
କଟକ: ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଅଧ୍ୟୟନରତ ଏମବିବିଏସ ଶେଷ ବର୍ଷ ଡାକ୍ତରୀ ଛାତ୍ରଛାତ୍ରୀ ପାଇଁ ଧାର୍ଯ୍ୟ କରାଯାଇଥିବା ପରୀକ୍ଷା ତାରିଖକୁ ନେଇ ବିବାଦ ଦେଖା ଦେଇଛି। ଧାର୍ଯ୍ୟ କରାଯାଇଥିବା ପରୀକ୍ଷା ତାରିଖକୁ ଏମବିବିଏସ ଛାତ୍ରଛାତ୍ରୀ ବିରୋଧ କରିଛନ୍ତି। କରୋନା ମହାମାରୀ ସଂକ୍ରମଣ ସ୍ଥିତି ଓ କଟକଣା ଯୋଗୁଁ ପାଠପଢା ପ୍ରଭାବିତ ହୋଇଥିଲା। ପାଠ୍ୟକ୍ରମ ଶେଷ ହୋଇନଥିବା ବେଳେ ପରୀକ୍ଷା ଶୀଘ୍ର କରାଯିବା ଗ୍ରହଣୀୟ ନୁହେଁ ବୋଲି ଏମବିବିଏସ ଛାତ୍ରଛାତ୍ରୀ ଦର୍ଶାଇଛନ୍ତି। ଏମବିବିଏସ ଶେଷ ବର୍ଷର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠପଢିବା ଲାଗି ଅଧିକ ସମୟ ଦେବା ସହିତ ପରୀକ୍ଷା ତାରିଖ ପରିବର୍ତ୍ତନ କରିବାକୁ ଦାବି ହୋଇଛି। ଏ ନେଇ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ ୟୁଜି ଛାତ୍ର ସଂଘର ପୂର୍ବତନ ସଭାପତି ବିଶ୍ୱଜିତ ସାହୁ ଦାବି କରିଛନ୍ତି ଯେ, କରୋନା କଟକଣା ମଧ୍ୟରେ ପାଠପଠା ଠିକ ଭାବରେ କରାଯାଇ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ ଉପଯୁକ୍ତ ପାଠପଢିବାରୁ ବଞ୍ଚିତ ହୋଇଛନ୍ତି। ଏହା ସହିତ ପ୍ରାକ୍ଟିକାଲ କ୍ଲାସ ମଧ୍ୟ ଠିକ ଭାବେ ହୋଇନାହିଁ। ଯେଉଁ ବିଷୟରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରି ନାହାନ୍ତି ସେ ବିଷୟରେ କେମିତି ପରୀକ୍ଷା ଦେବେ ବୋଲି ସେ ପ୍ରଶ୍ନ କରିଛନ୍ତି।
ଛାତ୍ରଛାତ୍ରୀ ମାନେ ଉତ୍ତମ ଶିକ୍ଷାଗ୍ରହଣ କରି ରାଜ୍ୟର ସର୍ବପୁରାତନ ମେଡିକାଲ କଲେଜରୁ ପାସ କରିବା ସୌଭାଗ୍ୟର କଥା। ଏନଏମସି ଧାର୍ଯ୍ୟ କରିଥିବା ମାର୍ଚ୍ଚ ୪ ତାରିଖର ପରୀକ୍ଷାକୁ ପରିବର୍ତ୍ତନ କରିବା ଲାଗି ନିବେଦନ କରାଯାଇଛି। ଧାର୍ଯ୍ୟ କରାଯାଇଥିବା ପରୀକ୍ଷା ତାରିଖ ଯୋଗୁଁ କୋଭିଡ ସ୍ଥିତିରେ ଠିକ ଭାବେ ପାଠପଢି ନଥିବା ଛାତ୍ରଛାତ୍ରୀମାନେ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରୁଛନ୍ତି। ଏ ସମ୍ପର୍କରେ ପୂର୍ବରୁ ସ୍ବାସ୍ଥ୍ୟମନ୍ତ୍ରୀ, ଅତିରିକ୍ତ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗ, ଡିଏମଇଟିଙ୍କୁ ଅବଗତ କରାଯାଇଛି। ହେଲେ କୌଣିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜାନୁଆରିରେ ହାଇକୋର୍ଟଙ୍କ ଦ୍ୱାରାସ୍ଥ ହୋଇ ଛାତ୍ରଛାତ୍ରୀ ପିଟିସନ ଦାଖଲ କରିଥିଲେ। କିନ୍ତୁ କିଛି ନିର୍ଦ୍ଦେଶ ମିଳି ପାରି ନାହିଁ। ଛାତ୍ରଛାତ୍ରୀଙ୍କ ମାନସିକ ସ୍ଥିତିକୁ କେହି ବୁଝିବାକୁ ପ୍ରସ୍ତୁତ ନୁହନ୍ତି। ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ପରୀକ୍ଷା ତାରିଖକୁ ଘୁଞ୍ଚାଇବାକୁ ନିବେଦନ କରାଯାଇଛି। ପରୀକ୍ଷା ତାରିଖକୁ ମେ’ କିମ୍ବା ଜୁନ ମାସକୁ ଧାର୍ଯ୍ୟ କରିବା ଲାଗି ଏନଏମସି ଏବଂ ସରକାରଙ୍କ ନିକଟରେ ଦାବି କରାଯାଇଛି। ଏହି ସମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଶିବାଶିଷ ବରାଳ, ଅଙ୍କନ ଅନୁପମ ଦାସ, ଅଭ୍ୟର୍ଥ ଦାସଙ୍କ ସହ ଏମବିବିଏସ ଶେଷ ବର୍ଷର ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ।
The post ଏମ୍ବିବିଏସ ଶେଷ ବର୍ଷର ପରୀକ୍ଷା ତାରିଖ ପରିବର୍ତ୍ତନ ପାଇଁ ଛାତ୍ରଛାତ୍ରୀଙ୍କ ଦାବି first appeared on Sambad.
from ଜିଲ୍ଲା – Sambad https://ift.tt/3sthjuT
0 Comments