ଯାଜପୁର: ଗତ ଦଶନ୍ଧିରେ ଖଣି ମହାଦୁର୍ନୀତିରେ ହଜାର ହଜାର କୋଟି ଟଙ୍କା ରାଜସ୍ବ ଲୁଟ୍ ଘଟଣା ସୁପ୍ରିମକୋର୍ଟ ନିର୍ଦେଶରେ ଶାହା କମିଶନ ତଦନ୍ତରେ ଧରାପଡ଼ିଥିଲା। ଏବେ ସେହିଭଳି ଲଘୁ ଖଣିଜ ସମ୍ପଦ କାରବାରରେ ଶହଶହ କୋଟି ଟଙ୍କା ରାଜସ୍ବ ଲୁଟ୍ କରି ଅସାଧୁ ମେଣ୍ଟ ନିଜସ୍ବ ସଂପତ୍ତି ବୃଦ୍ଧି କରିବାରେ ଲାଗିଛନ୍ତି। ଏମଜିକ୍ୟୁ(ମିନିମମ୍ ଗ୍ରାରେଣ୍ଟି କ୍ବାଣ୍ଟିଟି) ଓ ମାଇନିଂ ପ୍ଲାନ୍ ପ୍ରହସନରେ ପରିଣତ ହୋଇଛି। ୬ ଫୁଟ୍ ଗଭୀର ଖାଦାନ ଖୋଳିବାର ନିୟମ ଥିବା ବେଳେ ଶହେ ଫୁଟ୍ ଅଧିକ ଗଭୀର ବିରାଟ ବରାଟ ଗାଡ଼ ସୃଷ୍ଟି ହୋଇ ବନ୍ୟ ଜୀବଜନ୍ତୁ ଓ ମଣିଷଙ୍କ ପାଇଁ ମୃତ୍ୟୁଯନ୍ତା ପାଲିଟିଛି। ବିକାଶ ନାମରେ ଲଘୁ ଖଣିଜ ସମ୍ପଦର ସଦ୍‌ବିନିଯୋଗ ଆଳରେ ଧ୍ବଂସଲୀଳା ମାଫିଆମାନେ ସୃଷ୍ଟି କରି ଶହ ଶହ କୋଟି ଟଙ୍କା ହାତେଇ ନେବାରେ ଲାଗିଛନ୍ତି। ଯାହାର ଠୋସ ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି।

ସ୍ମରଣ ଯୋଗ୍ୟ, ୨୦୦୧-୨୦୧୦ ମସିହା ମଧ୍ୟରେ କେନ୍ଦୁଝର ଓ ସୁନ୍ଦରଗଡ଼ ଖଣି ଅଞ୍ଚଳରେ ମାଇନିଂ ପ୍ଲାନ୍ , ପରିବେଶ ମଞ୍ଜୁରିକୁ ଉଲ୍ଲଂଘନ କରି ଅନୁମତି ଠାରୁ ମାତ୍ରାଧିକ ଖଣିଜ ପଥର ଏମଜିକ୍ୟୁ( ମିନିମମ୍ ଗ୍ରାରେଣ୍ଟି କ୍ବାଣ୍ଟିଟି) ଠାରୁ ଅଧିକ ଖନନ କରି ବିଦେଶ ଚାଲାଣ କଲେ। ଯାହାକୁ ଭିତ୍ତି କରି ଶାହା କମିଶନ ହଜାର ହଜାର କୋଟି ଟଙ୍କା ଖଣିମାଲିକଙ୍କ ନାମରେ ଜରିମାନା କରିଛନ୍ତି। ଠିକ୍ ସେହିଭଳି ଧର୍ମଶାଳା ତହସିଲ ଅଞ୍ଚଳରେ ୪ଟି ଆରଆଇ ସର୍କଲ ଡଙ୍କାରୀ, ବଳରାମପୁର-୨,ନାକପୋଲ ଓ ଆରୁହାରେ ଥିବା ୬୯ଟି କଳାପଥର ପାହାଡ଼ରୁ ଶହ ଶହ କୋଟି ଟଙ୍କାର ପଥର ଚୋରା ଚାଲାଣ ହୋଇଛି। ଏବେ ଅନେକ ପାହାଡ ଅସ୍ତିତ୍ବ ହରାଇ ବସିଥିବା ବେଳେ ତହସିଲର ରାଜସ୍ବ ହ୍ରାସ ପାଇଛି। ବିଶେଷ କରି ମାଇନିଂ ପ୍ଲାନ୍ ଥିବା ୬ଫୁଟ ଗଭୀର ଖାଦାନ ଖୋଳିବା ପରିବର୍ତ୍ତେ ଶହେ ଫୁଟରୁ ଅଧିକ ଗଭୀରର ଶହ ଶହ ଗାଡ଼ ପାହାଡ଼ ଉପରେ ହୋଇଗଲାଣି। ଏପରିକି ଏହାକୁ ମଧ୍ୟ ମାଇନିଂ ପ୍ଲାନ୍ ନିୟମ ଅନୁଯାୟୀ ପୂରଣ କରାନଯାଇ ସେହିଭଳି ଛାଡ଼ି ଦିଆଯାଉଛି।

ଯାହାକୁ ମୃତ୍ୟୁ କୁଣ୍ଡ କୁହାଯାଉଛି। ଖଣି ଖାଦାନ ‌ଖନନ ପାଇଁ ଅନୁମତିର ଶହେ ଗୁଣ କଳାପଥର ଚୋରା ଚାଲାଣ ହେଉଥିବା ବେଳେ ଖାଦାନଗୁଡ଼ିକର ସ୍ଥିତି ଓ କେତେ ଖନନ କରାଯାଇଛି? ତାହାର ସମୀକ୍ଷା କରାଯାଉ ନାହିଁ। ନାମକୁ ମାତ୍ର ଗାଡ଼ି ଘୋଡ଼ା ଉପରେ ରାସ୍ତାରେ ଚଢ଼ଉ କରାଯାଉଛି। ଅଥଚ ବିନା ଅନୁମତିରେ ଶହ ଶହ କୋଟି ଟଙ୍କା କଳାପଥର ଚୋରା ଚାଲାଣ ଚାଲିଛି। ଏହି ପ୍ରଭାବଶାଳୀ ଖଣି ବ୍ୟବସାୟୀଙ୍କୁ ସମ୍ମୁଖୀନ ହେବାକୁ ମଧ୍ୟ କର୍ମଚାରୀ ଏପରିକି ପ୍ରଶାସକମାନେ ମଧ୍ୟ ସାହସ ଯୋଗାଡ଼ କରିପାରୁନାହାନ୍ତି ବୋଲି କେତେକ ଖୋଲାଖୋଲି କହିବା ଆରମ୍ଭ କଲେଣି। ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର କେଳେଙ୍କାରୀର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଶହ ଶହ କୋଟି ଟଙ୍କାର ରାଜସ୍ବ ଫାଙ୍କି ଧରାପଡ଼ିବ ବୋଲି କେତେକ ଅଧିକାରୀ ମତ ବ୍ୟକ୍ତ କରିଛନ୍ତି।

The post ଧର୍ମଶାଳାରେ ଖଣି ମହାଦୁର୍ନୀତିର ପୁନରାବୃତ୍ତି, ଲଘୁ ଖଣିଜ ସମ୍ପଦ ଖନନରେ ଏମ୍‌ଜିକ୍ୟୁ ପ୍ରହସନ first appeared on Sambad.



from ଜିଲ୍ଲା – Sambad https://ift.tt/2YT8rlG