
କେନ୍ଦ୍ରାପଡ଼ା: ସରକାରୀ ହସ୍ପିଟାଲ୍ରେ ସବୁ ପରୀକ୍ଷା ମାଗଣାରେ ହେବ। ଗରିବ ରୋଗୀଙ୍କୁ ଆଉ ଘରୋଇ ପାଥୋଲାବ୍କୁ ଯିବାକୁ ପଡ଼ିବ ନାହିଁ କି’ ଅଯଥା ଖର୍ଚ୍ଚାନ୍ତର ଶିକାର ହେବାକୁ ପଡ଼ିବନି। ଗରିବ ରୋଗୀଙ୍କୁ ଶୋଷଣରୁ ମୁକ୍ତି ଦେବା ସହିତ ନିଶୁଳ୍କ ଉନ୍ନତମାନର ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ସରକାର ଏଭଳି ବ୍ୟବସ୍ଥା କରିଛନ୍ତି। କିନ୍ତୁ ବିଭିନ୍ନ ସମୟରେ ଅବ୍ୟବସ୍ଥାକୁ ନେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଠି ରୋଗୀଙ୍କୁ ଚିକିତ୍ସା ସୁବିଧା ତ ଦୂରର କଥା ସାଧାରଣ ପରୀକ୍ଷା ପାଇଁ ବି ଘରୋଇ ପାଥୋଲାବ୍ ସେଣ୍ଟର୍ ଉପରେ ନିର୍ଭର କରିବାକୁ ପଡ଼ୁଛି। ପ୍ରାୟ ଦେଢ଼ ବର୍ଷ ହେବ ମେଡିକାଲ୍ରେ ରକ୍ତ ପରୀକ୍ଷା ପାଇଁ ଉଦ୍ଦିଷ୍ଟ ସୋଡିୟମ୍ ପୋଟାସିୟମ୍ ମେସିନ୍ ଅଚଳ ପଡ଼ିଥିବା ବେଳେ ଦିନ ୨ଟା ପରେ ଏକ୍ସ-ରେ ରୁମ୍ ପ୍ରତିଦିନ ବନ୍ଦ ହେଇଯାଉଥିବା ଅଭିଯୋଗ ହେଉଛି। କେବଳ ସେତିକି ନୁହେଁ, ଦନ୍ତ ବିଭାଗରେ ଅପରେସନ୍ ଚେୟାର ବି ଏକପ୍ରକାର ଡଷ୍ଟବିନ୍ରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଥଚ, ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ନାହିଁ। ଗୋଟିଏପଟେ ସରକାର ସବୁପ୍ରକାର ପରୀକ୍ଷା ମାଗଣାରେ କରାଯିବା ପାଇଁ ବ୍ୟବସ୍ଥା କରିଥିବା ବେଳେ କେନ୍ଦ୍ରାପଡ଼ା ମେଡିକାଲ୍ରେ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ତଥା ବେପରୁଆ ନୀତି ପାଇଁ ରୋଗୀ ଘରୋଇ ହସ୍ପିଟାଲ୍ ଓ ପାଥୋଲାବ୍ କେନ୍ଦ୍ରରେ କେବଳ ଶୋଷଣର ଶିକାର ହେଉଛି ତା’ନୁହେଁ; ପରୋକ୍ଷରେ ଏହା ସରକାରଙ୍କ ‘ମୋ ସରକାର’ ଓ ‘୫-ଟି’ ନୀତିକୁ ଉପହାସ କରୁଛି।
କେନ୍ଦ୍ରାପଡ଼ା ଜିଲ୍ଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥସେବା ସ˚ପର୍କରେ କାହାକୁ ଅଛଫା ନାହିଁ। ଜିଲ୍ଲାରେ ଅଧାରୁ ଅଧିକ ଡାକ୍ତର ପଦବି ଖାଲି ପଡ଼ିଥିବା ବେଳେ ଗଲା ଚାରି ବର୍ଷ ହେବ ମାତୃ ଓ ଶିଶୁ ସ୍ବାସ୍ଥ୍ୟ ପ୍ରତିଷ୍ଠାନ କେନ୍ଦ୍ର ନିର୍ମାଣ ଚାଲିଛି ଯେ ସରିବାର ନାଁ ଧରୁନାହିଁ। ଏଭଳି ସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯେଉଁ ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସୁଛି, ତାହା ସ୍ବାସ୍ଥ୍ୟ ସେବାର ସ˚ଗିନ ଚିତ୍ରକୁ ପଦାରେ ପକାଇ ଦେଉଛି। ଗଲା ପ୍ରାୟ ଦେଢ଼ ବର୍ଷ ହେବ ମେଡିକାଲ୍ ପାଥୋଲାବ୍ ବିଭାଗରେ ସୋଡିୟମ୍ ପୋଟାସିୟମ୍ ମେସିନ୍ ଅଚଳ ପଡ଼ିଛି। କିନ୍ତୁ ଏହାର ମରାମତି କରାଯାଉନାହିଁ। ବିନା ଏସିରେ ମେସିନ୍ ଚାଲିବା ଯୋଗୁ କୁଆଡେ଼ ଏହା ପୋଡ଼ି ଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ନା’ ମେସିନ୍ ମରାମତି କଲେ ନା’ ଏସି ଲଗାଇବାର କୌଣସି ବ୍ୟବସ୍ଥା କରୁଛନ୍ତି। ଡାକ୍ତର ଏହି ପରୀକ୍ଷା ଚିଠା ପଠାଇଲେ ପାଥୋଲାବ୍ କର୍ମଚାରୀ ମେସିନ୍ ଖରାପ ଥିବା କହି ରୋଗୀଙ୍କୁ ଫେରାଇ ଦେଉଛି। ଫଳରେ ବହୁ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍ନି ରୋଗୀ ଇତ୍ୟାଦି ଏହି ପରୀକ୍ଷା ପାଇଁ ବାଧ୍ୟ ହୋଇ ଘରୋଇ ପାଥୋଲାବ୍ରେ ଅଯଥାରେ ୫୦୦ରୁ ୭୦୦ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡ଼ୁଛି।
କେବଳ ସେତିକି ନୁହେଁ, ଦିନ ୨ଟା ପରେ ଏକ୍ସରେ ରୁମ୍ ବନ୍ଦ ରହୁଥିବାରୁ ଦୁର୍ଘଟଣାଗ୍ରସ୍ତ କୌଣସି ଗୁରୁତର ରୋଗୀ ପରୀକ୍ଷା ପାଇଁ ତତ୍କାଳ ଘରୋଇ କେନ୍ଦ୍ରକୁ ଯିବାକୁ ପଡ଼ୁଛି। ସେହିପରି ଥାଇରଏଡ୍ ପରୀକ୍ଷା ରିପୋର୍ଟ ବି ପନ୍ଦର ଦିନ ପରେ ରୋଗୀଙ୍କୁ ମିଳୁଥିବା ଅଭିଯୋଗ ହେଉଛି। ଦନ୍ତ ବିଭାଗ କଥା ନ କହିବା ଭଲ। ଦାନ୍ତ ଉପାଡ଼ିବା ପାଇଁ ଉର୍ଦ୍ଦିଷ୍ଟ ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ଚେୟାର୍ ଖତ ଖାଉଥିବା ଦେଖିବାକୁ ମିଳୁଛି। ହେଲେ କର୍ତ୍ତୃପକ୍ଷ ଏହି ମୌଳିକ ଚିକିତ୍ସା ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବା ପରିବର୍ତେ ମେଡିକାଲ୍ ପରିସରକୁ ଚକାଚକ୍ କରିବାରେ ଲାଗିଛନ୍ତି। ଏମିତି ଯେ ଯେଉଁଠି କାମର ଆଦୌ ଆବଶ୍ୟକତା ନାହିଁ, ସେଠାରେ ମିଳିମିଶି ଲୁଟ୍ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିବା ପରିଲକ୍ଷିତ ହେଉଛି।
The post କେନ୍ଦ୍ରାପଡ଼ା ମେଡିକାଲ୍ରେ ଇଏ କି’ ବ୍ୟବସ୍ଥା? ମିଳୁନି ମାଗଣା ସେବା; ଶୋଷଣ ବାଟ ମେଲା first appeared on Sambad.
from ଜିଲ୍ଲା – Sambad https://ift.tt/3b35aqL
0 Comments