ପୁରୀ: ଆଜି ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ମାଘ ଶୁକ୍ଳ ଷଷ୍ଠୀରେ ବଡଦେଉଳରେ ଅନୁଷ୍ଠିତ ହେବାକୁ ଥିବା ଏହି ବନକଲାଗି ନୀତି ପାଇଁ ଦ୍ୱିପହର ଧୂପ ପରେ ଦତମହାପାତ୍ର ସେବାୟତମାନେ ଗର୍ଭଗୃହରେ ପ୍ରବେଶ କରି ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ହୋଇଥିବା ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖ ସିଂହାର କରାଯିବ। ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ଭଳି ପାରମ୍ପରିକ ରଙ୍ଗରେ ବଡ଼ଠାକୁର ବଳଭଦ୍ର, କାଳିଆ ଠାକୁର, ଦେବୀ ସୁଭ୍ରଦା ଓ ଚକ୍ରରାଜ ସୁଦର୍ଶନ ଝଲସି ଉଠିବେ।

ଏହାସହ ବନକଲାଗି ଅବସରରେ ଗୁପ୍ତ ସେବା ବିଧି ମଧ୍ୟ ରହିଛି। ପ୍ରାୟ ୪ ଘଣ୍ଟା ଧରି ଏହି ନୀତି କରାଯାଏ। ଆଜି ଅପରାହ୍ଣ ୪ଟାରୁ ରାତି ୮ଟା ଯାଏ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିମାସରେ ଏହା ହାରାହାରି ୨ ଥର କରାଯାଉଥିବା ବ‌େଳେ ଦତ୍ତ ମହାପାତ୍ର ରତ୍ନ ସିଂହାସନରେ ଦାରୁ ଦେବତାଙ୍କ ମୁଖ ସିଂହାର କରିଥାଆନ୍ତି। ନୀତି ସମ୍ପାଦନ ସମୟରେ ମନ୍ଦିରର ସମସ୍ତ ଦ୍ବାର ବନ୍ଦ ରହୁଥିବାରୁ ଭକ୍ତମାନଙ୍କୁ ଦର୍ଶନ ସୁବିଧା ମିଳେ ନାହିଁ।

The post ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ୪ ଘଣ୍ଟା ଧରି ସାଧାରଣ ଦର୍ଶନ ବନ୍ଦ ରହିବ first appeared on Sambad.



from ଜିଲ୍ଲା – Sambad https://ift.tt/2ZqafTj