
ତାରପୁର: ଜଗତସିଂହପୁର ଜିଲା ପାରାଦ୍ବୀପ ବନ୍ଦର, ମା ଶାରଳାଙ୍କ ପୀଠ, ପ୍ରଭୁ ଗୋରଖନାଥଙ୍କ ପୀଠ, ସୁନ୍ଦର ତଥା ସୁଦୀର୍ଘ ବେଳାଭୂମିକୁ ନେଇ ଥିବା ପର୍ଯ୍ୟଟନ ସମ୍ଭାରର ଭରପୂର ଆନନ୍ଦ ଉଠାଇଥାନ୍ତି। ତେବେ ଜିଲ୍ଲାର ରଘୁନାଥପୁର ବ୍ଲକ୍ କଟକ ପାରାଦ୍ବୀପ ରାଜରାସ୍ତାକୁ ଲାଗିଥିବା ତାରପୁର ପଞ୍ଚାୟତ ନିକଟ ଦେଇ ପ୍ରବାହିତ ଓଡ଼ିଶାର ବଡ଼ନଦୀ ମହାନଦୀ କୂଳରେ ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ଭିତରେ ବିଶ୍ବାସର ପ୍ରତୀକ ଭାବରେ ପୂଜା ପାଉଛନ୍ତି ମା ନାରାୟଣୀ। ମହାନଦୀର ସ୍ବଛ କାଚକେନ୍ଦୁ ପରି ପାଣି ଓ ପଠାର ସୁଦୀର୍ଘ ଝାଉଁ, ଆକାଶିଆ ଓ ନିମ୍ବ ଜଙ୍ଗଲ ସହିତ ବିଭିନ୍ନ ପ୍ରଜାତିର ପକ୍ଷୀ, ଝିଙ୍କ, ଠେକୁଆ ଆଦି ଜୀବ ଏହି ପରିବେଶକୁ ଖୁବ୍ ମନ ମୁଗ୍ଧକର କରେ। କାହିଁ କେଉଁ କାଳରୁ ଜଙ୍ଗଲ ପରିବେଶରେ ଏଠାରେ ମା ନାରାୟଣୀ ପୂଜା ପାଉଛନ୍ତି। ଲୋକଙ୍କ ଭରସା ଓ ବିଶ୍ବାସ ବଢ଼ିବାରେ ଲାଗିଥିଲା। ମା’ଙ୍କ ଉପରେ ବିଶ୍ବାସ ରଖିଲେ ଦୂରାରୋଗ ଭଲ ହୋଇ ଯାଉଥିବା ବେଳେ ପ୍ରତ୍ୟେକ ମାନସିକଧାରୀଙ୍କ ଇଛା ପୂରଣ ହୁଏ। ଶୁଭ କାର୍ଯ୍ୟର ସିଦ୍ଧି ହୁଏ। ପ୍ରତିଦିନ ଏକାଧିକ ଭକ୍ତ ମା’ ଙ୍କ ସେବାନୀତି କରିଥାନ୍ତି। ଏହି ପୀଠର ୨୦୦ ମିଟର ଭିତରେ ଏଠାକାର ଅଧିଷ୍ଠାତା ଦେବତା ପାତାଳଫୁଟା ପ୍ରଭୁ ବାନାମ୍ବର ଶିବ ମନ୍ଦିର ଥିବାବେଳେ ଏଠାକାର ସାଧାରଣ ଲୋକଙ୍କ ଦ୍ବାରା ନିର୍ମିତ ଏକ ଭବ୍ୟ ରାମମନ୍ଦିର ଓ ହନୁମାନ ପୂଜା ପାଇଥାନ୍ତି।
ଯେଉଁଥି ପାଇଁ ଏଠାକାର ପରିବେଶ ସଦା ସର୍ବଦା ଉତ୍ସବ ମୁଖର ହୋଇଥାଏ। ଜିଲ୍ଲାକୁ ଆସୁଥିବା ଅନେକ ପର୍ଯ୍ୟଟକ ପ୍ରଥମେ କଟକ ପାରାଦ୍ବୀପ ରାଜରାସ୍ତାର ଖୁବ ନିକଟରେ ଥିବା ମହାନଦୀରେ ପ୍ରଥମେ ସମସ୍ତ ସ୍ନାନ ଶୌଚ ହେବା ପରେ ମନ୍ଦିରର ପରିବେଶକୁ ଉପଭୋଗ କରିବା ସହିତ ମା’ଙ୍କ ନିକଟରେ ପୂଜା ନୀତି କରିଥାନ୍ତି। ବଣଭୋଜି ଋତୁ ଆସି ଭରପୂର ଆନନ୍ଦ ନେବା ସହିତ ମଜା ମଜଲିସ କରିଥାନ୍ତି। ବିବାହ ଋତୁରେ ମଧ୍ୟ ପୁଅ ଝିଅଙ୍କର ନିର୍ବନ୍ଧ ଓ ବାହାଘର ଏହି ପୀଠରେ କଲେ ସୁଖମୟ ଦାମ୍ପତ୍ୟ ଜୀବନ ଅତିବାହିତ ହୁଏ ବୋଲି ମଧ୍ୟ ଲୋକଙ୍କ ବିଶ୍ବାସ ରହିଛି। ଏଠାରେ ବ୍ରହ୍ମା ବିଷ୍ଣୁ ମହେଶ୍ବର ଙ୍କୁ ମଧ୍ୟ ପୂଜା କରାଯାଉଛି। ପର୍ଯ୍ୟଟନ କ୍ଷେତ୍ର ପାଇଁ ସମସ୍ତ ସୁବିଧା ସୁଯୋଗ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ପର୍ଯ୍ୟଟନ ବିଭାଗ କିମ୍ବା ଜିଲା ପ୍ରଶାସନର ଶୁଭ ଦୃଷ୍ଟି ଆଡ଼ୁଆଳରେ ରହିଛି ତାରାତାରିଣୀ ପୀଠ। ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ନିଜ ଜିଲ୍ଲା ହୋଇଥିବାରୁ ଏହି ପୀଠର ଉନ୍ନତୀକରଣ ନିମନ୍ତେ ପ୍ରଶାସନର ଉଦ୍ୟମକୁ ଅଞ୍ଚଳବାସୀ ଅପେକ୍ଷା ରଖିଛନ୍ତି। ତେବେ ଏହା ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ମାଇଲ ଖୁଂଟ ହେବା ସହିତ ମନ୍ଦିରର ଆୟ ବୃଦ୍ଧି ହୋଇ ପାରନ୍ତା ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।
The post ପର୍ଯ୍ୟଟନସ୍ଥଳ ମାନ୍ୟତା ଦାବି; ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ତାରପୁରର ମା’ ନାରାୟଣୀ ପୀଠ first appeared on Sambad.
from ଜିଲ୍ଲା – Sambad https://ift.tt/3pST5sd
0 Comments