
ବରଗଡ଼ : ‘କୋଟିଆ’ ପ୍ରସଂଗ ନେଇ ଓଡ଼ିଶା ଉଠୁଛି ପଡ଼ୁଛି। ବିଧାନସଭା ବି ହୁଲସ୍ତୁଲ। ଆନ୍ଧ୍ର କିଭଳି ଭାବେ ସବୁ ଉପାୟ ଲଗାଇ ଓଡ଼ିଶାର ଗାଁକୁ ଗିଳିବାକୁ ବସିଛି କୋଟିଏ ହେଲା ତାର ନଗ୍ନ ନମୁନା। ବରଗଡ଼ ଜିଲ୍ଲାରେ ମଧ୍ୟ ଏଭଳି ‘କୋଟିଆ’ ରହିଛି। ହେଲେ ଏନେଇ ବର୍ତମାନ ଯାଏ ପ୍ରଶାସନ ଗୋଡ଼ କାଢ଼ୁ ନଥିବାରୁ ସ୍ଥିତି କ୍ରମଶଃ ଜଟିଳ ହେବାକୁ ଲାଗିଛି।
ଜିଲ୍ଲାର ଝାରବନ୍ଧ ବ୍ଲକ୍ର ସୀମାକୁ ଲାଗିଛି ଛତିଶଗଡ଼। ସୀମାକୁ ଲାଗି ରହିଛି ଗୁଡ଼ାଏ ଓଡ଼ିଶାର ରାଜସ୍ବ ଗାଁ। ଧଉଁରାଭଟା, ଜଗଦଲପୁର, ଘୁଚାପାଲି, ପୁଟକା, ଡଭା ଆଦି ଅଂଚଳରେ ଶହଶହ ସରକାରୀ ଜମି ଜବରଦଖଲ କରି ଉଭୟ ଛତିଶଗଡ଼ ଏବଂ ଓଡ଼ିଶାର ମାଫିଆମାନେ ହାତ ମିଳାଇ ବେଆଇନ୍ ନିର୍ମାଣ ଚଳାଇଛନ୍ତି। ଏପରିକି ମାର୍କେଟ କମ୍ପ୍ଲେକ୍ସ ମଧ୍ୟ ଗଢ଼ି ଉଠିଲାଣି। କିନ୍ତୁ ସ୍ଥାନୀୟ ପ୍ରଶାସନ କିମ୍ବା ପୁଲିସ୍ ଏଥିରେ ହାତ ମାରୁନାହିଁ। ମାମଲାକୁ ଅତି ହାଲୁକା ଭାବେ ନିଆଯାଉଛି। କୋଟିଆ ଭଳି ଏସବୁ ଗ୍ରାମରେ ଭୋଟ୍ ହେଉନାହିଁ। କିନ୍ତୁ ଛତିଶଗଡ଼ି ରାଜନେତା, ମାଫିଆଙ୍କ ପୂରା ଅକ୍ତିଆର ରହିଛି ଏସବୁ ଅଂଚଳରେ। ନିକଟ ଅତୀତରେ ଛତିଶଗଡ଼ର ଜଣେ ପୁଞ୍ଜିପତି ବ୍ୟକ୍ତି ଓଡ଼ିଶାର ଆଦିବାସୀଙ୍କ ଜଂଗଲ ଜମି, ପତିତ କିସମର ୪୮ ଏକର ଜମି ହାତେଇ ନେଇଥିବା ମାମଲା ସାମନାକୁ ଆସିଥିଲା। ଝାରବନ୍ଧ ତହସିଲ ଅଧୀନସ୍ଥ ଭାଣ୍ଡରପୁରୀ ପଞ୍ଚାୟତ କୁକୁରିପାଲି ଗାଁରେ ୪୨ଜଣ ଆଦିବାସୀଙ୍କ ବସତି ରହିଛି। ସେମାନେ ଜଂଗଲ ଏବଂ ଅନାବାଦି ଜମିକୁ ଚାଷ ଉପଯୋଗୀ କରି ଚାଷ କରୁଛନ୍ତି। କିନ୍ତୁ ସ୍ଥାନୀୟ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତେଇ ଛତିଶଗଡ଼ର ପୁଞ୍ଜିପତି ଉକ୍ତ ଜମିର ପଟ୍ଟା ନିଜ ନାମରେ କରିଥିବା ଜଣାପଡ଼ିଛି। ଏହାର ପ୍ରତିବାଦରେ ଶତାଧିକ ଆଦିବାସୀ ଧାରଣା ବି ଦେଇଥିଲେ। ହେଲେ ଏହି ମାମଲାକୁ ପ୍ରଶାସନ ସେତେଟା ଗୁରୁତ୍ବ ନଦେବା ଭଳି ମନେ ହେଉଛି। ଯାହାର ସୁଯୋଗ ନେଇ ସୀମାନ୍ତବର୍ତୀ ଗାଁଗୁଡ଼ିକର ସରକାରୀ ଓ ଜଂଗଲ ଜମି ଛତିଶଗଡ଼ି ଲୋକଙ୍କ ହାତକୁ ଚାଲି ଯାଉଛି। ଗୋଟିଏ ହିସାବରେ ସେଠାରେ ଗୋଟିଏ ବେଆଇନ୍ ଛତିଶଗଡ଼ି ସରକାର ଚାଲୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
The post ବରଗଡ଼ରେ ଆଉ ଏକ ‘କୋଟିଆ’ first appeared on Sambad.
from ଜିଲ୍ଲା – Sambad https://ift.tt/3usllpf
0 Comments