ଏ ବର୍ଷ ୪୯ ପିଲା ନାଁ ଲେଖାଇଛନ୍ତି
ଆନ୍ଧ୍ର କେ.ଶାସନମ୍‌ ଜିଲ୍ଲା ପରି‌ଷଦ ହାଇସ୍କୁଲରେ କେବଳ ୩୫୦ ଓଡ଼ିଆ ପିଲା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍‌ର ସୀମାନ୍ତ ଗାଁର ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ପ୍ରଥମ ପ୍ରସନ୍ଦ ଏବେ ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସ୍କୁଲ। ଓଡ଼ିଶାର ପିଲା ଆନ୍ଧ୍ର ସ୍କୁଲମୁହାଁ ହେଉଥିବା ସଂକ୍ରାନ୍ତରେ ଗତ ୧୦ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ଗଞ୍ଜାମ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେବା ସହ କେତେ ପିଲା ଏ ବର୍ଷ ଆନ୍ଧ୍ର ସ୍କୁଲରେ ନାମ ଲେଖାଇଛନ୍ତି ରିପୋର୍ଟ ମାଗିଥିଲେ। ପାତ୍ରପୁର ବ୍ଲକ ଶିକ୍ଷାଧିକାରୀ ତଦନ୍ତ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ତଥ୍ୟ ଦାଖଲ କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ ୪୯ଜଣ ପିଲା ଆନ୍ଧ୍ର ସ୍କୁଲରେ ନାମ ଲେଖାଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ କହିଛନ୍ତି। ଏହାପରେ ଗଞ୍ଜାମ ପିଲା ଆନ୍ଧ୍ର ସ୍କୁଲମୁହାଁ ହୋଇଥିବା ପ୍ରଶାସନ ସ୍ବୀକାର କରିଛି। ତେବେ ଆନ୍ଧ୍ର ପ୍ରଦେଶର କେ.ଶାସନମ୍‌ ସ୍ଥିତ ଜିଲ୍ଲା ପରିଷଦ ହାଇସ୍କୁଲରେ ଗଞ୍ଜାମ ଜିଲ୍ଲାର ୩୫୦ ଜଣ ଛାତ୍ରଛାତ୍ରୀ ପଢୁଥିବା ପ୍ରଶ୍ନରେ ସେ କହିଛନ୍ତି, ଚଳିତ ବର୍ଷ ମାତ୍ର ୪ରୁ ୫ଜଣ ନାମ ଲେଖାଇଛନ୍ତି। ପୂର୍ବ ବର୍ଷ ଗୁଡ଼ିକରେ ଏତେ ସଂଖ୍ୟକ ପିଲା ନାମ ଲେଖାଇ ଥାଇପାରନ୍ତି ବୋଲି ସେ କହିଛନ୍ତି। ଚଳିତ ଶିକ୍ଷା ବର୍ଷରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ହୋଇଛି ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପାତ୍ରପୁର ବ୍ଲକ୍‌ରେ ୩୪ଟି ସୀମାନ୍ତ ଗାଁ ରହିଛି। ଏହି ବ୍ଲକ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସମୁଦାୟ ୧୪୨ଟି ବିଦ୍ୟାଳୟ ରହିଛି। ଏଥିମଧ୍ୟରୁ ୧୪ଟି ବହୁଭାଷୀ (ଓଡ଼ିଆ ଓ ତେଲୁଗୁ) ବିଦ୍ୟାଳୟ ରହିଛି। ୨୦୨୦ ମାର୍ଚ୍ଚ ୧୭ ପର ଠାରୁ କରୋନା କଟକଣା ଯୋଗୁଁ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ଯାଏ ସମସ୍ତ ସ୍କୁଲ୍ ବନ୍ଦ ରହିଛି। ପାତ୍ରପୁର ସୀମାନ୍ତ ଅଞ୍ଚଳରେ ତେଲୁଗୁ ଭାଷାଭାଷୀ ପରିବାର ଅଧିକ ସଂଖ୍ୟାରେ ବାସ କରନ୍ତି। କିନ୍ତୁ ଗତ ଜାନୁଆରି ମାସରୁ ଆନ୍ଧ୍ରପ୍ରଦେଶର ସବୁ ସ୍କୁଲ ଖୋଲିସାରିଛି। ତେଣୁ ଆନ୍ଧ୍ର ସ୍କୁଲରେ ପାତ୍ରପୁର ଅଞ୍ଚଳର ପିଲା ନାମ ଲେଖାଉଥିବା ଜଣାପଡ଼ିଛି। ଆନ୍ଧ୍ର ସରକାର ‘ଆମ୍ମା ବଡ଼ି’ ଏବଂ ‘ଜଗନ୍ନାନ୍ କିଟ୍‌’ ଭଳି ଲୋଭନୀୟ ଯୋଜନା ଦ୍ବାରା ଅଭିଭାବକ ଓ ପିଲାଙ୍କୁ ଆକୃଷ୍ଟ କରୁଛନ୍ତି। ପାତ୍ରପୁର ବ୍ଲକ୍‌ର ଗୁଡ଼ିପଦର ଓ ବି.ନୂଆଗାଁ ଗ୍ରାମପଞ୍ଚାୟତର ପ୍ରାୟ ୬୦ଜଣ ପିଲା ଆନ୍ଧ୍ରର ଟି.ବ୍ରହ୍ମପୁର, ଜଗନ୍ନାଥପୁର ଏବଂ ବଳରାମପୁର ସ୍କୁଲରେ ଏବଂ ଆନ୍ଧ୍ରର କେ.ଶାସନମ୍‌ ଜିଲ୍ଲା ପରିଷଦ ହାଇସ୍କୁଲର ଗଞ୍ଜାମର ୩୫୦ ଜଣ ଛାତ୍ରଛାତ୍ରୀ ପଢୁଥିବା ଜଣାପଡ଼ିଛି।

The post ପ୍ରଶାସନ ମାନିଲା, ଓଡ଼ିଆ ପିଲା ଆନ୍ଧ୍ର ସ୍କୁଲମୁହାଁ ହୋଇଛନ୍ତି first appeared on Sambad.



from ଜିଲ୍ଲା – Sambad https://ift.tt/2LNz7RQ