ରାଉରକେଲା: ସ୍ମାର୍ଟ ସିଟି ରାଉରକେଲାରେ ଆଜି ବିପିୟୁଟି ପରିସରରେ ଦେଶର ସର୍ବବୃହତ୍ ଅତ୍ୟାଧୁନିକ ହକି ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି, ରାଉରକେଲାକୁ କହିଲେ ଆଶାର ସହର, ସୁନ୍ଦରଗଡ଼ର ବିକାଶରେ ରାଉରକେଲାର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ, ଏଠିକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି। ସୁନ୍ଦରଗଡ଼ର ମାଟି ଓ ପାଣିରେ ହକି ରହିଛି। ରାଉରକେଲାରେ ହେବାକୁ ଥିବା ହକି ଷ୍ଟାଡିୟମକୁ ସହିଦ ବିରସା ମୁଣ୍ଡା ହକି ଷ୍ଟାଡିୟମରେ ନାମିତ କରାଯିବ ବୋଲି ସେ ଘୋଷଣା କରିଛନ୍ତି।
ସୂଚନାଯୋଗ୍ୟ, ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ଷ୍ଟାଡିୟମରେ ଏକକାଳୀନ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିପାରିବେ। ଏଥିସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ମୋଟ ୪୯୧୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ଓ ଲୋକାର୍ପଣ କରିଛନ୍ତି l ଏଥିମଧ୍ୟରେ ରହିଛି ୧୬୨୨କୋଟିର ପାନୀୟ ଜଳ ପ୍ରକଳ୍ପ, ୩୨୦ କୋଟିର ଜଳସେଚନ, ୧୧୧କୋଟି ର ସ୍ୱାସ୍ଥ୍ୟସେବା, ୧୦୬୦ କୋଟିର ରାସ୍ତାଘାଟର ବିକାଶ, ୩୬୬କୋଟିର ଶିକ୍ଷା ପ୍ରକଳ୍ପ l ଅନୁରୂପ ଭାବେ ୨୫୦ କୋଟିର ପରିମଳ,୨୧୬ କୋଟିର ଜୀବିକା ବିକାଶ, ୪୭୧ କୋଟିର ସ୍ମାର୍ଟ ସିଟି ପ୍ରକଳ୍ପ , ୩୮ କୋଟିର ବିଦ୍ୟୁତଶକ୍ତି ଯୋଗାଣ, ୬୭ କୋଟି ଭିତ୍ତିଭୂମି ଉନ୍ନୟନ, ୧୩୫ କୋଟିର ମହିଳା ଓ ଶିଶୁ ବିକାଶ, ୧୨ କୋଟିର ପରିବେଶ ସୁରକ୍ଷା, ୧୫ କୋଟିର ଦକ୍ଷତା ବିକାଶ ଓ ୧୨୦ କୋଟିର କ୍ରୀଡ଼ା ପ୍ରକଳ୍ପ ରହିଛି l
ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ୫ ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ, ପୂର୍ଵତନ ସାଂସଦ ତଥା ଅନ୍ତର୍ଜାତୀୟ ହକି ଖେଳାଳି ଦିଲୀପ ତିର୍କୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ମଞ୍ଚରେ ଉପସ୍ଥିତ ଥିଲେl ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଓ ରାଉରକେଲା ସହରରେ ୧୨୦ ଟି ସ୍ଥାନରେ ଏଲଇଡି ୱାଲର ବ୍ୟବସ୍ଥା କରାଯାଇଥିଲା l ଜିଲ୍ଲାର ୧୭ ବ୍ଲକ ସମେତ ପ୍ରମୁଖ ପଞ୍ଚାୟତରେ ୧୭ ମନ୍ତ୍ରୀ ଓ ୮୦ରୁ ଅଧିକ ବିଧାୟକ ଉପସ୍ଥିତ ଥିଲେl
The post ରାଉରକେଲାର ହକି ଷ୍ଟାଡିୟମକୁ ସହିଦ ବିରସା ମୁଣ୍ଡାଙ୍କ ନାମରେ ନାମିତ କରାଗଲା: ମୁଖ୍ୟମନ୍ତ୍ରୀ first appeared on Sambad.
from ଜିଲ୍ଲା – Sambad https://ift.tt/3rWskon
0 Comments