ଅନୁମତି ବିନା ୨ ମାସ ମୋରମ ଚାଲାଣ ପରେ ଆଉ ୩ ମାସ ପାଇଁ ଟିପି
‘ସମ୍ବାଦ’ ଖବର ପ୍ରକାଶ ପରେ ଚିନ୍ତା ପଶିଲା

ଯାଜପୁର : ପୂର୍ବ ଉପକୂଳ ଜିଲ୍ଲାଗୁଡିକ ପାଇଁ ଚୋରା ଲଘୁଖଣିଜ ସମ୍ପଦର ହବ୍ ପାଲିଟିଛି ଯାଜପୁର ଜିଲ୍ଲା। ଲଘୁ ଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ବିଧାନସଭାରେ ସରକାର ବାରମ୍ବାର ଉତ୍ତର ରଖୁଛନ୍ତି। ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାରୁ ‌ଶହ ଶହ କୋଟି ଟଙ୍କାର ଲଘୁ ଖଣିଜସମ୍ପଦ ଚୋରା କାରବାରକୁ ନେଇ ସୁପ୍ରିମକୋର୍ଟ, ହାଇକୋର୍ଟ ଓ ଲୋକାୟୁକ୍ତରେ ଏକାଧିକ ମାମଲା ବିଚାରାଧୀନ ରହିଥିବାବେଳେ ଲୁଟ୍ କାରବାରକୁ ରୋକିବା ପରିବର୍ତ୍ତେ ବିଭିନ୍ନ ଉପାୟରେ ତହସିଲଗୁଡ଼ିକ ଗଳାବାଟରେ ଶହ ଶହ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟାଇବାରେ ଲାଗିପଡ଼ିଛନ୍ତି। ସରକାରଙ୍କ ରାଜସ୍ବ ବୃଦ୍ଧି ବଦଳରେ କେତେକ ତହସିଲର ଅସାଧୁମେଣ୍ଟ ଲକ୍ଷ ଲକ୍ଷ ଟଙ୍କା ନିଜସ୍ବ ପାଣ୍ଠି ଯୋଗାଡ଼ରେ ଲାଗିଛନ୍ତି। ସରକାରଙ୍କ ସବୁ ଯୋଜନା ଓ ପ୍ରସ୍ତାବ ଫେଲ୍ ମାରିଛି। ରାଜ୍ୟର ସର୍ବାଧିକ ରାଜସ୍ବ ଦେଉଥିବା ଅନ୍ୟତମ ଧନୀ ଧର୍ମଶାଳା ତହସିଲରେ ଦୀର୍ଘଦିନ ହେଲା ଲଘୁ ଖଣିଜ ସମ୍ପଦ କେଳେଙ୍କାରୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଶେଷ କରି ସ୍ବଳ୍ପମିଆଦ ଅନୁମତି(ଟିପି) ଜରିଆରେ କେଳେଙ୍କାରୀ ଚରମ ସୀମାରେ ପହଞ୍ଚିଛି। ଏବେ ଏକ ଘଟଣାରେ ବିନା ଅନୁମତିରେ ୨ ମାସ ଚୋରାଚାଲାଣ ପରେ ୩ ମାସ ପାଇଁ ଟିପି ପ୍ରଦାନ କରାଯାଇଛି।

ପ୍ରକାଶଥାଉକି, ଧର୍ମଶାଳା ତହସିଲ ବଳରାମପୁର-୨ ଆରଆଇ ସର୍କଲ ଅଧୀନ ଲୁଣିବେର ମୌଜାରୁ ମୋରମମାଟି ଖନନ ଓ ପରିବହନ ପାଇଁ ୩ ମାସ ଅନୁମତି ନେଇ ୫ମାସ ଧରି ବେଆଇନ୍ ଭାବେ ବ୍ୟାପକ ପରିମାଣ ଲଘୁଖଣିଜ ସମ୍ପଦ ଚୋରାଚାଲାଣ ଘଟଣାକୁ ପ୍ରଶାସନ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଚୋରା କାରବାରକୁ ସ୍ବୀକୃତି ପ୍ରଦାନ କରିଛନ୍ତି। ଗଙ୍ଗାଧର ପ୍ରଧାନଙ୍କ ପତ୍ନୀ ବୀଣାପାଣି ପ୍ରଧାନଙ୍କୁ ପୁଣି ୩ମାସ ପାଇଁ ଗତ ୧୯ତାରିଖରେ ଅନୁମତି ପ୍ରଦାନ କରାଯାଇଛି। ଏଥର ୨୦୨୧ଫେବ୍ରୁଆରି ୧୯ ତାରିଖରୁ ମେ ମାସ ୧୯ ତାରିଖ ପର୍ଯ୍ୟନ୍ତ ୬.୩୨ଏକର ଜମିରୁ ମୋରମମାଟି ଖନନ ଓ ପରିବହନ ପାଇଁ ଶ୍ରୀମତୀ ପ୍ରଧାନଙ୍କୁ ୩୦ଲକ୍ଷ ଟଙ୍କା ବିନିମୟରେ ଅନୁମତି ପ୍ରଦାନ କରାଯାଇଛି। ସ୍ମରଣ ଯୋଗ୍ୟ ଶ୍ରୀମତୀ ପ୍ରଧାନଙ୍କୁ ଏହି ମୌଜାର ୪.୪ଏକର ଜମିରୁ ୨୫ହଜାର ୬୦୮କ୍ୟୁବିକ୍ ମିଟର ମୋରମମାଟି ଖନନ ଓ ପରିବହନ ପାଇଁ ଗତ ଅକ୍ଟୋବର ୧୮ତାରିଖରେ ୩ମାସ ପାଇଁ ଅସ୍ଥାୟୀ ଅନୁମତି ଦେଇଥିଲେ। ଅନୁମତି ସମୟ ସୀମା ଗତ ଡିସେମ୍ବର ୧୮ତାରିଖରେ ଶେଷ ହୋଇଥିଲେ ହେଁ ଚଳିତ ମାସ ପର୍ଯ୍ୟନ୍ତ ବେଆଇନ୍ ଭାବେ ଚୋରାରେ ଲକ୍ଷ ଲକ୍ଷ କ୍ୟୁବିକ ମିଟର ମୋରମ ମାଟି ଚାଲାଣ ହୋଇଥିଲା। ୨୪ଲକ୍ଷ ଟଙ୍କା ବଦଳରେ ୨୪କୋଟି ଟଙ୍କାର ମୋରମ ଘରୋଇ ଓ ସରକାରୀ ଜମିରୁ ଚୋରାଚାଲାଣ ହୋଇଛି ବୋଲି ‘ସମ୍ବାଦ’ରେ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା। ଏହାର ତଦନ୍ତ ନକରି ଚୋରା କାରବାର ଧରାପଡ଼ିଯିବା ଆଶଙ୍କାରେ ତରବରିଆ ଭାବେ ପୁଣି ଶ୍ରୀମତୀ ପ୍ରଧାନଙ୍କୁ ଆଉ ୩ ମାସ ପାଇଁ ତହସିଲ ଅନୁମତି ଦେଇଛନ୍ତି। ଗତ ଡିସେମ୍ବର ୧୮ତାରିଖରୁ ଫେବ୍ରୁଆରି ୧୮ତାରିଖ ବିନା ଅନୁମତିରେ କେତେ ପରିମାଣ ମୋରମମାଟି ଚୋରା ଚାଲାଣ ହୋଇଛି? ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନି ପାଇଁ ଦାୟୀ ରହିବ କିଏ? ବନୀକରଣ ମହାଦୁର୍ନୀତ ଭଳି ଲଘୁଖଣିଜ ସମ୍ପଦ ଲୁଟ କାରବାରର ଚେର ତହସିଲରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ମାଡ଼ି ଯାଇଥିବାରୁ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ନିରବତା ଅବଲମ୍ବନ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ଲଘୁ ଖଣିଜ ଟିପି କେଳେଙ୍କାରୀ : ଚୋରାଚାଲାଣ ସୁଯୋଗ ପରେ ଅନୁମତି first appeared on Sambad.



from ଜିଲ୍ଲା – Sambad https://ift.tt/3aJvk1N