



from ଜିଲ୍ଲା – Sambad https://ift.tt/3bAAR9U