ମାହାଙ୍ଗା: ମାହାଙ୍ଗା ଥାନା କୁମୁଡ଼ାଜୟପୁର ଫାଣ୍ଡି ଅଧୀନ ଭେଡ଼ାସାଲେପୁର ଗ୍ରାମର ବହୁଚର୍ଚ୍ଚିତ ଅନ୍ନପୂର୍ଣ୍ଣା ମହାପାତ୍ର ହତ୍ୟା ମାମଲାର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ଏହି ମାମଲାରେ ପୁଲିସ ମୃତା ମହିଳାଙ୍କ ଭଉଣୀ ଜ୍ବାଇଁ ସାଲେପୁର ଥାନା ତାଳପଦା ଗ୍ରାମର ଦୈତାରୀ ସ୍ବାଇଁଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ହତ୍ୟାକାଣ୍ଡରେ ଦୈତାରୀ ସମ୍ପୃକ୍ତ ଥିବା ନେଇ ଜେରା ସମୟରେ ସୂଚନା ମିଳିଛି ବୋଲି ପୁଲିସ କହିଛି। ପୁଲିସର ସୂଚନା ମୁତାବକ, ପ୍ରାୟ ବର୍ଷକ ତଳେ ଅନ୍ନପୂର୍ଣ୍ଣାଙ୍କ ପରିବାର ସହ କୌଣସି କାରଣରୁ ଦୈତାରୀଙ୍କ ବଚସା ହୋଇଥିଲା। ଏହାପରେ ତାଙ୍କ ଘରକୁ ଆସିବା ପାଇଁ ଦୈତାରୀଙ୍କୁ ପରିବାର ଲୋକ ବାରଣ କରିଥିଲେ। ଏହି ଘଟଣାରୁ ଅନ୍ନପୁର୍ଣ୍ଣାଙ୍କୁ ଦୈତାରୀ ହତ୍ୟା କରିଥିବା ନେଇ ପୁଅ ମନୋଜ ମହାପାତ୍ର ସନ୍ଦେହ ପ୍ରକାଶ କରିଥିଲେ।

ଏହାପରେ ପୁଲିସ ସୋମବାର ବିଳମ୍ବିତ ରାତିରେ ଦୈତାରୀଙ୍କୁ ତାଳପଦାସ୍ଥିତ ଘରୁ ଉଠାଇ ଆଣି ପଚରାଉଚରା ଆରମ୍ଭ କରିଥିଲା। ଆଜି କୁମୁଡ଼ା ଜୟପୁର ଫାଣ୍ଡିରେ ଦୈତାରୀଙ୍କୁ ପୁଲିସ ଜେରା କରିବା ପରେ ସେ ହତ୍ୟାକାଣ୍ଡରେ ସଂପୃକ୍ତି ଥିବା ନେଇ ସୂଚନା ମିଳିଛି ବୋଲି ଥାନାଧିକାରୀ ରଂଜନ କୁମାର ପ୍ରଧାନ ପ୍ରକାଶ କରିଛନ୍ତି। ଆଜି ଅପରାହ୍ନରେ ଦୈତାରୀଙ୍କୁ ପୁଲିସ ସାଲେପୁରର ବିଭିନ୍ନ ସ୍ଥାନକୁ ନେଇ ତଦନ୍ତ କରିଥିଲା। ପରେ ତାଙ୍କୁ ଥାନାରେ ଅଟକ ରଖି ଅଧିକ ତଥ୍ୟ ହାସଲ ପାଇଁ ଜେରା କରାଯାଉଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଘଟଣା ଦିନ ଭେଡ଼ା ଆସିଥିଲେ ଦୈତାରୀ
ଗତ ୧୭ ତାରିଖ ରାତିରେ ଅନ୍ନପୂର୍ଣ୍ଣାଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ ରାତି ପ୍ରାୟ ସାଢ଼େ ୭ଟାରେ ତ୍ରିବେଣୀଶ୍ବର ଭେଡ଼ା ରାସ୍ତା ଦେଇ ଅଭିଯୁକ୍ତ ଦୈତାରୀ ଭେଡ଼ାସାଲେପୁର ଗ୍ରାମକୁ ଚାଲିଚାଲି ଆସୁଥିବା ଗ୍ରାମବାସୀ ଦେଖିଥିଲେ। ସେହିପରି ନିକଟସ୍ଥ ଲାପଟୁଆଁ ଗ୍ରାମର ଏକ ସ୍ଥାନରେ ସେ ଗୋଡ଼ ଧୋଉଥିବା ଶୁଣିବାକୁ ମିଳିଥିଲା। ତେବେ ଦୈତାରୀ ଟ୍ରାକ୍ଟରରେ ଚାଷକାର୍ଯ୍ୟ କରୁଥିବାରୁ କେହି ସନ୍ଦେହ କରି ନ ଥିଲେ। ପରଦିନ ଦୈତାରୀ ହତ୍ୟାକାଣ୍ଡସ୍ଥଳରେ ଦୀର୍ଘ ସମୟ ଉପସ୍ଥିତ ରହିଥିବା ଗ୍ରାମରେ ଆଲୋଚନା ହେଉଛି।

The post ଅନ୍ନପୂର୍ଣ୍ଣା ହତ୍ୟା ମାମଲାର ଖୋଲୁଛି ରହସ୍ୟ; ଭଉଣୀ ଜ୍ବାଇଁଙ୍କ ସମ୍ପୃକ୍ତି ନେଇ ସୂଚନା ଦେଲା ପୁଲିସ first appeared on Sambad.



from ଜିଲ୍ଲା – Sambad https://ift.tt/3bEIXi2